Videos
|
Odisha

Air Pollution / ବାଣ ଧୂଆଁ ସାଙ୍ଗକୁ ଶୀତ ବଢ଼ାଇଲା ପ୍ରଦୂଷଣ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବାଣ ଧୂଆଁ ସାଙ୍ଗକୁ ଶୀତ ବଢ଼ାଇଲା ପ୍ରଦୂଷଣ
Odisha AQI After Diwali

Key Points

ଦୀପାବଳି ପରେ ବାଣ ଫୁଟାର ପ୍ରଭାବରେ ବିଗିଡ଼ିଛି ବିଭିନ୍ନ ସହରର ବାୟୁର ମାନ । ରାଜଧାନୀ ଭୁବନେଶ୍ଵର ସକାଳୁ ସକାଳୁ ଧୂଆଁ ଓ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଯାଇଛି । କେବଳ ବାଣ ନୁହେଁ, ଖଣି ଓ ଶିଳ୍ପାଞ୍ଚଳର ପ୍ରଦୂଷଣ ମଧ୍ୟ ଏହି ସମସ୍ୟାକୁ ଦ୍ଵିଗୁଣିତ କରିଛି ।
ଭୁବନେଶ୍ଵର: ଆଲୋକର ପର୍ବ ଦୀପାବଳି ପରେ ଏବେ ରାଜ୍ୟରେ ବଢ଼ିଛି ପ୍ରଦୂଷଣର ଚିନ୍ତା । ବାଣ ଫୁଟାର ପ୍ରଭାବରେ ବିଗିଡ଼ିଛି ବିଭିନ୍ନ ସହରର ବାୟୁର ମାନ । ରାଜଧାନୀ ଭୁବନେଶ୍ଵର ସକାଳୁ ସକାଳୁ ଧୂଆଁ ଓ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଯାଇଥିବା ବେଳେ ତାଳଚେରରେ ସ୍ଥିତି ଆହୁରି ଚିନ୍ତାଜନକ । କେବଳ ବାଣ ନୁହେଁ, ଖଣି ଓ ଶିଳ୍ପାଞ୍ଚଳର ପ୍ରଦୂଷଣ ମଧ୍ୟ ଏହି ସମସ୍ୟାକୁ ଦ୍ଵିଗୁଣିତ କରିଛି ।

ଦୀପାବଳିରେ ରଙ୍ଗୀନ ଆଲୋକ ଓ ବାଣର ଶବ୍ଦରେ ଉତ୍ସବ ମୁଖର ହୋଇଥିଲା ପରିବେଶ । ହେଲେ ପର୍ବ ସରିବା ପରେ ସାମ୍ନାକୁ ଆସିଛି ପ୍ରଦୂଷଣର କୁପ୍ରଭାବ । ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ଅନେକ ସହରରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି । ସକାଳୁ ଭୁବନେଶ୍ଵର ଆକାଶରେ ଧୂଆଁ ଓ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି ।

ଏଥିସହ ପଢ଼ନ୍ତୁ: କ୍ଳାସ୍ ରୁମ୍‌ରେ ଟଳିପଡ଼ିଲେ ଅଷ୍ଟମ ଛାତ୍ରୀ; ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବୟାନକୁ ନେଇ ବଢ଼ିଲା ସନ୍ଦେହ 

ସକାଳ ୧୧ଟା ୩୦ ସୁଦ୍ଧା ତାଳଚେରରେ AQI ୨୮୧ ରେକର୍ଡ ହୋଇଥିବା ବେଳେ ବିଲେଇପଦାରେ ୨୫୮, ଭୁବନେଶ୍ୱରରେ ୨୦୬, କଟକରେ ୧୯୨, ଅନୁଗୁଳରେ ୧୮୬ ଏବଂ ରାଉରକେଲାରେ ୧୭୮ ରହିଛି । ବିଶେଷକରି ତାଳଚେର, ଭୁବନେଶ୍ଵର ଓ କଟକର ବାୟୁ ଗୁଣବତ୍ତା 'ଖରାପ' ଶ୍ରେଣୀରେ ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାରମ୍ପରିକ ବାଣ ଫୁଟାଇବା ଯୋଗୁଁ ବାୟୁମଣ୍ଡଳରେ PM10 ଓ PM2.5 ଭଳି କ୍ଷୁଦ୍ର ଧୂଳିକଣାର ମାତ୍ରା ବଢ଼ିଛି । ତାପମାତ୍ରା ହ୍ରାସ ଓ ତାପମାତ୍ରାରେ ବ୍ୟତିକ୍ରମ (Temperature Inversion) ଯୋଗୁଁ ଏହି ପ୍ରଦୂଷିତ ବାୟୁ ଭୂପୃଷ୍ଠ ନିକଟରେ ଅଟକି ରହିଥିବା ବେଳେ ଖଣି ଓ ଶିଳ୍ପାଞ୍ଚଳର ଧୂଳି-ଧୂଆଁ ସ୍ଥିତିକୁ ଆହୁରି ଜଟିଳ କରିଛି ।

ବାଣ ଫୁଟାର ପ୍ରଭାବ କେବଳ ବାୟୁର ମାନକୁ ଖରାପ କରୁନାହିଁ । ମଣିଷର ସ୍ଵାସ୍ଥ୍ୟ ପାଇଁ ମଧ୍ୟ ବଡ଼ ବିପଦ ସୃଷ୍ଟି କରୁଛି । ବାଣରୁ ନିର୍ଗତ PM2.5, PM10 ସହ ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ ଡାଇଅକ୍ସାଇଡ୍ ଓ କାର୍ବନ ମୋନୋକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ବାୟୁକୁ ପ୍ରଦୂଷିତ କରୁଛି । ଏପରିକି ଲେଡ୍, ଷ୍ଟ୍ରୋନସିୟମ୍, କାଡମିୟମ୍ ଓ ଆଲୁମିନିୟମ୍ ଭଳି ଭାରି ଧାତୁ ମଧ୍ୟ ବାୟୁରେ ମିଶି ବିଷାକ୍ତ କୁହୁଡ଼ି ସୃଷ୍ଟି କରୁଛି ।

ଏହାର ସବୁଠାରୁ ଅଧିକ ପ୍ରଭାବ ଛୋଟ ପିଲା, ବୟସ୍କ ଓ ଆଜ୍‌ମା, ବ୍ରୋଙ୍କାଇଟିସ୍, ହୃଦ୍‌ରୋଗ ଭଳି ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କ ଉପରେ ପଡ଼ୁଛି । ଅନ୍ୟପଟେ କେବଳ ବାୟୁ ନୁହେଁ, ଜଳ, ମୃତ୍ତିକା ଓ ଶବ୍ଦ ପ୍ରଦୂଷଣ ମଧ୍ୟ ପରିବେଶର ସନ୍ତୁଳନ ବିଗାଡ଼ୁଛି । ନିକଟରେ ଜଟଣୀରେ ଗଣେଶ ପୂଜା ବିସର୍ଜନ ସମୟରେ ଅତ୍ୟଧିକ ଡିଜେ ଶବ୍ଦ ଯୋଗୁଁ ଘଟିଥିବା ଅଘଟଣ, ଶବ୍ଦ ପ୍ରଦୂଷଣର ଭୟାବହତାକୁ ସାମ୍ନାକୁ ଆଣିଥିଲା ।

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ପୁଣି ବଦଳିବ ପାଗର ମିଜାଜ୍; ଆସୁଛି ବର୍ଷା, ଆଗକୁ ବଢିବ ଶୀତ 

ତାପମାତ୍ରା ବଢ଼ିଲେ ବାୟୁର ଗୁଣବତ୍ତାରେ ସୁଧାର ଆସିବା ନେଇ ଆଶା ରହିଛି । ଏଥିପାଇଁ କେବଳ ପ୍ରଶାସନିକ କଟକଣା ନୁହେଁ, ଜନସାଧାରଣଙ୍କ ସଚେତନତା ଅତ୍ୟନ୍ତ ଜରୁରୀ ।

ପର୍ବପର୍ବାଣୀର ଆନନ୍ଦ ଭିତରେ ପରିବେଶ ସୁରକ୍ଷାକୁ ଭୁଲିଗଲେ, ଏହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଓ ଆଗାମୀ ପିଢ଼ି ଉପରେ ପଡ଼ିବା ନିଶ୍ଚିତ । ପରିବେଶକୁ ସୁରକ୍ଷିତ ରଖିବା ଏବଂ ପ୍ରଦୂଷଣରୁ ନିଜକୁ ଓ ନିଜ ପରିବାରକୁ ରକ୍ଷା କରିବା ପାଇଁ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ ।