Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Green Odisha / ବିକାଶ ସହ ପ୍ରକୃତି ସୁରକ୍ଷା ଲକ୍ଷ୍ୟ; ଓଡ଼ିଶାରେ ୧.୧୪ ଲକ୍ଷରୁ ଅଧିକ ଚାରାରୋପଣ କଲା NHAI

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବିକାଶ ସହ ପ୍ରକୃତି ସୁରକ୍ଷା ଲକ୍ଷ୍ୟ; ଓଡ଼ିଶାରେ ୧.୧୪ ଲକ୍ଷରୁ ଅଧିକ ଚାରାରୋପଣ କଲା NHAI
Green Odisha

Key Points

ପ୍ରକୃତି ସୁରକ୍ଷାରେ NHAIର ବଡ଼ ଅଭିଯାନ
ଓଡ଼ିଶାରେ ୧.୧୪ ଲକ୍ଷରୁ ଅଧିକ ଚାରା ରୋପଣ
ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା ଉଦ୍ଦେଶ୍ୟ
ଭୁବନେଶ୍ୱର: ବିକାଶ ସହ ପ୍ରକୃତିର ସୁରକ୍ଷାକୁ ଗୁରୁତ୍ୱ ଦେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଓଡ଼ିଶାରେ ଏକ ବିଶାଳ ବୃକ୍ଷରୋପଣ ଅଭିଯାନ ଚଲାଇଛି । ପରିବେଶ ସନ୍ତୁଳନ ବଜାୟ ରଖିବା ସହିତ ସବୁଜ ଆବରଣକୁ ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ କଡ଼ରେ ୧,୧୪,୫୫୭ରୁ ଅଧିକ ଗଛ ଲଗାଯାଇଛି । ଏହି ମେଗା ବୃକ୍ଷରୋପଣ ଅଭିଯାନ ପଛରେ କେବଳ ପରିବେଶ ସୁରକ୍ଷା ପାଇଁ ନୁହେଁ, ବରଂ ଆଗାମୀ ପିଢ଼ିକୁ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଭେଟି ଦେବାର ଯୋଜନା ରହିଛି । ଏହାସହିତ NHAI ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରି ସ୍ଥାୟୀ ଉନ୍ନୟନର ବାର୍ତ୍ତା ଦେଇଛି ।

NHAIର ରାଜ୍ୟ ଆଞ୍ଚଳିକ କାର୍ଯ୍ୟାଳୟ 'ମେଗା ବୃକ୍ଷରୋପଣ ଅଭିଯାନ-୨୦୨୬' ଅଧୀନରେ ଏହି ଚାରା ରୋପଣ କରାଯାଇଛି । ଚଳିତ ବର୍ଷ ଓଡ଼ିଶାରେ ମୋଟ ୨.୬୦ ଲକ୍ଷ ଚାରା ରୋପଣ କରିବାକୁ NHAI ଲକ୍ଷ୍ୟ ରଖିଛି । ଏହାଦ୍ଵାରା ରାସ୍ତା କଡ଼ରେ ସବୁଜିମା ବୃଦ୍ଧି, ଜୈବ ବିବିଧତାର ସୁରକ୍ଷା, ବାୟୁର ଗୁଣବତ୍ତା ଉନ୍ନତି ଏବଂ ଜାତୀୟ ରାଜପଥ କରିଡରରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବର ମୁକାବିଲା କରାଯାଇପାରିବ ।

  • କେଉଁଠି ଲାଗିଲା କେତେ ଗଛ ?
ରାଜ୍ୟର ସମସ୍ତ ୭ଟି ପ୍ରକଳ୍ପ କାର୍ଯ୍ୟକାରୀକରଣ ୟୁନିଟ୍ (PIU) ଅଧୀନରେ ଥିବା ଜାତୀୟ ରାଜପଥ ଅଞ୍ଚଳଗୁଡ଼ିକରେ ଏହି ଗଛ ଲଗାଯାଇଛି । ଯେପରିକି ନବରଙ୍ଗପୁର PIUରେ ସର୍ବାଧିକ ୩୨,୦୯୧ଟି ଚାରା (NH-130CD) ରୋପଣ ହୋଇଥିବାବେଳେ ଚଣ୍ଡିଖୋଲ PIU ୧୮,୩୩୬ଟି ଚାରା (NH-16 ଓ NH-53), ଢେଙ୍କାନାଳ PIUରେ ୧୩,୭୦୦ଟି ଚାରା (NH-53, NH-149 ଓ NH-55), ବ୍ରହ୍ମପୁର PIUରେ ୧୩,୨୬୭ଟି ଚାରା, ସମ୍ବଲପୁର PIUରେ ୧୨,୮୬୧ଟି ଚାରା (NH-53 ଓ NH-55), ଭୁବନେଶ୍ୱର PIUରେ ୧୨,୨୩୨ଟି ଚାରା (NH-16) ଏବଂ କେନ୍ଦୁଝର PIUରେ ୧୨,୦୭୦ଟି ଚାରା (NH-20 ଓ NH-520) ଲଗାଯାଇଛି ।

ପଢନ୍ତୁ ଏହି ଖବର: ଦ୍ରୁତ ଗତିରେ ବିସ୍ତାର ହେଉଛି ସଡ଼କ ପଥ; ୧୨ ବର୍ଷରେ ୬୦ ପ୍ରତିଶତ ବଢିଛି ଜାତୀୟ ରାଜପଥ

ଏହି ଅବସରରେ NHAI ଓଡ଼ିଶାର ଆଞ୍ଚଳିକ ଅଧିକାରୀ ପ୍ରଦୀପ କୁମାର ଲାଲ୍ କହିଛନ୍ତି, "ଭିତ୍ତିଭୂମି ବିକାଶ ଏବଂ ପରିବେଶ ସଂରକ୍ଷଣ ଏକାସହିତ ହେବା ଆବଶ୍ୟକ । ବୃକ୍ଷରୋପଣ ହେଉଛି ଏହାର ପ୍ରଥମ ପଦକ୍ଷେପ । ଏକାସାଥୀରେ ଆମେ ମିଳିମିଶି ଅଧିକ ସବୁଜିମାଭରା ରାଜପଥ ନିର୍ମାଣ କରିପାରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିପାରିବା ।"

  • ବର୍ଷକରେ ୨.୬ ଲକ୍ଷ ବୃକ୍ଷରୋପଣ ଟାର୍ଗେଟ୍
ଏପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧.୧୪ ଲକ୍ଷରୁ ଅଧିକ ଚାରା ରୋପଣ ହୋଇସାରିଥିବା ବେଳେ, NHAI ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଡ଼ିଶାରେ ୨.୬ ଲକ୍ଷ ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖିଛି । ଏହାପଛର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ରାଜ୍ୟଠୁ ଆରମ୍ଭ କରି ପୂରା ଦେଶରେ ସବୁଜ ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ସହିତ ପରିବେଶଗତ ସନ୍ତୁଳନ ବଜାୟ ରଖିବା ଏବଂ ସ୍ୱଚ୍ଛ, ସବୁଜ ତଥା ଅଧିକ ସ୍ଥାୟୀ ଜାତୀୟ ରାଜପଥ କରିଡର ନିର୍ମାଣ କରିବା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored