Videos
|
Odisha

Odia Migrant Labour Death / ପେଟ ପାଇଁ ଦାଦନ ଖଟିବାକୁ ଯାଇଥିଲେ; ଚାଲିଗଲା ୨ ଓଡ଼ିଆ ଶ୍ରମିକଙ୍କ ଜୀବନ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ପେଟ ପାଇଁ ଦାଦନ ଖଟିବାକୁ ଯାଇଥିଲେ; ଚାଲିଗଲା ୨ ଓଡ଼ିଆ ଶ୍ରମିକଙ୍କ ଜୀବନ
Odia Migrant Labour Death

Key Points

ଆନ୍ଧ୍ରରେ ବଡ଼ ଅଘଟଣ
ପେଟ ପାଇଁ ଯାଇଥିଲେ ଦାଦନ
କ୍ରେନ୍‌ ଖସି ଦୁଇ ଓଡ଼ିଆ ଶ୍ରମିକ ମୃତ
ହାଇଦ୍ରାବାଦ: ଆନ୍ଧ୍ରରେ କ୍ରେନ୍‌ ଖସି ଦୁଇ ଓଡ଼ିଆ ଶ୍ରମିକ ମୃତ । ପେଟ ପାଇଁ ଦାଦନ ଖଟିବାକୁ ଯାଇଥିଲେ, ହେଲେ ଫେରିଲା ଶବ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ନିକଟରେ ଏକ ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ ଘଟିଛି ଏହି ବଡ଼ ଅଘଟଣ । ହଠାତ୍ କ୍ରେନ୍ ଖସିପଡ଼ିବାରୁ ଦୁଇ ଓଡ଼ିଆ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ମୃତଦେହକୁ ଗାଁକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ।

  • ମିଳିଲା ମୃତକଙ୍କ ପରିଚୟ
ମୃତକ ଦ୍ୱୟ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତମ୍ବାପୁର ଗ୍ରାମର ସନ୍ତୋଷ କୁମାର ପ୍ରଧାନ ଏବଂ ଚିକିଟି ବ୍ଲକ୍ ଚିଲାଡ଼ି ଗ୍ରାମର କେ. ଶିବା । ଉଭୟେ ଘର ଚଳାଇବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ । ଦୁହେଁ ବିବାହିତ ଏବଂ ଉଭୟଙ୍କର ଗୋଟିଏ ଲେଖାଏଁ ପୁତ୍ର ସନ୍ତାନ ଅଛନ୍ତି । ସେମାନଙ୍କ ଅକାଳ ବିୟୋଗରେ ପରିବାର ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି ।

  • ଆଉ ୩ ଓଡ଼ିଆ ଗୁରୁତର
ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଓଡ଼ିଆ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ସନ୍ତୋଷ ଓ ଶିବାଙ୍କ ମରଶରୀରକୁ ନିଜ ଗାଁକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ଘରର ରୋଜଗାରିଆଙ୍କ ଅକାଳ ମୃତ୍ୟୁରେ ଦୁଇ ପରିବାର ଅସହାୟ ହୋଇପଡ଼ିଛନ୍ତି । ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । 

ପଢନ୍ତୁ ଏହି ଖବର: କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ; ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତଦେହ ଘରକୁ ଫେରିଲା

  • କିଛି ଦିନ ପୂର୍ବରୁ ଚେନ୍ନାଇରେ ଯାଇଥିଲା ଓଡ଼ିଆ ଦାଦନଙ୍କ ଜୀବନ
କିଛି ଦିନ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଘାଟକଇଁତରା ଗାଁରେ ଆସିଥିଲା ଦାଦନ ଦୁଃଖ । ଘରକୁ ଫେରିଲା ଦାଦନଙ୍କ ଶବ । ଗାଁର ଦାମୋଦର ମହାନନ୍ଦ ତାମିଲନାଡୁ ଇରୋଡ ସ୍ଥିତ ଏକ ବିସ୍କୁଟ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ହେଲେ ଗତ କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ତାଙ୍କୁ ସାଲେମ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଅକ୍ଟୋବର ୮ ତାରିଖ ଦିନ ମୃତ୍ୟୁ ହୋଇଯାଇଥିଲା । ଏନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ଅର୍ଥାଭାବରୁ ତାମିଲନାଡୁ ଯାଇ ଦାମୋଦରଙ୍କ ମୃତଦେହ ଆଣିବା ଅସମ୍ଭବ ହୋଇ ପଡ଼ିଥିଲା । ଏହାପରେ କମ୍ପାନୀ ସହ ଶ୍ରମ ବିଭାଗ ଯୋଗାଯୋଗ କରି ମୃତଦେହ ଗାଁକୁ ଆଣିଥିଲା । ଏହାପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । 
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: