Videos
|
Odisha

Flood Prevention Plan / ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ୍; ୧୦୦ ବର୍ଷକୁ ଆଖିରେ ରଖି ଯୋଜନା

Debashree Debasmita Sahoo
Browse all articles by Debashree Debasmita Sahoo
·34 mins ago·2 min read
ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ୍; ୧୦୦ ବର୍ଷକୁ ଆଖିରେ ରଖି ଯୋଜନା
Odisha 100 Year Flood Plan

Key Points

ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ୍
ବନ୍ୟା ରୋକିବାକୁ IIT ରୁର୍କିର ସହାୟତା
୧୦୦ ବର୍ଷକୁ ଆଖିରେ ରଖି ଦୀର୍ଘମିଆଦୀ ଯୋଜନା
ଭୁବନେଶ୍ଵର: ପ୍ରତିବର୍ଷ ବନ୍ୟା ଆସୁଛି, ଗାଁ-ଗଣ୍ଡା ବୁଡ଼ୁଛି, ଧନଜୀବନ ଉଜୁଡ଼ୁଛି । ବନ୍ୟା ପରେ କେବଳ ରିଲିଫ୍, ଉଦ୍ଧାର ଆଉ କ୍ଷୟକ୍ଷତିର ହିସାବ । ହେଲେ ଏଥର ଏହି ଚିରାଚରିତ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ସାମୟିକ ଆଶ୍ୱାସନା ନୁହେଁ, ବରଂ ଆଗାମୀ ୧୦୦ ବର୍ଷକୁ ଆଖିରେ ରଖି ସରକାର ପ୍ରସ୍ତୁତ କରୁଛନ୍ତି ଦୀର୍ଘମିଆଦୀ ମାଷ୍ଟରପ୍ଲାନ୍ । ନଦୀବନ୍ଧକୁ ଅଭେଦ୍ୟ କରିବା ସହ ନୂଆ ଡ୍ୟାମ୍, ବ୍ୟାରେଜ୍ ଆଉ ରିଙ୍ଗ୍ ରୋଡ୍ ନିର୍ମାଣ ଉପରେ ରହିଛି ବଡ଼ ଫୋକସ୍ ।

ଗଞ୍ଜାମବାସୀଙ୍କ ନିଦ ହଜାଇ ଦେଉଛି ଋଷିକୂଲ୍ୟାର ବନ୍ୟା । ବିପତ୍ତିର ସ୍ଥାୟୀ ସମାଧାନ ସହ ଜଳସେଚନକୁ ନେଇ ରାଜ୍ୟ ସରକାର କରିଛନ୍ତି ବଡ଼ ଯୋଜନା । ସୋରଡ଼ା ବ୍ଲକ୍‌ର ପିପଳପଙ୍କାଠାରେ ଋଷିକୂଲ୍ୟା ନଦୀ ଉପରେ ନିର୍ମାଣ ହେବ ଏକ ବିଶାଳ ଡ୍ୟାମ୍ । ଏଥିପାଇଁ ଖର୍ଚ୍ଚ ହେବ ୧୦୧୩ କୋଟି ଟଙ୍କା । ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୨୮୦୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ ଏବଂ ୨ରୁ ୩ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

  • ନଦୀ ଓ ଡ୍ୟାମର ଉଚ୍ଚତା-ଚଉଡ଼ା ବଢ଼ିବ
ଗତ ଅର୍ଣ୍ଣବ ବାତ୍ୟା ସମୟରେ ଋଷିକୂଲ୍ୟା ଉପରମୁଣ୍ଡରୁ ଅତ୍ୟଧିକ ପାଣି ଆସି ଯେଉଁ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା, ତାହାର ମୁକାବିଲା ପାଇଁ ଏହି ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି । ଏହାସହ ଋଷିକୂଲ୍ୟାରେ ୬ଟି ବ୍ୟାରେଜ୍ ନିର୍ମାଣ ଯୋଜନା ଥିବାବେଳେ ପୁରୁଷୋତ୍ତମପୁର ନିକଟରେ ଗୋଟିଏ ବ୍ୟାରେଜ୍ କାମ ଚାଲିଛି । ଗୋଟିଏ ପଟେ ବନ୍ୟାଜଳର ପ୍ରକୋପ କମାଇବା ଏବଂ ଅନ୍ୟପଟେ ବର୍ଷାଜଳକୁ ସଂରକ୍ଷଣ କରି ଚାଷକାମରେ ଲଗାଇବା- ଏହି ଦୁଇଟି ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ଜଳସମ୍ପଦ ବିଭାଗ।

  • ୧୦୦ ବର୍ଷକୁ ଆଖିରେ ରଖି ଦୀର୍ଘମିଆଦୀ ଯୋଜନା
ବର୍ଷା ହେଲେ ନଦୀର ଜଳସ୍ତର ବଢ଼ୁଛି, ନଦୀ ଫୁଲିଲେ ବନ୍ୟା ଭୟ ଘାରୁଛି । ଆଉ ବନ୍ୟା ଆସିଲେ ଭାଙ୍ଗୁଛି ଘର, ଉଜୁଡ଼ୁଛି ଫସଲ । ପ୍ରତିବର୍ଷ ଏହି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଓଡ଼ିଶାବାସୀ । ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବଡ଼ ରଣନୀତି ପ୍ରସ୍ତୁତ କରୁଛନ୍ତି ସରକାର । ରାଜ୍ୟରେ ଥିବା ୧୧ଟି ନଦୀ ସିଷ୍ଟମ୍ ମଧ୍ୟରୁ ମହାନଦୀ ଓ ରେଙ୍ଗାଲୀ ସିଷ୍ଟମ୍‌କୁ ବାଦ୍ ଦେଇ ବାକି ୮ଟି ନଦୀ ସିଷ୍ଟମ୍‌ର ଭିତ୍ତିଭୂମି ବିକାଶ ପାଇଁ ଦୀର୍ଘମିଆଦୀ ରୋଡମ୍ୟାପ୍ ପ୍ରସ୍ତୁତ ହେବ । ପ୍ରତି ନଦୀର ବନ୍ୟା କାରଣ ଓ ସମାଧାନ ଖୋଜାଯିବ। ଆଗାମୀ ୧୦୦ ବର୍ଷର ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଆକଳନ କରି ପ୍ରସ୍ତୁତ ହେବ ଏହି ବ୍ଲୁ-ପ୍ରିଣ୍ଟ୍ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବନ୍ୟା ବିପନ୍ନଙ୍କ ସହ ସରକାର; ୩୩%ରୁ ଅଧିକ ଫସଲ କ୍ଷତି, କ୍ଷତିଗ୍ରସ୍ତ ଘର ପାଇଁ ସହାୟତା ଘୋଷଣା

ବନ୍ୟା ଆସିଲେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ, ଆଉ ବନ୍ୟା ଛାଡ଼ିଲେ କ୍ଷୟକ୍ଷତିର ହିସାବ- ଏହି ଚିରାଚରିତ ଚିତ୍ର ବଦଳାଇବାକୁ ସରକାର ବଡ଼ ଲକ୍ଷ୍ୟ ରଖିଛନ୍ତି । ଡ୍ୟାମ୍, ବ୍ୟାରେଜ୍, ରିଙ୍ଗ୍ ରୋଡ୍ ଓ ମଜବୁତ୍ ନଦୀବନ୍ଧ ଜରିଆରେ ବନ୍ୟା ବିପତ୍ତିରୁ ଓଡ଼ିଶାକୁ ସୁରକ୍ଷିତ ରଖିବାରକୁ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର ।