|
logo
Live

Argus News - ଗରିବ ଲୋକମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାରଙ୍କ ଗ୍ୟାରେଣ୍ଟି

Odisha

ଗରିବ ଲୋକମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାରଙ୍କ ଗ୍ୟାରେଣ୍ଟି

Jitendra Dash
Browse all articles by Jitendra Dash
·2 years ago·3 min read
ଗରିବ ଲୋକମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାରଙ୍କ ଗ୍ୟାରେଣ୍ଟି

ଅର୍ଗସ ବ୍ୟୁରୋ : ସମ୍ବଲପୁର ଏବଂ ଢେଙ୍କାନାଳରେ ଭାରତ ସରକାରଙ୍କ ତରଫରୁ ଶନିବାର ଅନୁଷ୍ଠିତ ପୃଥକ ପୃଥକ ‘ଋଣ ମେଳା’ ତଥା ‘କ୍ରେଡିଟ୍ ଆଉଟରିଚ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ୪ଟି ଜିଲ୍ଲା ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ ଓ ଅନୁଗୋଳର ୨ ଲକ୍ଷ ୬୬ ହଜାର ୧୮୬ ଲାଭାର୍ଥୀଙ୍କୁ ୪ ହଜାର ୮୨୬ କୋଟି ତଥା ପ୍ରାୟ ୫ ହଜାର କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ହିତାଧିକାରୀ ମାନଙ୍କୁ ଏହି ଋଣ ପ୍ରଦାନ କରିଛନ୍ତି । 

ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀରାମ ବାନରସେନା ମାଧ୍ୟମରେ ଅଧର୍ମ ବିରୁଦ୍ଧରେ ଧର୍ମର ବିଜୟ ପାଇଁ ରାମସେତୁ ନିର୍ମାଣ କରାଇଥିଲେ । ସେହିପରି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦାରିଦ୍ର୍ୟକୁ ହ୍ରାସ କରି ଲୋକ ମାନଙ୍କୁ ଆତ୍ମନିର୍ଭର କରିବା ସହ ସେମାନଙ୍କୁ ସ୍ୱାଭିମାନୀ କରିବା ପାଇଁ ବଜ୍ର ପ୍ରତିଜ୍ଞା କରିଛନ୍ତି । ଆଜି ଋଣ ମେଳା ତାହାର ଏକ ପ୍ରତିଫଳନ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୭୦ ହଜାର ୬୮୯ ଜଣ ହିତାଧିକାରୀଙ୍କୁ ୨୨୮୯ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି । ଅନୁରୂପ ଭାବରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୧ ଲକ୍ଷ ୯୫ ହଜାର ୪୯୭ ଜଣ ଲାଭାର୍ଥୀଙ୍କୁ ୨୫୩୭ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି । କ୍ଷୁଦ୍ର ବ୍ୟବସାୟୀ, ମୁଦ୍ରା, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ପିଏମ ସ୍ୱନିଧି, ଏମଏସଏମଇ ଋଣ, କିଷାନ କ୍ରେଡିଟ୍ କାର୍ଡ, ଫସଲ, ମତ୍ସ୍ୟ ଚାଷ ଓ ଏସଏଚଜି ଭଳି ଯୋଜନା ପାଇଁ ହିତାଧିକାରୀଙ୍କୁ ଋଣ ସହାୟତା ଦିଆଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ର ମନ୍ତ୍ରୀ   ଏବଂ ବ୍ୟାଙ୍କ୍ ସମୂହକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।   

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପୂର୍ବରୁ ଓଡ଼ିଶାରେ ଋଣ ସହାୟତା ୬୭ ହଜାର କୋଟି ଟଙ୍କା ଥିବା ବେଳେ ମୋଦି ସରକାରରେ ଏହା ତିନି ଗୁଣା ବୃଦ୍ଧି ପାଇ ୨ ଲକ୍ଷ ୧୪ କୋଟି ଟଙ୍କାରେ ପହଞ୍ଚିଛି । ଓଡ଼ିଶାରେ ୨୦୧୪  ପର୍ଯ୍ୟନ୍ତ ଓଡ଼ିଶାରେ ୪୩୩୮ଟି ବ୍ୟଙ୍କ୍ ଥିଲା । ଏବେ ଓଡ଼ିଶାରେ ବିଗତ ୧୦ ବର୍ଷ ଭିତରେ ୧୫୦୦ରୁ ଅଧିକ ବ୍ୟାଙ୍କ୍ ସୃଷ୍ଟି ହୋଇଛି । ଓଡ଼ିଶାରେ ପୂର୍ବରୁ ୧୦୦ ଟଙ୍କା ଜମା କଲେ ୩୦ ରୁ ୩୫ ପ୍ରତିଶତ ଋଣ ଦିଆଯାଉଥିଲା । ମୋଦି ସରକାରରେ ୧୦୦ ଟଙ୍କା ଜମା ମୂଲ୍ୟରେ ହାରାହାରି ୬୧ ପ୍ରତିଶତ ଋଣ ଦିଆଯାଉଛି । ମୋଦି ସରକାରଙ୍କ ସଫଳ ନୀତି ଓ କଲ୍ୟାଣକାରୀ ଯୋଜନା କାରଣରୁ ଦେଶର ୨୪.୮ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦ୍ରାରିଦ୍ରରୁ ମୁକ୍ତ ହୋଇ ବିକାଶ ସହ ଯୋଡ଼ି ହୋଇଛନ୍ତି ।   

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଗରିବ, ମହିଳା, ଚାଷୀ ଓ ଯୁବକଙ୍କ ସମେତ କୌଳିକ ବୃତ୍ତିଧାରୀମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ସହାୟତା ଦିଆଯାଉଥିବା ଦ୍ୱାରା ସେମାନେ ଆତ୍ମନିର୍ଭର ହେଉଛନ୍ତି । ସମ୍ପନ୍ନତା ଆସିଲେ ସ୍ୱାଭିମାନ ଆସେ । ସ୍ୱାଭିମାନ ଆସିଲେ ସ୍ୱରାଜ୍ୟ ଆସେ । ସ୍ୱରାଜ୍ୟକୁ ହିଁ ରାମ ରାଜ୍ୟ କୁହାଯାଏ । ସମାଜରେ ସନ୍ତୁଳିତ ବିକାଶ ଆଣିବା ପାଇଁ ମୋଦି ସରକାର ବଦ୍ଧପରକର । ମୋଦି ଅଛନ୍ତି ମାନେ ସବୁ ସମ୍ଭବ । ପୂର୍ବରୁ ଗରିବ ଲୋକମାନେ ବ୍ୟାଙ୍କକୁ ଯାଇପାରୁନଥିଲେ । ବ୍ୟାଙ୍କରେ ଖାତା ଖୋଲି ପାରୁନଥିଲେ । ଆଜି ମୋଦି ସରକାରରେ ଏହା ପରିବର୍ତ୍ତନ ହୋଇଛି । ଗରିବ ଲୋକଙ୍କ ବ୍ୟାଙ୍କ ଖାତା ଖୋଲା କରାଇ ସେମାନଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଆର୍ଥିକ ସହାୟତା ସହ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର ଗ୍ୟାରେଣ୍ଟି ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ଆଇଆଇମ୍ ସମ୍ବଲପୁରରେ ଭାରତର ସର୍ବପ୍ରଥମ ‘କ୍ରାଫ୍ଟ ଇନକ୍ୟୁବେସନ ସେଣ୍ଟର’ର ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ବୟନଶିଳ୍ପରେ କାମ କରୁଥିବା ମାତୃଶକ୍ତି ମାନଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବା ସହ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଆଜିର ଏହି ବ୍ୟବସ୍ଥା ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ମହିଳା ବୁଣାକାରଙ୍କୁ ଦକ୍ଷ କରିବା ଦିଗରେ ଏକ ପ୍ରମୁଖ ମାଧ୍ୟମ ହେବ । ବୁଣାକାର ଆଗକୁ ଗଲେ ହିଁ ଅଞ୍ଚଳ ବିକଶିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଋଣ ମେଳା କାର୍ଯ୍ୟକ୍ରମରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଯୋଗଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷ ନେତୃତ୍ୱ ଗରିବ, ମହିଳା, କୃଷକ ଓ ଯୁବକମାନଙ୍କୁ କମ୍ ସୁଧରେ ଋଣ ଯୋଗାଇ ଦିଆଯାଉଛି, ଯାହା ସେମାନଙ୍କୁ ଆତ୍ମନିର୍ଭର କରିବା ସହିତ ସେମାନଙ୍କୁ ଆର୍ଥିକ ଶକ୍ତି ପ୍ରଦାନ କରୁଛି। ଏହି କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମ ଦେଶର ଗରିବ, କୃଷକ, ମହିଳା, ଯୁବକ, କ୍ଷୁଦ୍ର ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦେଶର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆର୍ଥିକ ଶକ୍ତି ଯୋଗାଇବା ସହିତ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବାରେ ବରଦାନ ସାବ୍ୟସ୍ତ ହେଉଛି ବୋଲି ସେ କହିଛନ୍ତି ।

Sponsored
ଗରିବ ଲୋକମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାରଙ୍କ ଗ୍ୟାରେଣ୍ଟି | Argus News