Videos
|
Odisha

Odisha News / ବାଥରୁମ୍ ଯିବା ପାଇଁ ପାଣି ବାଲ୍ଟି ଧରି ଶିଡ଼ି ଚଢ଼ୁଥିଲେ ଛାତ୍ର; ହଠାତ୍ ଖସି ପଡ଼ିବାରୁ ଚାଲିଗଲା ଜୀବନ

Sushanta Sahoo
Browse all articles by Sushanta Sahoo
·54 mins ago·2 min read
ବାଥରୁମ୍ ଯିବା ପାଇଁ ପାଣି ବାଲ୍ଟି ଧରି ଶିଡ଼ି ଚଢ଼ୁଥିଲେ ଛାତ୍ର; ହଠାତ୍ ଖସି ପଡ଼ିବାରୁ ଚାଲିଗଲା ଜୀବନ
Class 6 Student Dies at Ashram School

Key Points

ଶିଡ଼ିରୁ ଖସି ପଡ଼ିବାରୁ ଚାଲିଗଲା ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଜୀବନ । ଏଭଳି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚାଟିଗୁଡ଼ା ପଞ୍ଚାୟତ ଜାମଗୁଡ଼ା ଆଶ୍ରମ ସ୍କୁଲ୍‌ରେ ।
ଝରିଗାଁ (ନବରଙ୍ଗପୁର): ଆଶ୍ରମ ବିଦ୍ୟାଳୟରେ ଅଘଟଣ । ଶିଡ଼ିରୁ ଖସି ପଡ଼ିବାରୁ ଚାଲିଗଲା ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଜୀବନ । ଏଭଳି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚାଟିଗୁଡ଼ା ପଞ୍ଚାୟତ ଜାମଗୁଡ଼ା ଆଶ୍ରମ ସ୍କୁଲ୍‌ରେ ।

ସୂଚନା ଅନୁସାରେ, ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ରୂପେନ୍ଦ୍ର ଭତ୍ରା ଶୁକ୍ରବାର ଅପରାହ୍ଣ ୫ଟା ସମୟରେ ବାଥରୁମ୍ ଯିବାକୁ ବାହାରିଥିଲେ । ବାଥରୁମ୍ ଯିବା ଲାଗି ରୂପେନ୍ଦ୍ର ପାଣି ବାଲ୍ଟିକୁ ଧରି ଶିଡ଼ି ଚଢ଼ୁଥିବା ବେଳେ ହଠାତ୍ ଗୋଡ଼ ଖସିଯିବାରୁ ସେ ତଳେ ପଡ଼ି ଯାଇଥିଲେ ।

ଏଥିସହ ପଢ଼ନ୍ତୁ: ଘରୋଇ ବସ୍‌ ଧକ୍କାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ 

ରୂପେନ୍ଦ୍ରଙ୍କୁ ଆହତ ଅବସ୍ଥାରେ ଆଶ୍ରମ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଉମରକୋଟ ଉପଖଣ୍ଡ ମେଡିକାଲ ନେଇ ଯାଇଥିଲେ । ପରିବାର ଲୋକଙ୍କୁ ରୂପେନ୍ଦ୍ର ପଡ଼ି ଯାଇଥିବା ନେଇ ଖବର ଦେଇଥିଲେ । ତେବେ, ହସ୍ପିଟାଲ୍‌ରେ ଡାକ୍ତର ରୂପେନ୍ଦ୍ରକୁ ମୃତ ଘୋଷଣା କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୃତକ ଡଙ୍ଗରିଗୁଡ଼ା ପଞ୍ଚାୟତର କୁସୁମଗୁଡ଼ା ଗାଁର ଫଗୁଣଭତ୍ରାଙ୍କ ପୁଅ ରୂପେନ୍ଦ୍ର ଭତ୍ରା । ରୂପେନ୍ଦ୍ରଙ୍କ ଦାଦା କହିଛନ୍ତି, "ବଡ଼ ଭାଇଙ୍କ ୨ ପୁଅ ଆଶ୍ରମ ସ୍କୁଲ୍‌ରେ ରହି ପାଠ ପଢ଼ୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ଆମକୁ ଫୋନ୍ ଆସିଲା ରୂପନ୍ଦ୍ର ପଡ଼ି ଯାଇଛି, ଆମେ ମେଡିକାଲ୍ ନେଉଛୁ । ଆମେ ସନ୍ଧ୍ୟା ୬ଟା ୧୩ରେ କଲ୍ ପାଇ ମେଡିକାଲ୍ ପହଞ୍ଚିବା ବେଳକୁ ସାନ ପୁଅ ଆଉ ନଥିଲା ।"

ଏଥିପାଇଁ ରୂପେନ୍ଦ୍ରଙ୍କ ଦାଦା ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଆମେ ବିଶ୍ଵାସର ହଷ୍ଟେଲରେ ପୁଅକୁ ଛାଡ଼ିଥିଲୁ । ଏନେଇ ଆମେ ଥାନାରେ ଏତଲା ଦେଇଛୁ । ଆମକୁ ନ୍ୟାୟ ଦରକାର ବୋଲି କହିଛନ୍ତି ମୃତ ରୂପେନ୍ଦ୍ର ଦାଦା ।


ଏଥିସହ ପଢ଼ନ୍ତୁ: ଅର୍ଥ ହେରଫେର ମାମଲାରେ ୩ ସରକାରୀ କର୍ମଚାରୀ ଗିରଫ

୫ ଦିନ ହେଲା ପାଣି ସମସ୍ୟା

ମିଳିଥିବା ସୂଚନା ଅନୁସାରେ, ଜାମଗୁଡ଼ା ଆଶ୍ରମ ସ୍କୁଲ୍‌ରେ ପ୍ରାୟ ୫ ଦିନ ହେଲା ପାଣି ସମସ୍ୟା ଲାଗି ରହିଛି । ପାଣି ମଟର ଖରାପ ହୋଇ ଯାଇଥିବାରୁ ଟାଙ୍କିରେ ପାଣି ଭର୍ତ୍ତି ହୋଇପାରୁ ନାହିଁ । ଫଳରେ ହଷ୍ଟେଲରେ ରହୁଥିବା ପିଲମାନେ ଗାଧୋଇବା ଓ ବାଥରୁମ୍ ଯିବା ପାଇଁ ତଳୁ ବାଲ୍ଟିରେ ପାଣି ଭର୍ତ୍ତି କରି ଶିଡ଼ିରେ ଉପର ମହଲାକୁ ନେଇ ଯାଉଛନ୍ତି ।

ଶୁକ୍ରବାର ମଧ୍ୟ ସନ୍ଧ୍ୟା ପ୍ରାର୍ଥନା ସରିବା ପରେ ରୂପେନ୍ଦ୍ର ପାଣି ବାଲ୍ଟି ଧରି ଉପର ମହଲାକୁ ଯିବାବେଳେ ଖସି ପଡ଼ିଥିବା କୁହାଯାଉଛି । ତେବେ ପରିବାର ଲୋକଙ୍କ କହିବା ଅନୁସାରେ, ପୁଅ ଯଦି ଶିଡ଼ିରୁ ଖସି ପଡ଼ିଲା ଦେହରେ କୌଣସି କ୍ଷତ ଚିହ୍ନା କିମ୍ବା ଆଘାତ ଲାଗିବା କଥା । କିନ୍ତୁ ଆଘାତର ଚିହ୍ନ ହିଁ ନାହିଁ । ପରିବାର ଲୋକଙ୍କ ଏଭଳି ଅଭିଯୋଗ ଷଷ୍ଠ ଶ୍ରେଣୀ ଛାତ୍ର ରୂପେନ୍ଦ୍ରର ମୃତ୍ୟୁକୁ ଆହୁରି ରହସ୍ୟଜନକ କରିଛି । ଏନେଇ ଜାମଗୁଡ଼ା ଆଶ୍ରମ ସ୍କୁଲ୍‌ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।