Videos
|
Odisha

Odisha Vigilance / ଦୁର୍ନୀତି ରୋକିବାକୁ ଜନଶୁଣାଣି କାର୍ଯ୍ୟକ୍ରମ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·57 mins ago·4 min read
ଦୁର୍ନୀତି ରୋକିବାକୁ ଜନଶୁଣାଣି କାର୍ଯ୍ୟକ୍ରମ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ: ମୁଖ୍ୟମନ୍ତ୍ରୀ
Odisha CM public hearings against corruption

Key Points

ରାଜ୍ୟର ପ୍ରଗତି ସହିତ ତାଳ ମିଳାଇ ଓଡ଼ିଶା ଭିଜିଲାନ୍ସକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ ହେବ । ଏଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ଵର: ପୂର୍ବ ପରି ଶାସନ ଆଇଭରି ଟାୱାରରୁ ଚାଲୁ ନାହିଁ । ସରକାର ଲୋକଙ୍କ ପାଖକୁ ଯାଉଛନ୍ତି । ଲୋକଙ୍କ କଥା ଶୁଣୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ କାର୍ଯ୍ୟକ୍ରମ ଅବସରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, "ଆମ ସରକାରଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ତୃଣମୂଳସ୍ତରରେ ଦୁର୍ନୀତିକୁ ରୋକିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଜନଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ଦୁର୍ନୀତି ବିଷୟରେ ଅବଗତ କରାଉଛନ୍ତି ଓ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି ।"

ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ପଦାଧିକାରୀ ଓ ଅତିଥିମାନଙ୍କୁ ଦୁର୍ନୀତି ବିରୋଧରେ ସାଧୁତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଭିଜିଲାନ୍ସ ବିଭାଗ ହେଉଛି ଗୁଡ୍‌ ଗଭର୍ଣ୍ଣାନ୍ସର ଆଖି ଓ କାନ । ଗୁଡ୍ ଗଭର୍ଣ୍ଣାନ୍ସ ମାନେ କେବଳ ନୀତି ଓ ଯୋଜନା ପ୍ରଣୟନ କରିବା ନୁହେଁ, ଏହାର ପ୍ରକୃତ ଅର୍ଥ ହେଉଛି ଦୁର୍ନୀତିକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇ ଉଦ୍ଦିଷ୍ଟ ଅର୍ଥ ଯେଉଁ କାରଣ ପାଇଁ ପ୍ରାବଧାନ କରାଯାଇଛି, ଯାହାଙ୍କ ପାଇଁ କରାଯାଇଛି, ତାଙ୍କ ପାଖରେ ପହଞ୍ଚିବାକୁ ଶତପ୍ରତିଶତ ସୁନିଶ୍ଚିତ କରିବା ।"

ଏଥିସହ ପଢ଼ନ୍ତୁ: ରାଜ୍ୟରେ ବଡ଼ ଧରଣର IAS ଅଦଳବଦଳ, ପୋମା ଟୁଡୁଙ୍କୁ କୃଷି ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜ୍ୟର ପ୍ରଗତି ସହିତ ତାଳ ମିଳାଇ ଆମ ସରକାର ଓଡ଼ିଶା ଭିଜିଲାନ୍ସକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ JAM ବ୍ୟବସ୍ଥା ପାଇଁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, "ଆଜି ଟେକ୍ନୋଲୋଜିକୁ ବ୍ୟବହାର କରି ମୋଦିଜୀ ତୃଣମୂଳ ସ୍ତରରେ ଦୁର୍ନୀତିକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିଛନ୍ତି । ବାଟମାରଣା ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଏହି ବ୍ୟବସ୍ଥା ଗରିବଙ୍କ ପାଇଁ ଭଗବାନଙ୍କ ବରଦାନ ଠାରୁ କିଛି କମ୍ ନୁହେଁ ।"

ଓଡ଼ିଶା ସରକାର ୩ ରଣକୌଶଳ

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଦୁର୍ନୀତି ମୁକାବିଲା ପାଇଁ ଆମ ସରକାର ଦୁର୍ନୀତି ବିରୋଧରେ ଶୁନ୍ୟ ସହନଶୀଳତା ନୀତି, ଇଣ୍ଟେଲିଜେନ୍ସ ଆଧାରରେ ପଦ, କାର୍ଯ୍ୟକାଳ ନିର୍ବିଶେଷରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଦୁର୍ନୀତି ପାଇଁ ଗିରଫ ହୋଇଥିବା ଅଧିକାରୀଙ୍କ ଦଣ୍ଡ ବିଧାନ ଭଳି ତିନୋଟି ରଣକୌଶଳ ଆପଣାଇଛନ୍ତି ।" ଭିଜିଲାନ୍ସ ବିଭାଗ ଏହି ରଣକୌଶଳକୁ ନିର୍ଭୀକତାର ସହିତ ଏବଂ ବୃତ୍ତିଗତ ଭାବେ କାର୍ଯ୍ୟକାରୀ କରୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।

୯୧ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଅଢେଇ ବର୍ଷ ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜଣେ ଆଇ.ଏ.ଏସ୍, ୮ ଜଣ ମୁଖ୍ୟ ଯନ୍ତ୍ରୀ ପାହ୍ୟାର ଅଧିକାରୀ, ୨ ଜଣ ବିଭାଗୀୟ ବନ ଅଧିକାରୀ, ଅବକାରୀ ଏବଂ ଏସ୍.ଟି.ଏ ର ଯୁଗ୍ମ କମିଶନର, ୩ ଜଣ ଖଣି ଉପନିର୍ଦ୍ଦେଶକ, ୫ ଜଣ ତହସିଲଦାର, ୪ ଜଣ ବିଡିଓ ଏବଂ ଅନେକ ସରକାରୀ ପଦାଧିକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି ।

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି ଏବଂ ୯୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି । ୨୦୨୫ରେ କନ୍‌ଭିକ୍ସନ ରେଟ୍ ୫୦ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ସର୍ବାଧିକ ୬୫ ପ୍ରତିଶତରେ ପହଞ୍ଚିଛି । ଦୁର୍ନୀତି କ୍ଷେତ୍ରରେ ଏଭଳି ଉଚ୍ଚ ଦଣ୍ଡବିଧାନ ହାର ପାଇଁ ଓଡ଼ିଶା ଭିଜିଲାନ୍ସ ରାଜ୍ୟ ଭିତରେ ଓ ବାହାରେ ପ୍ରଶଂସିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି ।

ଦୁର୍ନୀତି ନିୟନ୍ତ୍ରଣ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏ କ୍ଷେତ୍ରରେ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ ପାଇଁ Odisha IT Policy ଅନୁମୋଦନ କରାଯାଇଛି । ଓଡ଼ିଶା ଭିଜିଲାନ୍ସରେ ଏକ Preventive Vigilance Research Wing ଗଠନ କରାଯାଉଛି । ଏହାଦ୍ୱାରା ଦୁର୍ନୀତି ହେଉଥିବା ସ୍ଥାନ ଓ ଦୁର୍ନୀତିଗ୍ରସ୍ତକୁ ଚିହ୍ନଟ କରାଯାଇ ଶାସନ ବ୍ୟବସ୍ଥାକୁ ଆହୁରି ସ୍ଵଚ୍ଛ ଓ ପାରଦର୍ଶୀ କରାଯିବ ।"

ସାଧୁତାରୁ ସମୃଦ୍ଧି

ଶେଷରେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷର ପ୍ରସଙ୍ଗ ‘ସାଧୁତାରୁ ସମୃଦ୍ଧି’ ବିଷୟରେ ବର୍ଣ୍ଣନା କରି କହିଥିଲେ ଯେ, ଦୃଢ ନୈତିକତା, ସମ୍ପୂର୍ଣ୍ଣ ସ୍ଵଚ୍ଛତା ଓ ସାଧୁତା ହେଉଛି ଆମର ଏହି ଦୁର୍ନୀତି ବିରୋଧୀ ଲଢେଇର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର । ସରକାରୀ କର୍ମଚାରୀମାନଙ୍କୁ ଆଚରଣରେ ସାଧୁତା ଓ ନିଷ୍ଠା ପ୍ରଦର୍ଶନ କରିବା ସହିତ ସମସ୍ତେ ସାଧୁତାକୁ ନିଜର ବିଶ୍ଵାସ ଓ ନିଷ୍ଠାକୁ ଜୀବନର ଏକ ଶୈଳୀ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୨୫ ବର୍ଷ ପାଇଁ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଭାବେ କୋରାପୁଟ ଡିଭିଜନ, ଶ୍ରେଷ୍ଠ ୟୁନିଟ ଭାବେ ଅନୁଗୋଳ ୟୁନିଟ୍, ଶ୍ରେଷ୍ଠ ଆଇ.ଓ ଭାବେ ମାଲକାନଗିରି ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି, ଶ୍ରେଷ୍ଠ ମହିଳା ଆଇ.ଓ ଭାବେ ଭୁବନେଶ୍ୱର ଡିଭିଜନର ବୈଭବମାଳା ସ୍ଵାଇଁ ଏବଂ ଶ୍ରେଷ୍ଠ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ଭୁବନେଶ୍ୱର ଭିଜିଲାନ୍ସ ସ୍ପେସାଲ ଜଜ୍ କୋର୍ଟର ସଲିଳ କୁମାର ପ୍ରଧାନଙ୍କୁ ପୁରସ୍କୃତ କରିଥିଲେ ।

ଏଥିସହ ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି…୫ଟି ରାଜ୍ୟ ପାଇଁ ସତର୍କତା ଜାରି ସହ ୫୩ଟି ଟ୍ରେନ୍ ବାତିଲ୍ 

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ଲୋକମାନଙ୍କ କଷ୍ଟଲବ୍ଧ ଅର୍ଥରେ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଯେପରି ଧାଡିର ଶେଷରେ ଥିବା ହିତାଧିକାରୀ ଠିକ୍ ଭାବରେ ପାଇପାରିବେ ସେଥିପାଇଁ ସାଧୁତାର ସହ କାର୍ଯ୍ୟ କରିବା ଅପରିହାର୍ଯ୍ୟ । ରାଜ୍ୟ ସରକାର ବହୁ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗରେ ସ୍ଵଚ୍ଛତାର ସହ ସେବା ପ୍ରଦାନ କରୁଛନ୍ତି ।

ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠୱା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରି ବିଭାଗର ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ଆଭିମୁଖ୍ୟକୁ ଅନୁପାଳନ କରି ଓଡ଼ିଶା ଭିଜିଲାନ୍ସ ନିରବଚ୍ଛିନ୍ନ ଭାବେ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ବୋଲି ସେ କହିଥିଲେ ।