Videos
|
Odisha

Mayurbhanj Flood / ମୟୂରଭଞ୍ଜରେ ବନ୍ୟା ବିଭୀଷିକା: ୧୮ଟି ବ୍ଲକ୍ ପ୍ରଭାବିତ

Sushanta Sahoo
Browse all articles by Sushanta Sahoo
·13 mins ago·3 min read
ମୟୂରଭଞ୍ଜରେ ବନ୍ୟା ବିଭୀଷିକା: ୧୮ଟି ବ୍ଲକ୍ ପ୍ରଭାବିତ
18 Blocks Affected, Schools Closed

Key Points

ଜିଲ୍ଲାର ୧୮ଟି ବ୍ଲକ୍ ଏବଂ ବାରିପଦା ପୌରାଞ୍ଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ବେଳେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ଚିନ୍ତା ବଢ଼ାଇଛି । କାନ୍ଥ ଭୁଶୁଡ଼ି ଜିଲ୍ଲାର ଦୁଇଟି ପୃଥକ ସ୍ଥାନରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ।
ବାରିପଦା (ମୟୂରଭଞ୍ଜ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ୧୮ଟି ବ୍ଲକ୍ ଏବଂ ବାରିପଦା ପୌରାଞ୍ଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ବେଳେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ଚିନ୍ତା ବଢ଼ାଇଛି । ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଜିଲ୍ଲାର ଦୁଇଟି ପୃଥକ ସ୍ଥାନରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ।

ତିରିଂ ଥାନା ଅନ୍ତର୍ଗତ ମାତକମଡ଼ି ଗାଁରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ିଛି । ଶୋଇଥିବା ଅବସ୍ଥାରେ ସିନଗୋ ମୁର୍ମୁ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସେହିପରି ବାଙ୍ଗିରିପୋଷି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଭୁଲାଣପୁର ଗାଁରେ ମଧ୍ୟ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । କାନ୍ଥ ପଡ଼ି ୫୦ ବର୍ଷୀୟା ଲକ୍ଷ୍ମୀ ସିଂଙ୍କ ଜୀବନ ଯାଇଛି । ପ୍ରାଥମିକ ଆକଳନ ଅନୁସାରେ, ୨ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ୧୨୮ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ଏଥିସହ ପଢ଼ନ୍ତୁ: ପୁଣି ଆସୁଛି ବନ୍ୟା... ଭଦ୍ରକ-ମୟୂରଭଞ୍ଜରେ ହାଇଆଲର୍ଟ ସ୍କୁଲ ଛୁଟି 

ତଥ୍ୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ବାଙ୍ଗିରିପୋଷି (୩୦୯.୨ ମିମି), ସାରସକଣା (୨୯୭ ମିମି), ବିଶୋଇ (୧୯୭ ମିମି), ରାଇରଙ୍ଗପୁର (୧୬୩ ମିମି), ବିଜାତଳା (୧୪୦ ମିମି), ବାହଳଦା (୧୨୫ ମିମି), ଜାମଦା (୧୧୩ ମିମି) ଓ କୁସୁମୀ (୧୦୪ ମିମି) ବର୍ଷା ରେକର୍ଡ ହୋଇଛି । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ବଡ଼ଗାଁରେ ସର୍ବାଧିକ ୧୭୨.୭୨ ମିମି, କାବାଟଘାଇରେ ୧୩୮.୯୩ ମିମି, ବରେହିପାଣିରେ ୧୩୭.୪୧ ମିମି, ପିଠାବଟାରେ ୧୨୯.୩୮ ମିମି, ଚହଲାରେ ୧୦୨.୬ ମିମି ଏବଂ ନଓଣାରେ ୯୯.୮ ମିମି ବର୍ଷା ରେକର୍ଡ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନ୍ୟା ଯୋଗୁଁ ରାସ୍ତା ବିଚ୍ଛିନ୍ନ

ବନ୍ୟା ଜଳ ଯୋଗୁଁ ବେଲପାଳ ଓ ଘୁଷୁରିଆ ଠାରେ ବଡ଼ସାହି-ବେତନଟୀ ରାସ୍ତା ବିଚ୍ଛିନ୍ନ ହୋଇଛି । ମାଣତ୍ରୀ-ବୈଶିଙ୍ଗା ନାଖରା ପୋଲ ଉପରେ ପାଣି ଚାଲୁଥିବା ବେଳେ ପୋଡ଼ାଅସ୍ତିଆ ଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଂକେତ ଛୁଇଁଛି । ବାରିପଦା ସହରର ୭, ୮ ଓ ୯ ନମ୍ବର ୱାର୍ଡରେ ଶହ ଶହ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ରାସଗୋବିନ୍ଦପୁର ଓ ସାରସକଣା ଅଞ୍ଚଳରେ ବନ୍ୟା ଆଶଙ୍କା ଘନୀଭୂତ ହୋଇଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ସକାଳେ ସାମାନ୍ୟ କମିଥିଲେ ମଧ୍ୟ ହଳଦିଆ ଡ୍ୟାମର ୩ଟି ଗେଟ୍ ଖୋଲାଯାଇ ୮୦୦ରୁ ୧,୦୦୦ ହେକ୍ଟର ମିଟର ଜଳ ନିଷ୍କାସନ କରାଯାଉଛି । ଫଳରେ ତଳିଆ ଅଞ୍ଚଳରେ ପୁନର୍ବାର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ସ୍କୁଲ୍ ଛୁଟି

ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ସାହି, ବେତନଟୀ, ବାଙ୍ଗିରିପୋଷି, କୁଳିଅଣା ସମେତ ବାମନଘାଟି ଉପଖଣ୍ଡର ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି । ତେବେ ଜରୁରୀକାଳୀନ ସ୍ଥିତି ପାଇଁ ଶିକ୍ଷକମାନଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବଡ଼ସାହି, ବେତନଟୀ, ସାରସକଣା ଏବଂ ବାରିପଦାରେ ୨ଟି ଓଡ୍ରାଫ୍ (ODRAF) ଟିମ୍ ଏବଂ ଜିଲ୍ଲାରେ ୧୩ଟି ଅଗ୍ନିଶମ ବାହିନୀ ନିୟୋଜିତ କରାଯାଇଛି । ୧୧ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଜରିଆରେ ୨,୦୭୬ ଜଣ ସ୍ଥାନାନ୍ତରିତ ଲୋକଙ୍କୁ ଆଶ୍ରୟ ଓ ଭୋଜନ ଯୋଗାଇ ଦିଆଯାଉଛି ।

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ପୁଣି ସ୍କ୍ରବ୍ ଟାଇଫସ୍ ଭୟ…ପାଲଲହଡ଼ାରେ ୩୨ ଆକ୍ରାନ୍ତ, ନରସିଂହପୁରରେ ମୃତ୍ୟୁ ଅଭିଯୋଗ 

ଏହାସହ ଶୁଖିଲା ଖାଦ୍ୟ, ପାନୀୟ ଜଳ ବୋତଲ ଏବଂ ୩୩ଟି ପଲିଥିନ୍ ରୋଲ୍ ବିପନ୍ନଙ୍କୁ ବଣ୍ଟନ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ୨ଟି ଡାକ୍ତରୀ ଦଳ ଏବଂ ଗୃହପାଳିତ ପଶୁଙ୍କ ପାଇଁ ୧ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନ ମୁତୟନ ହୋଇଛି । ପ୍ରଶାସନ ପକ୍ଷରୁ ନଦୀକୂଳିଆ ଏବଂ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ତୁରନ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଆସି ରହିବାକୁ କୁହାଯିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।