Videos
|
Odisha

Odisha News / ରାଜ୍ୟରେ ୪୪ ହଜାର ୯୦୯ ଜଣ ଭୂମିହୀନ ଚିହ୍ନଟ; ରାୟଗଡ଼ା ଜିଲ୍ଲାରେ ସର୍ବାଧିକ

Sushanta Sahoo
Browse all articles by Sushanta Sahoo
·12 mins ago·2 min read
ରାଜ୍ୟରେ ୪୪ ହଜାର ୯୦୯ ଜଣ ଭୂମିହୀନ ଚିହ୍ନଟ; ରାୟଗଡ଼ା ଜିଲ୍ଲାରେ ସର୍ବାଧିକ
44,909 Landless Families in Odisha

Key Points

ନୂଆ ସରକାରରେ ୪୪ ହଜାର ୯୦୯ ଜଣ ଘରବାରୀହୀନ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୪ ହଜାର ୨୫୧ ଜଣ ଯୋଗ୍ୟ ବିବେଚିତ ଘରବାରୀହୀନ ପରିବାରଙ୍କୁ ଘରବାରୀ ଜମି ପଟ୍ଟା ପ୍ରଦାନ କରାଯାଇଛି ।
ଭୁବନେଶ୍ଵର: ପ୍ରତ୍ୟେକ ଭୂମିହୀନଙ୍କୁ ମିଳିବ ଜମି ପଟ୍ଟା । ଭୂମିହୀନଙ୍କୁ ଖୋଜି ଖୋଜି ଚିହ୍ନଟ କରି ସେମାନଙ୍କୁ ପଟ୍ଟା ଦେବା ଦାୟିତ୍ୱ ତହସିଲଦାରଙ୍କର । ପୂର୍ବରୁ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଏହି ମନ୍ତବ୍ୟ ଦେଇଥିବା ବେଳେ ଏବେ ବିଭାଗ ଭୂମିହୀନଙ୍କୁ ଖୋଜି ପଟ୍ଟା ବାଣ୍ଟୁଛି । ଏନେଇ ବିଧାନସଭାରେ ଏକ ଅଣତାରକା ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ରାଜସ୍ଵ ମନ୍ତ୍ରୀ ଗୃହରେ ଦେଇଥିବା ତଥ୍ୟ ଅନୁସାରେ, ୨୦୨୪-୨୫ରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ନୂଆ ସରକାରରେ ୪୪ ହଜାର ୯୦୯ ଜଣ ଘରବାରୀହୀନ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୪ ହଜାର ୨୫୧ ଜଣ ଯୋଗ୍ୟ ବିବେଚିତ ଘରବାରୀହୀନ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ଘରବାରୀ ଜମି ପଟ୍ଟା ପ୍ରଦାନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଭତ୍ତା ପାଇନଥିବା ହିତାଧିକାରୀଙ୍କ ବଡ଼ ଖବର; ଖୁବଶୀଘ୍ର ମିଳିବ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ 

ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୪ ହଜାର ୧୦୨ ଜଣ ଭୂମିହୀନ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରେ ସର୍ବାଧିକ ୩ ହଜାର ୯୦୮ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ସେହିଭଳି ବରଗଡ଼ରେ ଚିହ୍ନଟ ୩୩୭୩ ଜଣଙ୍କ ମଧ୍ୟରୁ ଜମି ପଟ୍ଟା ପାଇଛନ୍ତି ୨୯୪୦ ଜଣ ।

ଯାଜପୁରରେ ୨୫୬୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୦୬ ଜଣଙ୍କୁ ପଟ୍ଟା ମିଳିଛି । କୋରାପୁଟରେ ୩୪୨୦ ଜଣ ଭୂମିହୀନ ଚିହ୍ନଟ ହୋଇଥିବା ବେଳେ ପଟ୍ଟା ପାଇଛନ୍ତି ୨୬୨୪ ଜଣ । ନବରଙ୍ଗପୁରରେ ୩୪୮୩ ଭୂମିହୀନ ପରିବାର ମଧ୍ୟରୁ ୨୮୦୬ ଜଣଙ୍କୁ ମିଳିଛି ଜମି ପଟ୍ଟା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମ୍ବଲପୁରରେ ୨୦୯୭ ଭୂମିହୀନ ଚିହ୍ନଟ ହୋଇଥିବା ବେଳେ ୧୭୬୦ ଜଣ ଜମି ପଟ୍ଟା ପାଇଛନ୍ତି । ସୁନ୍ଦରଗଡ଼ରେ ୨୧୮୬ ଜମିହୀନଙ୍କ ମଧ୍ୟରୁ ୧୮୬୫ ଜଣ ପାଇଛନ୍ତି ଜମି ପଟ୍ଟା । ଜଗତସିଂହପୁରରେ ସବୁଠୁ କମ୍ ୧୧୫ ଜଣ ଭୂମିହୀନ ଚିହ୍ନଟ ହୋଇଥିବା ବେଳେ ୩୨ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି ।

ବାସହୀନଙ୍କ ପାଇଁ ଆୟ ସୀମା ବୃଦ୍ଧି

ଓଡ଼ିଶା ସରକାର ଜମିହୀନ ପରିବାରଙ୍କୁ ଘରଡିହ ଯୋଗାଇବା ପାଇଁ ବାର୍ଷିକ ପରିବାର/ବ୍ୟକ୍ତିଗତ ଆୟ ସୀମାକୁ ୧ ଲକ୍ଷ ଟଙ୍କାରୁ ୧.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ, ୧୯୬୨ ଏବଂ ଏହାର ନିୟମାବଳୀ, ୧୯୮୩ ଅନୁଯାୟୀ ଏହି ସଂଶୋଧନ କରିଛନ୍ତି ସରକାର ।

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ବାସହୀନଙ୍କୁ ସରକାରୀ ଜମି ଆବଣ୍ଟନ ପାଇଁ ବଢ଼ିଲା ଆୟ ସୀମା 

କେଉଁମାନଙ୍କୁ ମିଳିବ ଲାଭ ?

ଏହି ଆୟ ସୀମା ଘରଡିହ ନଥିବା ଯୋଗ୍ୟ ପରିବାରଙ୍କୁ ସରକାରୀ ଜମି ଆବଣ୍ଟନ ପାଇଁ ଲାଗୁ ହେବ । ଗ୍ରାମାଞ୍ଚଳରେ ଯୋଗ୍ୟ ଘରଡିହହୀନ ପରିବାରଙ୍କୁ ସାଧାରଣତଃ ସର୍ବାଧିକ ୧୦ ଡେସିମିଲ୍‌ ଅନାପତ୍ତିଯୋଗ୍ୟ ସରକାରୀ ଜମି ଆବଣ୍ଟନ କରାଯାଇଥାଏ । ତେବେ, ବସୁନ୍ଧରା ଭଳି କେତେକ ନିର୍ଦ୍ଦିଷ୍ଟ ଗ୍ରାମୀଣ ଆବାସ ଯୋଜନାରେ ସର୍ବାଧିକ ୪ ଡେସିମିଲ୍‌ ଜମି ଦିଆଯାଇଥାଏ ।

ରାଜସ୍ଵ ବିଭାଗ ୨୦୨୩ ଫେବ୍ରୁଆରୀ ୨୨ ତାରିଖରେ ଶେଷଥର ପାଇଁ ଏହି ଆୟ ସୀମାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲା । ବର୍ତ୍ତମାନ ଏହାକୁ ଆଉ ୫୦ ହଜାର ଟଙ୍କା ବଢ଼ାଯାଇଛି । ଏହାଦ୍ଵାରା ରାଜ୍ୟର ବାସହୀନ ପରିବାର ଉପକୃତ ହୋଇପାରିବେ ।