ସାରା ଓଡ଼ିଶାରେ ହୋଲି ପର୍ବର ଧୁମ୍, ରଙ୍ଗରେ ଭିଜିଲେ ପିଲାଠୁ ବୟସ୍କ

ଅର୍ଗସ ବ୍ୟୁରୋ : ରଙ୍ଗର ପର୍ବ, ଖୁସିର ପର୍ବ ହୋଲି । ରଙ୍ଗ ଯେମିତି ସମସ୍ତଙ୍କୁ ଏକାକାର କରି ଦେଇଛି । ଯେଉଁଠି ବଡସାନର ଭେଦଭାବ ହିଁ ନାହିଁ । ଛୋଟ ଛୁଆଙ୍କଠାରୁ ବଡ଼ ଲୋକଙ୍କ ଯାଏଁ । ସମସ୍ତେ ମସଗୁଲ୍ ରଙ୍ଗର ଏ ପର୍ବରେ । ବର୍ଷକୁ ଥରେ ଆସୁଛି ରଙ୍ଗର ପର୍ବ । ତେଣୁ କିଏବା କାହିଁକି ହାତଛଡା କରିବେ । ତେଣୁ ସମସ୍ତେ ମନାଉଛନ୍ତି ଖୁସି, ପରସ୍ପରକୁ ରଙ୍ଗ ଅବିର ଲଗାଉଛନ୍ତି । ଖାଲି ରଙ୍ଗ ଖେଳ ନୁହେଁ, ଡିଜେର ତାଳେ ତାଳେ ଝୁମୁଛନ୍ତି । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ, ଟୋପି, ମାସ୍କ ଲଗାଇ ହୋଲି ଖେଳୁଛନ୍ତି । ହୋଲିର ରଙ୍ଗରେ ସାରା ରାଜ୍ୟ ରଙ୍ଗୀନ ହୋଇଛି । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଓ ଶୁଭକାମନା ବାଣ୍ଟିଛନ୍ତି ଲୋକେ । ଫଗୁଣର ଫଗୁରେ ଭିଜିଛନ୍ତି ।
ଭଦ୍ରକର ରାହାଞ୍ଜ ଗ୍ରାମରେ ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ପାଳନ କରାଯାଇଛି ନିଆରା ହୋଲି ଉତ୍ସବ । ଏଠାରେ ପିଲାମାନେ ଗୁରୁଜନଙ୍କ ପାଦରେ ଅଭିର ଦେଇ ହୋଲି ଉତ୍ସବ ପାଳନ କରିବା ସହ ସମାଜକୁ ଭିନ୍ନ ବାର୍ତ୍ତା ଦେଇଛନ୍ତି । ସେହିପରି ଜଗତସିଂହପୁର ତିର୍ତ୍ତୋଲ ବ୍ଲକର ଗରାମ ପଞ୍ଚାୟତର ମା' ଭଗବତୀଙ୍କ ପୀଠ ନିକଟରେ ହୋଲି ଅବସରରେ ଦହିହାଣ୍ଡି ଭଙ୍ଗା ଖେଳ ଆୟୋଜିତ ହୋଇଛି। ସ୍ଥାନୀୟ ଯୁବକମାନେ ଏଥିରେ ବହୁ ସଂଖ୍ୟାରେ ଯୋଗଦେଇ ହୋଲି ଉତ୍ସବ ମନାଇଥିଲେ । ଆଉ ରାଉରକେଲା NIT ଛାତ୍ରଛାତ୍ରୀମାନେ କାଦୁଅରେ ଖେଳିଛନ୍ତି ହୋଲି। କାଦୁଅ ସହ ଡିଜେର ତାଳତାଳେ ଝୁମିଛନ୍ତି ଛାତ୍ରଛାତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ବର ପତଞ୍ଜଳି ଯୋଗ ପରିବାର ପକ୍ଷରୁ ନିଆରା ହୋଲି ପାଳନ କରାଯାଉଛି। ହୋମ ଯଜ୍ଞ ମନ୍ତ୍ର ପାଠ ସହ ବିଭିନ୍ନ ପ୍ରକାର ଫୁଲରେ ହୋଲି ମନାଯାଇ ଥିଲା। ସେହିପରି ଭୁବନେଶ୍ବର ଚେତନା କ୍ୟାମ୍ପସରେ ଦିବ୍ୟାଙ୍ଗ ପିଲାଙ୍କୁ ନେଇ ପାଳନ ହେଇଛି ରଙ୍ଗ ପର୍ବ ହୋଲି । ପଟିଆରେ ବିଭିନ୍ନ ପ୍ରକାରର ମାଟି ସାଙ୍ଗକୁ ଫୁଲ,ଫଳ, ମଞ୍ଜିରେ ପ୍ରସ୍ତୁତ ହର୍ବାଲ ରଙ୍ଗ ପରସ୍ପରକୁ ଲଗାଇ ହୋଲି ଖେଳାଯାଇଥିଲା । ଚନ୍ଦନ,ହଳଦୀ, କୁଂକୁମ, ବେଶନ, କରଞ୍ଜ, ନିମ୍ବ, ଆମ୍ବ ପତ୍ରର ପାଉଡର ବ୍ୟବହାର କରି ଭିନ୍ନ ଢ଼ଙ୍ଗରେ ହୋଲି ଖେଳିଛନ୍ତି ମହିଳା । ନିଜ ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବ ପାଳନ କରିଛନ୍ତି । ବର୍ଷକରେ ଥରେ ହୋଲି ନେଇ ଆସିଛି ଅସୁମାରି ଖୁସି । ଅପେକ୍ଷା ଆର ବରଷକୁ ।