Videos
|
Odisha

Cyclone Relief / ସହାୟତାରୁ ବଞ୍ଚିତ ହେବେନି କୌଣସି ଯୋଗ୍ୟ ଚାଷୀ, ରାସନ କାର୍ଡ ନଥିଲେ ବି ମିଳିବ ଅର୍ଥ

Sushanta Sahoo
Browse all articles by Sushanta Sahoo
·17 mins ago·3 min read
ସହାୟତାରୁ ବଞ୍ଚିତ ହେବେନି କୌଣସି ଯୋଗ୍ୟ ଚାଷୀ, ରାସନ କାର୍ଡ ନଥିଲେ ବି ମିଳିବ ଅର୍ଥ
CM Announces Increased Relief Assistance

Key Points

ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଗଞ୍ଜାମ ଜିଲ୍ଲାର ବାତ୍ୟା 'ଅକଭାନ' ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । କ୍ଷତିଗ୍ରସ୍ତଙ୍କୁ ବର୍ଦ୍ଧିତ ହାରରେ ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବ୍ରହ୍ମପୁର: ବାତ୍ୟା 'ଅକଭାନ' ପ୍ରଭାବିତ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାଉଣ୍ଡକୁ ଯାଇ କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଛନ୍ତି । ଲୋକଙ୍କ ସହିତ ଆଲୋଚନା କରିଛନ୍ତି । କ୍ଷତିଗ୍ରସ୍ତଙ୍କୁ ବର୍ଦ୍ଧିତ ହାରରେ ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ସହାୟତା ପାଇବେ । ରାସନ କାର୍ଡ ନଥିଲେ ମଧ୍ୟ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ମିଳିବ ।

ମୁଖ୍ୟମନ୍ତ୍ରୀ ମୋହନ ମୋହନ ଚରଣ ମାଝୀ ଆକାଶମାର୍ଗରୁ ଗଞ୍ଜାମ ଜିଲ୍ଲାର ବାତ୍ୟା 'ଅକଭାନ' ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମଧ୍ୟ ଗଞ୍ଜାମରେ ଉପସ୍ଥିତ ଥିଲେ ।

ଏଥିସହ ପଢ଼ନ୍ତୁ: ୧୨ ବର୍ଷ ପରେ କେତେ ଆଗେଇଛି ଚିଟ୍‌ଫଣ୍ଡ ତଦନ୍ତ ? ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ 

ସଡ଼କ ପଥରେ ପୁରୁଷୋତ୍ତମପୁର ବ୍ଲକ ଓ ଛତ୍ରପୁର ବ୍ଲକ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବା ସହିତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଏବଂ ଛତ୍ରପୁର ବ୍ଲକର ବଉଳ ଗାଁରେ କ୍ଷତିଗ୍ରସ୍ତ ଚାଷଜମି ଅନୁଧ୍ୟାନ କରିଥିଲେ ଏବଂ ଗ୍ରାମବାସୀଙ୍କ ସହିତ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ଓ ସହାୟତା ବାବଦରେ ପଚାରି ବୁଝିଥିଲେ ।

ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ

ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି, ପୁନରୁଦ୍ଧାର ଓ ସହାୟତା ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହିତ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଜିଲ୍ଲା ପ୍ରଶାସନକୁ କ୍ଷୟକ୍ଷତିର ଆକଳନ ତୁରନ୍ତ ସାରି ଚଳିତ ମାସ ଶେଷ ସୁଦ୍ଧା ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷା ପରେ ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗଞ୍ଜାମ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ଓ ଅକଭାନ ଦ୍ୱାରା ଚାଷ ଜମି ଗୁଡ଼ିକ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗଞ୍ଜାମ ଜିଲ୍ଲାରେ ଅର୍ଣ୍ଣବ ସମୟରେ ୨.୧୧ ଲକ୍ଷ ଏବଂ ଅକଭାନ ସମୟରେ ୧.୫୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ।"


ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାର ସ୍ଥିତିକୁ ଗମ୍ଭୀରତାର ସହ ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଭାବିତ ପରିବାର ଗୁଡ଼ିକୁ ୫୦ କିଲୋଗ୍ରାମ ଚାଉଳ ସହିତ ୨୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ପରିବାରକୁ ଚାଉଳ ଏବଂ ୬୦ ପ୍ରତିଶତ ପରିବାରଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି ।

ଏଥିସହିତ ୨୫୦୦ ପରିବାରଙ୍କୁ ଘରଭଙ୍ଗା ସହାୟତା ପ୍ରଦାନ କରାଯାଇ ସାରିଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି । ଏହା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ଇନପୁଟ୍ ସବସିଡି ପ୍ରଦାନ କରାଯାଉଛି । ସରକାରଙ୍କ SDRF ନର୍ମରେ ପରିବର୍ତ୍ତନ କରାଯାଇ ବର୍ଦ୍ଧିତ ହାରରେ ସହାୟତା ପ୍ରଦାନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସହାୟତାରୁ ବଞ୍ଚିତ ହେବେନି ଜଣେ ବି କ୍ଷତିଗ୍ରସ୍ତ

ଯେଉଁ ମାନଙ୍କର ରାସନ କାର୍ଡ ନାହିଁ, ସେମାନେ ତୁରନ୍ତ ବ୍ଲକ ଅଫିସ୍ ସହ ଯୋଗାଯୋଗ କରି ରାସନ କାର୍ଡ ପାଇଁ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯେପରି ଜଣେ ବି କେହି କ୍ଷତିଗ୍ରସ୍ତ ଲୋକ ସହାୟତା ପାଇବାରୁ ବଞ୍ଚିତ ନହେବେ, ସେଥିପାଇଁ ଘରକୁ ଘର ବୁଲି ସର୍ଭେ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଗାଁକୁ ମୋବାଇଲ ନେଟୱର୍କ, ୩ ବର୍ଷରେ ପହଞ୍ଚିବ ହାଇସ୍ପିଡ୍ ଇଣ୍ଟରନେଟ୍ 

ପନିପରିବା ଚାଷୀ, ଛୋଟ ବ୍ୟବସାୟୀ, ଉଠା ଦୋକାନୀ, ସମସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ଜିଲ୍ଲାର ଦୁଇଜଣ ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଜିଲ୍ଲା ପ୍ରଶାସନର ସମ୍ମିଳିତ ଉଦ୍ୟମରେ ଗଞ୍ଜାମ ଜିଲ୍ଲାରେ ବାତ୍ୟା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ପରିଚାଳନା ସମୟରେ ଏକ ଟିମ୍ ଭଳି- ଟିମ୍‌ ଗଞ୍ଜାମ ଓ ଟିମ୍‌ ଓଡ଼ିଶା- କାମ କରିଥିବାରୁ ସଫଳତା ମିଳିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: