ରୋମ ଜଳୁଥିବା ବେଳେ ନିରୋଙ୍କ ବଂଶୀବାଦନ ଭଳି ଓଡ଼ିଶାର ଶାସନ ବ୍ୟବସ୍ଥା ଚାଲୁଅଛି

ଅର୍ଗସ ବ୍ୟୁରୋ : ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ନିଜେ ଉପସ୍ଥିତ ରହିବା ସହ ଗୁଣ୍ଡା ମାନଙ୍କୁ ଲଗାଇ ଅମ୍ବୋଭନା ଥାନାରେ ପୋଲିସ କର୍ମୀଙ୍କୁ ଆକ୍ରମଣ କରିବା ସହ ଥାନା ଭଙ୍ଗାରୁଜା କରିବା ଓ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ଭଳି ଘଟଣାକୁ ଦୃଢ ଭାବରେ ନିନ୍ଦା କରୁଛି ବୋଲି ଟ୍ୱିଟ୍ କରି କହିଛନ୍ତି ବିରୋଧୀଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେ ଟ୍ୱିଟ୍ କରିଛନ୍ତି ଯେ ବିଜେଡ଼ି ସରକାରରେ କିଛି ଲୋକମାନେ ଲମ୍ବା ସମୟ ଧରି କ୍ଷମତାରେ ରହିବାରୁ ଅହଙ୍କାରୀ ହୋଇଯାଇଛନ୍ତି । ହିଟଲର ମନୋବୃତି ତଥା ଏକଚାଟିଆ ଓ ସ୍ୱେଚ୍ଛାଚାରିତା ବିଜେଡି ମନ୍ତ୍ରୀ ଓ ବିଧାୟକଙ୍କ ଆଦର୍ଶ ହୋଇଛି । ସବୁଠୁ ବଡ କଥା ହେଉଛି, ରାଜ୍ୟରେ ଶାସନ କରୁଥିବା ଲୋକମାନେ ଧୃତରାଷ୍ଟ୍ରଙ୍କ ପରି ଅନ୍ଧପୁଟୁଳି ବାନ୍ଧି ଦେଇଛନ୍ତି । ରୋମ ଜଳୁଥିବା ବେଳେ ନିରୋଙ୍କ ବଂଶୀବାଦନ ଭଳି ରାଜ୍ୟର ଶାସନ ବ୍ୟବସ୍ଥା ସେହି ଅବସ୍ଥାରେ ଥିବା ଭଳି ମନେହେଉଛି ।
ପଡୋଶୀ ଜିଲ୍ଲା ଝାରସୁଗୁଡାର ପୂର୍ବତନ ମନ୍ତ୍ରୀ ଦିବଙ୍ଗତ ନବ ଦାସଙ୍କ ପୁତ୍ରଙ୍କ କମ୍ପାନୀ ନାଁର ରେଞ୍ଜରୋଭର କମ୍ପାନୀର ଗାଡି ଦୁର୍ଘଟଣାରେ ଗାଁରୁ ଆସି ଭୁବନେଶ୍ୱରରେ ଚାକିରି କରିଥିବା ଭଉଣୀଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ସରକାର ନୀରବ । ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଗାଡି ନମ୍ବର ବଦଳା ଯାଇ ଦୋଷୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି ।
📱 Get Argus News App
✨ଏହି ସରକାର ସମ୍ବେଦନଶୀଳ ଘଟଣାର ସତ୍ୟାସତ୍ୟ ଜାଣିବା ଦିଗରେ କେବେ ହେଲେ ଚେଷ୍ଟା କରୁନାହିଁ, ଯାହା ରାଜ୍ୟର ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ । ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ରହୁଥିବା ସରକାର । ଆଇନଶୃଙ୍ଖଳା ଭଲ ଅଛି କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଥିବା ସରକାର । ରାଜ୍ୟ ସରକାର ନିଦରୁ ଉଠନ୍ତୁ ଏବଂ ଅମ୍ବୋଭନା ଥାନା ଭାଙ୍ଗିବା ଘଟଣାରେ ଭଟଲି ବିଧାୟକଙ୍କୁ ଗିରଫ କରିବା ସହ ଭୁବନେଶ୍ୱର ପାୱାର ହାଉସ ଛକ ଠାରେ ରେଞ୍ଜରୋଭର ଗାଡି ଧକ୍କାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିରୋଧୀଦଳର ମୁଖ୍ୟ ସଚେତକ ଟ୍ୱିଟ୍ ମାଧ୍ୟମରେ ଦାବି ଜଣାଇଛନ୍ତି ।