Videos
|
Odisha

Pending Bhata / ଭତ୍ତା ପାଇନଥିବା ହିତାଧିକାରୀଙ୍କ ବଡ଼ ଖବର; ଖୁବଶୀଘ୍ର ମିଳିବ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ଭତ୍ତା ପାଇନଥିବା ହିତାଧିକାରୀଙ୍କ ବଡ଼ ଖବର; ଖୁବଶୀଘ୍ର ମିଳିବ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ
Odisha Pending Pension

Key Points

ଆପଣ ବି ଭତ୍ତା ପାଇନାହାନ୍ତି କି ?
ଆସିଲା ବକେୟା ଭତ୍ତାକୁ ନେଇ ବଡ଼ ଖବର
ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ
ଭୁବନେଶ୍ଵର: ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ତୃତୀୟ ଦିନରେ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତାକୁ ନେଇ ବଡ଼ ଖବର । ବୈଷୟିକ ତ୍ରୁଟି ବ୍ୟାଙ୍କ ଲିଙ୍କେଜ୍ ସମସ୍ୟା ଯୋଗୁଁ ଗତ ଏପ୍ରିଲ ମାସରୁ ଭତ୍ତା ପାଇନଥିବା ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ଭତ୍ତା । ଏନେଇ ନିଜେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି । ନଭେମ୍ବର ଶେଷ ସୁଦ୍ଧା ବକେୟା ଭତ୍ତା ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

  • ଆଧାର ଲିଙ୍କ ସମସ୍ୟା ଯୋଗୁଁ ମିଳିନି ଭତ୍ତା
ନଭେମ୍ବର ଶେଷରେ ମିଳିବ ବକେୟା ଭତ୍ତା । ବୈଷୟିକ ତ୍ରୁଟି ବ୍ୟାଙ୍କ ଲିଂକେଜ ସମସ୍ୟା ଯୋଗୁଁ ଭତ୍ତା ପାଇନଥିବା ହିତାଧିକାରୀଙ୍କ ବଡ଼ ଖବର । କେନ୍ଦ୍ରୀୟ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଭତ୍ତା ପାଉଥିବା ହିତାଧିକାରୀ ମାନେ ଏପ୍ରିଲ ମାସରୁ କିଛି ମାସର ଭତ୍ତା ପାଇନାହାନ୍ତି । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଲିଙ୍କ ସମସ୍ୟା ଯୋଗୁଁ ୭ ହଜାର ୯ ଶହ ୧୮ ହିତାଧିକାରୀଙ୍କ ଗତ ଏପ୍ରିଲ ମାସରୁ ବିଭିନ୍ନ ମାସରେ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ପାଇଯାଇନଥିବା କଥା ସରକାରଙ୍କ ଅବଗତିରେ ଅଛି ।

  • ନଭେମ୍ବର ଶେଷ ସୁଦ୍ଧା ମିଳିବ ବକେୟା ଭତ୍ତା
ଏଥିପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଟ୍ରେଜେରୀର ମିଳିତ ସହଯୋଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଛୁଟି ପୂର୍ବରୁ ଭତ୍ତା ପାଇନଥିବା ହିତାଧିକାରୀମାନଙ୍କୁ ଚଳିତ ମାସ ଶେଷ ସୁଦ୍ଧା ବକେୟା ସହ ଭତ୍ତା ପ୍ରଦାନ କରାଯିବାକୁ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ସମୁଦାୟ ୨୦ ଲକ୍ଷ ୩୩ ହଜାର ୯ ଶହ ୫୧ ଜଣ ହିତାଧିକାରୀ ଅଛନ୍ତି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

  • ଇନ୍ଦିରା ଗାନ୍ଧୀ ଭତ୍ତା ସମ୍ପର୍କରେ...
ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଯୋଜନା ହେଉଛି ଭାରତ ସରକାରଙ୍କ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ଚାଲୁଥିବା ୩ଟି ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା । ଦାରିଦ୍ର୍ୟ ସୀମାରେଖା ତଳେ (BPL) ବାସ କରୁଥିବା ଅସହାୟ ବୃଦ୍ଧବୃଦ୍ଧା, ବିଧବା ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ନାଗରିକଙ୍କୁ ପ୍ରଦାନ କରାଯାଏ । କେନ୍ଦ୍ର ସରକାରଙ୍କ ତରଫରୁ ୬୦-୭୯ ବର୍ଷ ବୟସ୍କଙ୍କୁ ମାସିକ ୨୦୦ରୁ ୩୦୦ ଟଙ୍କା ଏବଂ ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ₹୫୦୦ ଦିଆଯାଏ । ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅଂଶ ମିଶିବା ପରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମାସିକ ₹୩,୫୦୦ ପର୍ଯ୍ୟନ୍ତ ଭତ୍ତା ମିଳୁଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢିଲା ମହଙ୍ଗା ଭତ୍ତା

ସେହିପରି ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତାରେ ବିପିଏଲ ପରିବାରର ୪୦ରୁ ୭୯ ବର୍ଷ ବୟସ ମଧ୍ୟରେ ଥିବା ବିଧବା ମହିଳାଙ୍କୁ ମାସିକ ₹୩୦୦ ଏବଂ ୮୦ ବର୍ଷରୁ ଅଧିକ ହେଲେ ₹୫୦୦ ମିଳେ । ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା କଥା କହିଲେ, ୧୮ରୁ ୭୯ ବର୍ଷ ବୟସ ମଧ୍ୟରେ ଥିବା BPL ପରିବାରର ବ୍ୟକ୍ତି, ଯେଉଁମାନଙ୍କର ୮୦% କିମ୍ବା ତା’ଠାରୁ ଅଧିକ ଶାରୀରିକ ବା ମାନସିକ ଭିନ୍ନକ୍ଷମତା ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ । ସେମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାସିକ ₹୩୦୦ (୮୦ ବର୍ଷରୁ ଊର୍ଦ୍ଧ୍ୱ ହେଲେ ₹୫୦୦) ମିଳୁଥିବା ବେଳେ, ଓଡ଼ିଶା ସରକାରଙ୍କ ବର୍ଦ୍ଧିତ ସହାୟତା ଅନୁଯାୟୀ ୮୦% ବା ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ₹୩,୫୦୦ ଦିଆଯାଉଛି ।