Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Hlca meeting / ବୃହତ ପୁଞ୍ଜିନିବେଶ ପାଇଁ ଫିଟିଲା ବାଟ,୪୪ ହଜାର ୨୦୦ କୋଟିରୁ ଅଧିକ ପୁଞ୍ଜିନିବେଶକୁ ମିଳିଲା ମଞ୍ଜୁରୀ,ସୃଷ୍ଟି ହେବ ୯ ହଜାର ନିଯୁକ୍ତି

Bikash Mohanty
Browse all articles by Bikash Mohanty
·4 months ago·4 min read
ବୃହତ ପୁଞ୍ଜିନିବେଶ ପାଇଁ ଫିଟିଲା ବାଟ,୪୪ ହଜାର ୨୦୦ କୋଟିରୁ ଅଧିକ ପୁଞ୍ଜିନିବେଶକୁ ମିଳିଲା ମଞ୍ଜୁରୀ,ସୃଷ୍ଟି ହେବ ୯ ହଜାର ନିଯୁକ୍ତି
Hlca

Key Points

ବୃହତ ପୁଞ୍ଜିନିବେଶ ପାଇଁ ଫିଟିଲା ବାଟ
୪୪, ୨୦୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁରି
ହାଇ ଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକରେ ମଞ୍ଜୁରି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ

ବୃହତ ପୁଞ୍ଜିନିବେଶ ପାଇଁ ଫିଟିଲା ବାଟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୪୪ ତମ ହାଇ ଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକରେ ୪୪, ୨୦୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ରାଜ୍ୟର ୮ଟି ଜିଲ୍ଲାରେ ଏହି ୧୦ଟି ପ୍ରକଳ୍ପ ସ୍ଥାପନ କରାଯିବ, ଯାହାଦ୍ୱାରା ପ୍ରାୟ ୯ ହଜାର ନିଯୁକ୍ତି ସୃଷ୍ଟି ହେବ ।ଏହି ଜିଲ୍ଲାଗୁଡ଼ିକ ହେଉଛି- ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଓ ଦେବଗଡ଼ । ରେଆର ଆର୍ଥ ମାନୁଫାକ୍ଚରିଙ୍ଗ୍, ସେମିକଣ୍ଡକ୍ଟର, ସିମେଣ୍ଟ, ଅଟୋମୋବାଇଲ ଓ ଅଟୋକମ୍ପୋନେଣ୍ଟ, ଟେଲିକମ୍ ଭିତ୍ତିଭୂମି ଏବଂ ଶକ୍ତି ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବ ଗୁଡ଼ିକୁ ମଞ୍ଜୁର କରାଯାଇଛି ।

ବୈଠକରେ ପୁଞ୍ଜି ଆକର୍ଷଣ ଓ ପୁଞ୍ଜି ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ଓଡ଼ିଶାର ଉଚ୍ଚ ପ୍ରଦର୍ଶନ ପାଇଁ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏବେ ପାରମ୍ପରିକ ଶିଳ୍ପ ବ୍ୟତୀତ ଆଧୁନିକ, ଟେକ୍ନୋଲୋଜି ପରିଚାଳିତ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ଏହି HLCA ଗୁଡିକ ଜରିଆରେ ଆମେ ଏବେ ଉଦୀୟମାନ ଶିଳ୍ପ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିପାରୁଛୁ । ବିଶେଷକରି ଆଧୁନିକ ମାନୁଫାକ୍ଚରିଙ୍ଗ୍ ଓ ନବୀକରଣୀୟ ଶକ୍ତି ଉତ୍ପାଦନରେ ଓଡ଼ିଶାର ସ୍ଥିତି ସୁଦୃଢ଼ ହେଉଛି । ଏହାଦ୍ୱାରା ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ତ୍ୱରାନ୍ୱିତ ହୋଇପାରୁଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେବଳ ପୁଞ୍ଜି ଆକର୍ଷଣ କରିବା ଆମର ଲକ୍ଷ୍ୟ ନୁହେଁ, ଏହା ଯେପରି ତୁରନ୍ତ କାର୍ଯ୍ୟକାରୀ ହେବ, ତାକୁ ସୁନିଶ୍ଚିତ କରିବା ଦରକାର । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ ହୋଇ ଉତ୍ପାଦନ ଆରମ୍ଭ ହେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ସେ କହିଥିଲେ। ଏଥିପାଇଁ ଅଧିକାରୀମାନେ ଟିମ୍ ଓଡ଼ିଶାର ମନୋଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ । ସମସ୍ତଙ୍କ ସମନ୍ୱୟରେ ଆମର କାର୍ଯ୍ୟଶୈଳୀରେ ଉନ୍ନତି ଆସିପାରିବ ଏବଂ ଆମର ସଂସ୍ଥାଗତ ବ୍ୟବସ୍ଥା ଗୁଡ଼ିକୁ ସୁଦୃଢ଼ ହୋଇପାରିବ ବୋଲି ସେ କହିଥିଲେ ।

HLCAର ସଦସ୍ୟ ଓ ଅଧିକାରୀମାନଙ୍କୁ ପୁଞ୍ଜିନିବେଶରେ ଅଧିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଏକ ୩-ସୂତ୍ରୀ ଆକ୍ସନ ପ୍ଲାନ ଦେଇଛନ୍ତି । ପ୍ରଥମଟି ହେଉଛି ଯେ, ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ତେଣୁ ଆମକୁ ଏ କ୍ଷେତ୍ରରେ ଆମର ଅଭିଯାନକୁ ଆହୁରି ସୁଦୃଢ କରିବାକୁ ପଡିବ। ଦ୍ବିତୀୟ ହେଲା, ଆମର ଫଙ୍କସ୍ନାଲ୍ ସିଷ୍ଟମକୁ ଆହୁରି ଉନ୍ନତ କରିବାକୁ ପଡିବ। ଏହାଦ୍ବାରା ଶିଳ୍ପ ସ୍ଥାପନ କ୍ଷେତ୍ରରେ ଅଧିକ ଗତି ଆସିବ ଏବଂ ଶିଳ୍ପାୟନ ପ୍ରକ୍ରିୟା ମଧ୍ୟ ସହଜ ହେବ। ତୃତୀୟ ବିଷୟଟି ହେଉଛି, ପ୍ରକଳ୍ପ ଗୁଡିକୁ ଗ୍ରାଉଣ୍ଡିଙ୍ଗ୍ କରିବା ପାଇଁ ଯେତିକି ସମୟ ଲାଗୁଛି, ତାକୁ ଆହୁରି କମ୍ କରିବାକୁ ପଡିବ। ଯେଉଁ ରାଜ୍ୟରେ ଶିଳ୍ପ ପ୍ରକଳ୍ପ ଗୁଡିକ ସବୁଠାରୁ କମ୍ ସମୟ ମଧ୍ୟରେ ଗ୍ରାଉଣ୍ଡିଙ୍ଗ ହେଉଥିବ, ନିବେଶକ ମାନେ ସେଠାକୁ ଯିବାପାଇଁ ଅଧିକ ପସନ୍ଦ କରିବେ। ତେଣୁ, ଆମକୁ ଏହିସବୁ ବିଷୟ ଗୁଡିକ ପ୍ରତି ଅଧିକ ଧ୍ୟାନ ଦେଇ ଏକ ଫୋକସ୍ଡ ଆପ୍ରୋଚ୍ ନେଇ ଉଦ୍ୟମ ଅବ୍ୟାହତ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପଢନ୍ତୁ ଏହି ଖବର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପୁରୀ ଜିଲ୍ଲା; ଦ୍ଵିତୀୟ ପସନ୍ଦ ପାଲଟିଲା କୋଣାର୍କ

ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି- ASP Semicon Private Limited । ଏହି କମ୍ପାନୀ ୪,୬୨୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ଏକ ସେମିକଣ୍ଡକ୍ଟର ମେମୋରୀ ଚିପ୍ ମଡ୍ୟୁଲ୍ ପ୍ଲାଣ୍ଟ ସ୍ଥାପନ କରିବ । ଏହାଦ୍ୱାରା ପ୍ରାୟ ୨୫୦୦ ନିଯୁକ୍ତି ସୃଷ୍ଟି ହେବ । ସେହିପରି Magnova Private Limited ଖୋର୍ଦ୍ଧାରେ ୧୦୫୦ କୋଟି ଟଙ୍କା ବିନିଯୋଗରେ ଏକ ଇଣ୍ଟିଗ୍ରେଟେଡ୍ ହାଇ ପରଫର୍ମାନ୍ସ ମ୍ୟାଗନେଟ ମାନୁଫାକ୍ଚରିଙ୍ଗ୍ ଫାସିଲିଟି ନିର୍ମାଣ କରିବ । ସେମିକଣ୍ଡକ୍ଟର ଓ ରେଆର ଆର୍ଥ କ୍ଷେତ୍ରରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିବେଶ ଓଡ଼ିଶାକୁ ଆଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଣୀ କରିବାରେ ସହାୟକ ହେବ ।

ସେହିପରି Bharat Forge Limited ଢେଙ୍କାନାଳରେ ୩୦୦୦ କୋଟି ଟଙ୍କା ବିନିଯୋଗରେ ଏକ ଅଟୋମୋଟିଭ୍, ଏରୋସ୍ପେଶ୍ ଓ ଡିଫେନ୍ସ ଉପକରଣ ନିର୍ମାଣ ୟୁନିଟ ସ୍ଥାପନ କରିବ । ଏହାଦ୍ୱାରା ୧୦୦୦ ନିଯୁକ୍ତି ସ୍ଥାପନ କରିବ ।

ସିମେଣ୍ଟ କ୍ଷେତ୍ରରେ ମଧ୍ୟ ଦୁଇଟି ପ୍ରସ୍ତାବ ଅନୁମୋଦନ ପାଇଛି । କୋରାପୁଟରେ NCL Industries Limited ୨୦୦୦ କୋଟି ଟଙ୍କା ବିନିଯୋଗରେ, ଏବଂ ମାଲକାନଗିରିରେ Dalmia Cement (Bharat) Ltd 2000 କୋଟି ଟଙ୍କା ବିନିଯୋଗରେ ସିମେଣ୍ଟ ପ୍ରସ୍ତୁତି ୟୁନିଟ ପ୍ରତିଷ୍ଠା କରିବେ । ଏହି ଦୁଇଟି କମ୍ପାନୀ ଦ୍ୱାରା ଦକ୍ଷିଣ ଓଡ଼ିଶାରେ ୨୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସେହିପରି ନବୀକରଣୀୟ ଶକ୍ତି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁରୀ ହାସଲ କରିଛି । ନବୀକରଣୀୟ ଶକ୍ତି ଭିତ୍ତିଭୂମି ନିର୍ମାଣ ପାଇଁ Adani Hydro Energy Twelve Ltd ନୟାଗଡ଼ରେ ୯, ୭୩୧.୪୭ କୋଟି, Sangamam CD Hydro Consortium କୋରାପୁଟରେ ୯୦୦୦ କୋଟି, Greenko OR01 IREP Private Ltd କଳାହାଣ୍ଡିରେ ୭୫୦୬.୯୪ କୋଟି ଏବଂ Jindal Green PSP Two Private Ltd ଦେବଗଡ଼ରେ ୩୭୧୧.୫୬ କୋଟି ଟଙ୍କା ବିନିଯୋଗରେ ପମ୍ପ୍ଡ ଷ୍ଟୋରେଜ୍ ହାଇଡ୍ରୋ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବେ ।

ଟେଲିକମ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୁରୀରେ Shreetech Data Limited-CLS କମ୍ପାନୀ ୧୬୨୨ କୋଟି ଟଙ୍କା ବିନିଯୋଗ କରି ଏକ କେବୁଲ ଲ୍ୟାଣ୍ଡିଙ୍ଗ୍ ଷ୍ଟେସନ ପ୍ରତିଷ୍ଠା କରିବ । ଏହାଦ୍ୱାରା ଡିଜିଟାଲ କନେକ୍ଟିଭିଟିରେ ଓଡ଼ିଶାର ଗୁରୁତ୍ୱ ବୃଦ୍ଧି ପାଇବା ସହିତ ଦେଶର ପୂର୍ବ ଉପକୂଳରେ ଓଡ଼ିଶା ଏକ ଷ୍ଟ୍ରାଟେଜିକ୍ ଗେଟ୍-ୱେ ଭାବେ ପ୍ରତିଷ୍ଠା ହାସଲ କରିବ ।

ଏଥିସହ ପଢ଼ନ୍ତୁ: ସପିଂରୁ ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି; ୯୦୫ ଷ୍ଟଲ୍ ସହ ଆରମ୍ଭ ହେଲା ବଡ଼ ମେଳା



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hlca meeting | Odisha Clears ₹44,200 Crore Investment Proposals, 9,000 Employment Opportunities Expected | Argus News