Videos
|
Odisha

Rain Alert / ଆସୁଛି ଆଉ ଏକ ଲଘୁଚାପ; ଉତ୍ତର ଓଡ଼ିଶାକୁ ପୁଣି ବର୍ଷା ସତର୍କତା

Sushanta Sahoo
Browse all articles by Sushanta Sahoo
·58 mins ago·2 min read
ଆସୁଛି ଆଉ ଏକ ଲଘୁଚାପ; ଉତ୍ତର ଓଡ଼ିଶାକୁ ପୁଣି ବର୍ଷା ସତର୍କତା
Another Low Pressure Coming

Key Points

ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ ।
ଭୁବନେଶ୍ଵର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ରଟି ବର୍ତ୍ତମାନ ସକ୍ରିୟ ରହିଛି । ଲଘୁଚାପ କ୍ଷେତ୍ରଟି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳ ଦେଇ ଅଗ୍ରସର ହେବାର ସମ୍ଭାବନା ରହିଛି ।

ଆଗାମୀ ୨୪ ଘଣ୍ଟା ପାଇଁ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ବୌଦ୍ଧ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ବାକି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସହ ସ୍ଥାନେ ସ୍ଥାନେ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ପଶ୍ଚିମବଙ୍ଗ-ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ବାରଣ କରାଯାଇଛି ।

ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା-ବନ୍ୟା ପାଇଁ ସ୍କୁଲ୍‌ରେ ତାଲା, ୩ ଜିଲ୍ଲାରେ ଛୁଟି ଘୋଷଣା 

ସେପଟେ ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ, କିନ୍ତୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ନିଅଣ୍ଟିଆ ସ୍ଥିତି ବଜାୟ ରହିପାରେ ।

ଏବେର ଲଘୁଚାପ ପ୍ରଭାବରେ ୨୬ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୭-୨୮ ବେଳକୁ ବର୍ଷାର ପରିମାଣ କମିବା ସହ କେବଳ ପଶ୍ଚିମ ସୀମାନ୍ତ ଜିଲ୍ଲା ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗିରରେ ସୀମିତ ରହିବ । ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ କେବଳ ହାଲୁକା ବର୍ଷା ହେଉଥିବାରୁ ଗଞ୍ଜାମ ଓ ଗଜପତିର ଘୋର ବର୍ଷା ଅଭାବ ଦୂର ହେବ ନାହିଁ ।

ଅଗଷ୍ଟ ୨୮-୨୯ରେ ବର୍ଷା ସାମନ୍ୟ କମିବା ପରେ ଅଗଷ୍ଟ ୨୯-୩୦ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ମଧ୍ୟରେ ନୂଆ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ଆଡ଼କୁ ଗତି କରିବ । ପ୍ରଭାବରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର ଓ କଳାହାଣ୍ଡିରେ ପୁଣି ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ବିଶେଷ ବର୍ଷା ହେବ ନାହିଁ ।

ଲଘୁଚାପ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷା ପରିମାଣ କମିଯିବ । ଉପକୂଳ, ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସାଧାରଣ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ନିଅଣ୍ଟିଆ ବର୍ଷା ସ୍ଥିତିରେ କୌଣସି ସୁଧାର ଆସିବ ନାହିଁ ବୋଲି ଆକଳନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ଲଘୁଚାପ; ୪୮ ଘଣ୍ଟା ଭୀଷଣ ବର୍ଷା ଚେତାବନୀ 

କୃଷି ପରାମର୍ଶ

ଉତ୍ତର ଓ ପଶ୍ଚିମ ଓଡ଼ିଶାର ଚାଷୀମାନେ ଧାନ ଜମିରୁ ବଳକା ପାଣି ନିଷ୍କାସନ ବ୍ୟବସ୍ଥା କରନ୍ତୁ ଏବଂ ବର୍ଷା ସମୟରେ ସାର ବା କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ । ବର୍ଷା ଅଭାବ ଭୋଗୁଥିବା ଦକ୍ଷିଣ ଓଡ଼ିଶାର (ଗଞ୍ଜାମ, ଗଜପତି, ରାୟଗଡ଼ା) ଚାଷୀମାନେ ଜମିର ହୁଡ଼ା ଆବଦ୍ଧ କରି ବର୍ଷା ପାଣି ସଂରକ୍ଷଣ କରନ୍ତୁ ଏବଂ ଧାନ ରୋପଣ ବିଳମ୍ବ ହୋଇଥିଲେ ସ୍ୱଳ୍ପମିଆଦୀ ଅଣ-ଧାନ ଫସଲ ବା ଡାଲି ଜାତୀୟ ଫସଲକୁ ପ୍ରାଥମିକତା ଦିଅନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: