ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଉଚ୍ଛୁଳୁଛି ଶଙ୍ଖକ୍ଷେତ୍ର । ଭକ୍ତଙ୍କ କଣ୍ଠରେ ଜୟ ଜଗନ୍ନାଥ । ବାଜୁଛି ମୃଦଙ୍ଗ, ପଡ଼ୁଛି ହରିବୋଲ । ବେଦମନ୍ତ୍ରରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର । ଶ୍ରୀନିଳାଚଳ ଧାମ ଐତିହ୍ୟରେ ଯୋଡ଼ି ହୋଇଛି ନୂଆ ଫର୍ଦ୍ଦ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାନୁଆରୀ ୧୨ ତାରିଖରୁ ଶ୍ରୀମନ୍ଦିର ଐଶାନ୍ୟ କୋଣ ଯଜ୍ଞ ମଣ୍ଡପରେ ଚାଲିଥିବା ପବିତ୍ର ମହାଯଜ୍ଞର ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଶ୍ରୋତ୍ରୀୟ ବ୍ରାହ୍ମଣମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀସେତୁ ଓ ଶ୍ରୀମାର୍ଗର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂରେ ୧୨ ଶହରୁ ଅଧିକ କାର୍ ଏବଂ ୩ ଶହରୁ ଉର୍ଦ୍ଧ୍ବ ବାଇକ୍ ରହିବା ବ୍ୟବସ୍ଥା ରହିଛି । ସେହିପରି ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟରରୁ ଦୋଳବେଦୀକୁ ସଂଯୋଗ ହୋଇଛି ନୂଆରାସ୍ତା ଶ୍ରୀମାର୍ଗ । ଭକ୍ତଙ୍କ ସୁବିଧା ପାଇଁ ଆଧୁନିକ ଶୌଚାଳୟ, ଯାତ୍ରୀ ବିଶ୍ରାମାଗାର ମଧ୍ୟ ଲୋକାର୍ପିତ ହୋଇଛି ।
ବ୍ଲାଙ୍କେଟ ସୁରକ୍ଷା ବଳୟରେ ରହିଛି ସମ୍ପୂର୍ଣ ଶ୍ରୀକ୍ଷେତ୍ର । ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ମନ୍ଦିରର ନିରାପତ୍ତାକୁ ଗୁରୁତ୍ବ ଦିଆଯାଇଛି । ୮୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଫେସ୍ ରିଡିଙ୍ଗ କ୍ୟାମେରା, K9 ସିକ୍ୟୁରିଟି ସହ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ମହାପ୍ରଭୂଙ୍କ ପ୍ରମୋଦ ଉଦ୍ୟାନ, ଜଗନ୍ନାଥବଲ୍ଲଭ ପାର୍କିଂ କାର୍ଯ୍ୟ ଶେଷ ହୋଇଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ସୁରୁଖୁରୁରେ ମହାପ୍ରଭୁଙ୍କୁ ଦର୍ଶନ ସୁଯୋଗ ପାଇଛନ୍ତି । ପ୍ରକଳ୍ପ ଲୋକାର୍ପିତ ହୋଇଥିବାରୁ ଏଣିକି ଶ୍ରଦ୍ଧାଳୁମାନେ ବିନା ବାଧାରେ ମନ୍ଦିର ପରିକ୍ରମା କରିପାରିବେ । ପ୍ରାକୃତିକ ପରିବେଶ, ସୁନ୍ଦର ବଗିଚା ଭଳି ଅନେକ ସୁବିଧା କରାଯାଇଛି । ଭକ୍ତ ପ୍ରଭୁଙ୍କୁ ଶାନ୍ତିପୂର୍ଣ୍ଣ ଦର୍ଶନ ସହ ପରିକ୍ରମାର ସୁଯୋଗ ପାଇବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଭାରତର ଚାରି ପବିତ୍ର ଧାମ ମଧ୍ୟରୁ ଶ୍ରୀଜଗନ୍ନାଥ ଧାମ ପ୍ରମୁଖ ହୋଇଥିବାରୁ ହିନ୍ଦୁ ଧର୍ମରେ ମନ୍ଦିର ପରିକ୍ରମାର ଢେର ଗୁରୁତ୍ୱ ରହିଛି । ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଛି । ୨୦୨୧ ଡିସେମ୍ବର ୨୧ ତାରିଖରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ଡିସେମ୍ବର ୨୪ ତାରିଖରେ କାର୍ଯ୍ୟ ଶେଷ ହୋଇଥିଲା । ଜାନୁଆରୀ ୧୨ ତାରିଖରୁ ୫ ଦିନଧରି ଯଜ୍ଞ ହେବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ପରିକ୍ରମା ମାର୍ଗ ।