Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରୂପାନ୍ତରଣ ନାଁରେ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ଓ ଛଳନା କରାଯାଉଛି - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha

ରୂପାନ୍ତରଣ ନାଁରେ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ଓ ଛଳନା କରାଯାଉଛି - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·3 min read
ରୂପାନ୍ତରଣ ନାଁରେ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ଓ ଛଳନା କରାଯାଉଛି - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ମୋଦି ସରକାରରେ ଭାରତ ବିକଶିତ ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଓଡ଼ିଶାରେ ଦୀର୍ଘ ୨୫ ବର୍ଷର ଶାସନରେ କେବଳ ମିଛ ରୂପାନ୍ତରଣର କଥା କହାଯାଉଛି । ଓଡ଼ିଶାରେ ରୂପାନ୍ତରଣ ହୋଇଛି ନା ପ୍ରତାରଣା ନା ଛଳନା ? ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି ମଙ୍ଗଳବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସୁବିଧା, ମହିଳା ସୁରକ୍ଷା ଓ ରୋଜଗାରର ଅବସ୍ଥା କଣ ? ଓଡ଼ିଶାରେ ସ୍ୱାସ୍ଥ୍ୟସେବା କେବଳ ବିଜ୍ଞାପନରେ ସୀମିତ । ଓଡ଼ିଶାରେ ନବଜାତ ଶିଶୁଙ୍କ ଓଜନ ଅନୁସାରେ ଉଚ୍ଚତା ଓ ଉଚ୍ଚତାନୁସାରେ ଓଜନ ହ୍ରାସ ହୋଇଛି, ଶିଶୁମାନେ ଅପପୃଷ୍ଟି ଓ ମହିଳା ରକ୍ତହୀନତାର ଶିକାର, ଯାହା ଚିନ୍ତାଜନକ ।  କେବଳ ବଡ ବଡ ଡାକ୍ତରଖାନା ପ୍ରତିଷ୍ଠା କରାଯିବା କୁହାଯାଉଥିବା ବେଳେ ମେଡିକାଲରେ ଡାକ୍ତର ନାହାନ୍ତି । ସରକାରୀ ହସ୍ପିଟାଲର ଅବସ୍ଥା ଖରାପ । କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ମେଡିକାଲ କଲେଜର ଅବସ୍ଥା କଣ ? ଓଡ଼ିଶାରେ ବେସରକାରୀ ଡାକ୍ତରଖାନାରେ କେବଳ ବିଲ୍ କରାଯାଇ ଲୋକ ମାନଙ୍କୁ ଲୁଟିବାର ଷଡଯନ୍ତ୍ର କରାଯାଇଛି । ଓଡ଼ିଆ ଲୋକଙ୍କୁ ଲୁଟିବାକୁ ସରକାରୀ ଅଧିକାରୀ ଜାଲ ବିଛାଇଛନ୍ତି ।   

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟ ସରକାର କହୁଛନ୍ତି ବିରୋଧି ସହି ପାରୁ ନାହାନ୍ତି । ମୋଦି ସରକାରରେ କୋଭିଡ୍ ସମୟରୁ ୨୦୨୯ ପର୍ଯ୍ୟନ୍ତ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ୮୦ କୋଟି ଏବଂ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି । ଓଡ଼ିଶାରେ ୫୩ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଯୋଗାଇଛି । ଉଜ୍ଜ୍ୱଳା ଯୋଜନାରେ ଏଠି ପ୍ରଶ୍ନ କରାଯାଉଛି । ଓଡ଼ିଶାର ମାଆ ଓ ମହିଳାମାନେ ଏହାର ବିଚାର କରିବେ । ଜଳ ଜୀବନ ମିଶନରେ ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ ପାଇଁ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ଓଡ଼ିଶାରେ ସବୁ ଘରେ ପିଇବା ପାଣି ପହଞ୍ଚି ପାରିନାହିଁ । ଠିକାଦାରଙ୍କ ପ୍ରୀୟାପ୍ରୀତି ପୋଷଣ ମନୋଭାବ ଯୋଗୁଁ ଏହି ଅବସ୍ଥା । କଂଗ୍ରେସ ସରକାରର ଗତ ୧୦ ବର୍ଷରେ ଓଡ଼ିଶାକୁ ୩ ଲକ୍ଷ କୋଟି ଟଙ୍କା ଆସିଥିବା ବେଳେ ମୋଦି ସରକାରରେ ୧୮ ଲକ୍ଷ କୋଟି ଟଙ୍କା ଆସିଛି ।       

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ରାଜ୍ୟରେ ରୋଜଗାର ନାହିଁ ।   ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ କ’ଣ କେହି ବାହାରକୁ କାମ କରିବାକୁ ଯାଉନାହାନ୍ତି କି? ନୀଳବର୍ଣ୍ଣ ମାନଙ୍କ ଦ୍ୱାରା ପରିଚାଳିତ ମୁଖ୍ୟମନ୍ତ୍ରୀ ମାସିକ ପ୍ରାୟ ୨୫୦ କୋଟି ଟଙ୍କା ବେସରକାରୀ ହସ୍ପିଟାଲକୁ ଟେକି ଦେଇ କେବଳ ବିଜ୍ଞାପନରେ ସ୍ୱାସ୍ଥ୍ୟସେବା କରୁଛନ୍ତି ରାଜ୍ୟ ସରକାର । ଏଠି ଓଡ଼ିଆ ଠିକାଦାର ମାନେ ସରକାରଙ୍କୁ ନିୟନ୍ତ୍ରିତ କରୁଛନ୍ତି । ଓଡ଼ିଶାରେ ଦୀର୍ଘ ବର୍ଷ ଧରି ସ୍ଥିର ସରକାର ଥିବା ସତ୍ତ୍ୱେ ପ୍ରାୟ ୫୦ ପ୍ରତିଶତ ପିଲାମାନେ ମାଟ୍ରିକରେ ଅଧାରୁ ପାଠ ଛାଡ଼ୁଛନ୍ତି । ଚଳିତବର୍ଷ ପ୍ରାୟ ୧୫ ହଜାର ପିଲା ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରି ପରୀକ୍ଷା ଦେବାକୁ ଯାଇନାହାନ୍ତି । ଏହା କଣ ରୂପାନ୍ତରଣ ? ଢେଙ୍କାନାଳର କାମାକ୍ଷା ନଗର ଏବଂ ଅନୁଗୋଳ ବଅଁରପାଳରେ କେନାଲରେ ମାଣି ନମାଡିବା କ’ଣ ରୂପାନ୍ତରଣ ? ଓଡ଼ିଆ ଲୋକଙ୍କ ମୁଣ୍ଡ ପିଛା ହଜାର ହଜାର କୋଟି ଟଙ୍କା ଋଣ ଭାର କରାଯାଇଛି ।    

ଓଡ଼ିଶାରେ ମହିଳା ଅପରାଧିକ ମାମଲା ପ୍ରତିଦିନ ଖବରକାଗଜରେ ଶୀରମଣ୍ଡନ କରୁଛି । ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳା ଅତ୍ୟାଚାର କ୍ଷେତ୍ରରେ ସବୁଠାରୁ ଖରାପ ୩ ରାଜ୍ୟ ଭିତରେ ଓଡ଼ିଶା ରହିଛି । ମମିତା ମେହେର ହତ୍ୟାକାଣ୍ଡର କୌଣସି ଉତ୍ତର ମିଳିଲା ନାହିଁ ।  ସରକାରଙ୍କ ବଡ଼ପଣ୍ଡାମାନେ ମାରି ପୋତିଦେଲେ । ଅଭିଯୁକ୍ତର ଜେଲ୍‌ରେ ମୃତ୍ୟୁ ଘଟିଲା । ଭଟ୍ଟଲି ଅଞ୍ଚଳରେ ଥାନାରେ ପଶି ପୋଲିସକୁ ମାଡ଼ ହେଲା । ମୁଖ୍ୟମନ୍ତ୍ରୀ ରାଜ୍ୟର ଗୃହମନ୍ତ୍ରୀ, ଏହାର ଉତ୍ତର ଦିଅନ୍ତୁ । ଏସବୁ ସତ୍ତ୍ୱେ ବିରୋଧୀ ଅନ୍ଧପୁଟୁଳି ବାନ୍ଧିଛନ୍ତି କହିଲେ ଲୋକେ ଜବାବ ଦେବେ । ଆଜି ଓଡ଼ିଶାରେ ନିର୍ବାଚିତ କ୍ୟାବିନେଟ୍ ମନ୍ତ୍ରୀମାନେ ମନୋନୀତ ମନ୍ତ୍ରୀ ପାଇଁ ଜରି ପାଲ ବିଛାଉଛନ୍ତି, ଟ୍ରାଫିକ ପୋଲିସର କାମ କରୁଛନ୍ତି ।  ପ୍ରଜାତନ୍ତ୍ରରେ ଲୋକେ ଅହଙ୍କାରକୁ ବରଦାସ୍ତ କରିବେ ନାହିଁ । ଧୃତରାଷ୍ଟ୍ର କିଏ, ଆଗାମୀ ନିର୍ବାଚନରେ ଲୋକମାନେ ତାହାର ଜବାବ ଦେବେ ।  

ଅପରପକ୍ଷରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଗତ ୯ ବର୍ଷର ଶାସନରେ ଦେଶରେ ଗରିବ ହ୍ରାସ ପାଇଛି । ସଦ୍ୟ ପ୍ରକାଶିତ ନୀତି ଆୟୋଗର ରିପୋର୍ଟ ଅନୁସାରେ ୨୦୧୩-୧୪ରେ ୨୯.୧୭ ପ୍ରତିଶତ ଦାରିଦ୍ର ସୀମାରେଖା ତଳେ ଥିବା ବେଳେ ଏହି ସଂଖ୍ୟା ହ୍ରାସ ପାଇ ୨୦୨୨-୨୩ରେ ୧୧.୨୮ ପ୍ରତିଶତରେ ପହଞ୍ଚିଛି । ମୋଦି ସରକାରଙ୍କ ସଫଳ ନୀତି ଓ କଲ୍ୟାଣକାରୀ ଯୋଜନା କାରଣରୁ ଦେଶର ୨୪.୮ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦ୍ରାରିଦ୍ରରୁ ମୁକ୍ତ ହୋଇ ବିକାଶ ସହ ଯୋଡ଼ି ହୋଇଛନ୍ତି। ଏଥିପାଇଁ ଦେଶର ଗରିବ, ଆଦିବାସୀ, ଦଳିତ, ବଞ୍ଚିତ ଲୋକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

Argus Whatsapp Channel Mobile Top
Sponsored
mishrana parba at BJP state party office | Argus News