Videos
|
Odisha

Cyclone Akvan / ଆସୁଛି ବାତ୍ୟା, ଚିନ୍ତା ବଢ଼ାଇଲା ଭୂସ୍ଖଳନ; ଗଞ୍ଜାମ, ଗଜପତି ଓ କନ୍ଧମାଳ ସବୁଠୁ ସମ୍ବେଦନଶୀଳ

Sushanta Sahoo
Browse all articles by Sushanta Sahoo
·29 mins ago·3 min read
ଆସୁଛି ବାତ୍ୟା, ଚିନ୍ତା ବଢ଼ାଇଲା ଭୂସ୍ଖଳନ; ଗଞ୍ଜାମ, ଗଜପତି ଓ କନ୍ଧମାଳ ସବୁଠୁ ସମ୍ବେଦନଶୀଳ
Ganjam, Gajapati on Landslide Alert in Odisha

Key Points

ଅର୍ଣ୍ଣବ ବାତ୍ୟା ବେଳେ ଅତି ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଜୀବନ ନେବା ପରେ ଏବେ ସମ୍ପୂର୍ଣ୍ଣ ଆଲର୍ଟରେ ସରକାର ଓ ପ୍ରଶାସନ । ଗଞ୍ଜାମ, ଗଜପତି ଓ କନ୍ଧମାଳର ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ଫୋକସ୍ ।
ବ୍ରହ୍ମପୁର: ବାତ୍ୟା ଛନକା ଭିତରେ ଭୂସ୍ଖଳନ ଟେନସନ । ବଙ୍ଗୋପସାଗରରେ ବାତ୍ୟା ବଳ ଗୋଟାଉଥିବା ବେଳେ ଓଡ଼ିଶାରେ ପ୍ରବଳ ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ । ଅର୍ଣ୍ଣବ ବାତ୍ୟା ବେଳେ ଅତି ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଜୀବନ ନେବା ପରେ ଏବେ ସମ୍ପୂର୍ଣ୍ଣ ଆଲର୍ଟରେ ସରକାର ଓ ପ୍ରଶାସନ । ଗଞ୍ଜାମ, ଗଜପତି ଓ କନ୍ଧମାଳର ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ଫୋକସ୍ ।

ବଙ୍ଗୋପସାଗରରେ ବାତ୍ୟା ଦାନା ବନ୍ଧିବା ମାତ୍ରେ ଦକ୍ଷିଣ ଓଡ଼ିଶାର ଭୂସ୍ଖଳନ ସମ୍ବେଦନଶୀଳ ଜିଲ୍ଲାରେ ବଢ଼ୁଛି ଚିନ୍ତା । ଅର୍ଣ୍ଣବ ବାତ୍ୟା ବେଳେ ଗଞ୍ଜାମ ଗିଡ଼ିପାବାଲିର ଭୂସ୍ଖଳନ ଚିତ୍ର ମନରୁ ନ ଲିଭୁଣୁ ପୁଣି ଏକ ବାତ୍ୟା ମାଡ଼ି ଆସୁଥିବାରୁ ପ୍ରଶାସନର ବଢ଼ିଛି ଟେନସନ୍ ।

ଗଞ୍ଜାମ ଜିଲ୍ଲାର ପ୍ରମୁଖ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ପ୍ରଶାସନ ରଖିଛି ତୀକ୍ଷ୍‌ଣ ନଜର । ଗଞ୍ଜାମରେ ମୁଖ୍ୟତଃ ୧୩ଟି ଛୋଟ ବଡ଼ ଭୂସ୍ଖଳନ ପ୍ରବଣ ଅଞ୍ଚଳ ରହିଛି । ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଏବଂ ଡାଙ୍ଗେଣି ସହ ଏହାର ଆଖପାଖ ଅଞ୍ଚଳ ସବୁଠାରୁ ଅଧିକ ସମ୍ବେଦନଶୀଳ । ସେହିପରି ତପ୍ତପାଣି ଘାଟି ଉପରେ ପ୍ରଶାସନର ନଜର ରହିଛି ।

ଏଥିସହ ପଢ଼ନ୍ତୁ: ବାତ୍ୟା 'ଅକଭାନ' ପାଇଁ SRCଙ୍କ ସହ ପ୍ରଭାବିତ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋରଡ଼ା ଓ ଧରାକୋଟ ପାହାଡ଼ିଆ ଅଞ୍ଚଳରେ ଥିବା ଗାଁ ଗୁଡ଼ିକରେ ଭୂସ୍ଖଳନ ଭୟ ରହିଛି । ଗଜପତି ଏବଂ ଆନ୍ଧ୍ରକୁ ଲାଗି ରହିଥିବା ପାତ୍ରପୁର ଓ ଚିକିଟି ସୀମାନ୍ତବର୍ତ୍ତୀ ଅଞ୍ଚଳ ମଧ୍ୟ ଭୂସ୍ଖଳନ ପ୍ରବଣ । ପାତ୍ରପୁର ବ୍ଲକର ଆଙ୍କୁଲି ଏବଂ ବୁରାତାଲ ପଞ୍ଚାୟତରେ ଏକାଧିକ ଛୋଟ ଛୋଟ ଗାଁ ଗୁଡ଼ିକରେ ଭୂସ୍ଖଳନ ଆଶଙ୍କା ରହୁଛି ।

ଏହି ସବୁ ଅଞ୍ଚଳରେ ଜିଲ୍ଲା ପ୍ରଶାସନର ତୀକ୍ଷଣ ନଜର ରହିଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯିବ । ଏଥିପାଇଁ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି ।

ଗଜପତିରେ ଭୂସ୍ଖଳନ ବିପଦ

ଗଜପତି ଜିଲ୍ଲାର ୧୪୭ଟି ଭୂସ୍ଖଳନ ପ୍ରବଣ ସ୍ଥାନ ଚିହ୍ନଟ କରି ଏହି ସବୁ ଅଞ୍ଚଳ ଉପରେ ତୀକ୍ଷ୍‌ଣ ନଜର ରଖିଛି ଜିଲ୍ଲା ପ୍ରଶାସନ । ଅତୀତର ତିତିଲି ବାତ୍ୟାର ଭୟାବହ ସ୍ମୃତି ଆଜି ବି ଲୋକଙ୍କ ମନରୁ ଲିଭିନାହିଁ । ଅନ୍ୟପଟେ ଅର୍ଣ୍ଣବ ବାତ୍ୟା ସମୟରେ ମଧ୍ୟ ଜିଲ୍ଲାର ୧୩ଟି ସ୍ଥାନରେ ଭୂସ୍ଖଳନ ହୋଇଥିଲା ।

ବିଶେଷ କରି ରାୟଗଡ଼, ଗୁମ୍ମା, ନୂଆଗଡ଼, ଆର୍‌. ଉଦୟଗିରି ଓ ମୋହନା ଭଳି ଅଞ୍ଚଳରେ ବର୍ଷା ହେଲେ ଭୂସ୍ଖଳନ ଆଶଙ୍କା ବଢ଼ିଥାଏ । ତିତିଲି ବାତ୍ୟା ରାୟଗଡ଼ ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତରେ ତାଣ୍ଡବ ରଚିଥିଲା । ଭୂସ୍ଖଳନ ଅନେକ ପରିବାରକୁ ଛାରଖାର୍ କରି ଦେଇଥିଲା । ଗଜପତି ଜିଲ୍ଲାର ୭ଟି ବ୍ଳକ ମଧ୍ୟରୁ ୫ଟି ବ୍ଲକ ଭୂସ୍ଖଳନ ପ୍ରବଣ । ପ୍ରଶାସନ ପକ୍ଷରୁ ଏହି ସବୁ ସ୍ଥାନ ଉପରେ ନଜର ରଖାଯାଇଛି ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ବାତ୍ୟା 'ଅକଭାନ'; ଓଡ଼ିଶାକୁ ଅରେଞ୍ଜ ଆଲର୍ଟ, ୨୦ ମଧ୍ୟାହ୍ନରେ ଛୁଇଁବ ସ୍ଥଳଭାଗ 

କନ୍ଧମାଳକୁ ବିପଦ

ଗଞ୍ଜାମ ଓ ଗଜପତି ଜିଲ୍ଲା ସହ କନ୍ଧମାଳରେ ବି ଭୂସ୍ଖଳନ ଭୟ ରହିଛି । ଅର୍ଣ୍ଣବ ବାତ୍ୟା ବେଳେ ରାଇକିଆ ଅଞ୍ଚଳରେ ହୋଇଥିଲା ଭୂସ୍ଖଳନ । ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଦାରିଙ୍ଗବାଡ଼ି, ତୁମୁଡ଼ିବନ୍ଧ, କୋଟଗଡ଼, ଜି. ଉଦୟଗିରି ଓ ରାଇକିଆ ବ୍ଲକର ପାହାଡ଼ିଆ ଅଞ୍ଚଳ ଉପରେ ପ୍ରଶାସନର ନଜର ରହିଛି । ବିଶେଷ କରି କଳିଙ୍ଗା ଘାଟି, ଦାରିଙ୍ଗବାଡ଼ି ଘାଟିରେ ମାଟି ଧସିବା ଆଶଙ୍କା ରହିଛି । ଏହି ସବୁ ଅଞ୍ଚଳରେ ଭୂସ୍ଖଳନ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବେ ସବୁଠୁ ବଡ଼ ମୁଣ୍ଡ ବିନ୍ଧା ପାଲଟିଛି । ଏହାର ମୁକାବିଲା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।