Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍: ଧର୍ମେନ୍ଦ୍ର ପ୍ରଧାନ

Odisha

1 Lakh Crore Steel Boost / ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍: ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·5 days ago·4 min read
ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍: ଧର୍ମେନ୍ଦ୍ର ପ୍ରଧାନ
₹1 Lakh Crore, 10 MTPA capacity

Key Points

  • ସମ୍ବଲପୁରରେ ଜେଏସଡବ୍ଲୁ ଏବଂ ଜାପାନର ଜେଏଫଇ ଷ୍ଟିଲ୍ ମଧ୍ୟରେ ଯୌଥ ଉଦ୍ୟମର ଶୁଭାରମ୍ଭ
  • ଜେଏସଡବ୍ଲୁ ଏବଂ ଜାପାନର ଜେଏଫଇ ମଧ୍ୟରେ ପ୍ରାୟ ୧ ଲକ୍ଷ କୋଟିର ପୁଞ୍ଜିନିବେଶକୁ ସ୍ୱାଗତ
  • ଜେଏସଡବ୍ଲୁ, ସମ୍ବଲପୁର ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୪.୫ ମିଲିୟନ ଟନ୍‌ରୁ ୧୦ ମିଲିୟନ ଟନ୍ ବୃଦ୍ଧି ହେବ
  • ପ୍ରକଳ୍ପ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବ
  • ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଓଡ଼ିଶାର ଅର୍ଥନୀତି ପାଇଁ 'ଗେମ୍ ଚେଞ୍ଜର' ହେବ
  • ଶିଳ୍ପାୟନ ମାଧ୍ୟମରେ ହିଁ ଦେଶର ବିକାଶ ଓ ଗରିବ କଲ୍ୟାଣ ସମ୍ଭବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର: ସମ୍ବଲପୁର ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭାରତର ଅଗ୍ରଣୀ ଇସ୍ପାତ ନିର୍ମାତା ଜେଏସଡବ୍ଲୁ ଏବଂ ଜାପାନର ପ୍ରସିଦ୍ଧ ଜେଏଫଇ ଷ୍ଟିଲ୍ କର୍ପୋରେସନ ମଧ୍ୟରେ ଶୁକ୍ରବାର ଯୌଥ ଉଦ୍ୟମ (Joint Venture) ସ୍ଥାପନର ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ‘ଜେଏସଡବ୍ଲୁ ଜେଏଫଇ ଷ୍ଟିଲ୍ ଲିମିଟେଡ’ର ଏହି ବିକାଶମୂଳକ ପ୍ରକଳ୍ପ ଦ୍ୱାରା ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବରେ ପରିଣତ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଏହି ଐତିହାସିକ ସହଭାଗିତାକୁ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିବା ସହ କହିଛନ୍ତି, "ଏହି ବୃହତ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ, ଯାହା ମୁଖ୍ୟତଃ ଉଚ୍ଚମାନର ଗୁଣାତ୍ମକ ଇସ୍ପାତ ଉତ୍ପାଦନ ଉପରେ କେନ୍ଦ୍ରିତ ହେବ । ୧୯୫୨ ମସିହାରୁ ଭାରତ ଏବଂ ଜାପାନ ମଧ୍ୟରେ ରହିଥିବା ଦୃଢ଼ କୂଟନୈତିକ ସମ୍ପର୍କ ଆଗାମୀ ୨୦୨୭ ମସିହାରେ ୭୫ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ନିବେଶ ଉଭୟ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ ।"

ଏଥିସହ ପଢ଼ନ୍ତୁ: ସମ୍ବଲପୁର ହେବ ଗ୍ଲୋବାଲ୍ ଷ୍ଟିଲ୍ ହବ୍, JSW-JFE ର ଐତିହାସିକ ଷ୍ଟିଲ୍ ପ୍ରକଳ୍ପ ଶୁଭାରମ୍ଭ 

ଓଡ଼ିଶା ଏବଂ ଜାପାନ ମଧ୍ୟରେ ଥିବା ଗଭୀର ଆଧ୍ୟାତ୍ମିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, "ଜେଏଫଇ କମ୍ପାନୀ ପ୍ରଥମ ଥର ପାଇଁ ଜାପାନ ବାହାରକୁ ଆସି ଭାରତର ଜେଏସଡବ୍ଲୁ ସହ ମିଶି ଓଡ଼ିଶାରେ କାର୍ଯ୍ୟ କରୁଛି । ଯେଉଁଠାରେ ଉଭୟ କମ୍ପାନୀ ମିଳିତ ଭାବେ ବାର୍ଷିକ ପ୍ରାୟ ୫୯ ମିଲିୟନ ମେଟ୍ରିକ୍ ଟନରୁ ଅଧିକ ଇସ୍ପାତ ଉତ୍ପାଦନ କ୍ଷମତା ରଖୁଛନ୍ତି । ଜେଏସଡବ୍ଲୁ ଏବଂ ଜେଏଫଇର ମିଳନ କେବଳ ଏକ ବ୍ୟବସାୟିକ ଚୁକ୍ତି ନୁହେଁ, ବରଂ ଏହା ଜାପାନର ବୈଷୟିକ ଉତ୍କର୍ଷତା ଏବଂ ଭାରତର ଶିଳ୍ପ ଦକ୍ଷତା ସହିତ ଉତ୍ତରଦାୟୀ ବିକାଶର ଏକ ସମନ୍ଵୟ । ଏହା ସହିତ ଏହି ପ୍ରକଳ୍ପ 'ଗ୍ରୀନ୍ ଷ୍ଟିଲ୍' ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଉଦାହରଣ ସୃଷ୍ଟି କରିବ ।"

ଜେଏସଡବ୍ଲୁ ଏବଂ ଜାପାନର ଜେଏଫଇ ଷ୍ଟିଲ୍ କର୍ପୋରେସନ ମଧ୍ୟରେ ୫୦:୫୦ ଭାଗିଦାରୀରେ ସମ୍ବଲପୁରରେ ଅବସ୍ଥିତ ଜେଏସଡବ୍ଲୁ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୪.୫ ମିଲିୟନ ଟନ୍‌ରୁ ୧୦ ମିଲିୟନ ଟନ୍‌କୁ ବୃଦ୍ଧି କରାଯିବାର ଯୋଜନା ରହିଛି । ଏହି ପୁଞ୍ଜିନିବେଶ ଦ୍ୱାରା ସମ୍ବଲପୁର, ଝାରସୁଗୁଡ଼ା ଏବଂ ସମଗ୍ର ପଶ୍ଚିମ ଓଡ଼ିଶା ଅଞ୍ଚଳ ଏକ ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍ ଭାବେ ଉଭା ହେବ ।

ଶିଳ୍ପ ପ୍ରତିଷ୍ଠା ସହିତ ସ୍ଥାନୀୟ ନିଯୁକ୍ତି, ଦକ୍ଷତା ବିକାଶ ଏବଂ ସାମାଜିକ ସହଭାଗିତାକୁ ପ୍ରାଧାନ୍ୟ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହି ପ୍ରକଳ୍ପ ଓଡ଼ିଶାର ଅର୍ଥନୀତି ପାଇଁ ଏକ 'ଗେମ୍ ଚେଞ୍ଜର' ସାବ୍ୟସ୍ତ ହେବ । ଏହି ପ୍ରକଳ୍ପ ଜରିଆରେ ଓଡ଼ିଶା ବିଶ୍ୱର ଇସ୍ପାତ ମାନଚିତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ ।

ଆଞ୍ଚଳିକ ବିକାଶ ଏବଂ ନିଯୁକ୍ତି ସୁଯୋଗ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "ଗତ ୨୫ ବର୍ଷ ମଧ୍ୟରେ ସୁନ୍ଦରଗଡ଼ରୁ ବରଗଡ଼ ପର୍ଯ୍ୟନ୍ତ ଅଞ୍ଚଳ ଏକ ପ୍ରମୁଖ ଶିଳ୍ପ କ୍ଲଷ୍ଟର ଭାବେ ଉଭା ହୋଇଛି, ଯେଉଁଠାରେ ବିମାନବନ୍ଦର ଓ ଆଧୁନିକ ସୁବିଧାସୁଯୋଗ ଉପଲବ୍ଧ ହେଲାଣି । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) ପରିସରରେ 'ଜୋହୋ ସ୍କିଲ୍ ହବ୍'ର ଲୋକାର୍ପଣ ହୋଇଛି । ଏହା ଦ୍ୱାରା ସମ୍ବଲପୁରର ୨୫ ଜଣ ଯୁବବର୍ଗ ବର୍ତ୍ତମାନ ଜାପାନୀ ଭାଷା ଶିକ୍ଷା କରୁଛନ୍ତି, ଯାହାଫଳରେ ସେମାନେ ଏହି ଜାପାନୀ ପ୍ରକଳ୍ପରେ ସିଧାସଳଖ ନିଯୁକ୍ତି ପାଇପାରିବେ ।"

ଏଥିସହ ପଢ଼ନ୍ତୁ: ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ପ୍ରତିଷ୍ଠାନରେ ହେବ ଯୁବପିଢିଙ୍କ ଦକ୍ଷତା ବିକାଶ, ସମୀକ୍ଷା କଲେ ଯୁଗ୍ମ ସଚିବ

ଏହାକୁ କେନ୍ଦ୍ର ମନ୍ତ୍ରୀ 'ବାଏ ୱାନ-ଗେଟ୍ ୱାନ ଫ୍ରିର' ର ଆଖ୍ୟା ଦେଇ କହିଛନ୍ତି, "ନିବେଶକମାନେ ଏଠାରେ କେବଳ କାରଖାନା ନୁହେଁ, ବରଂ ଦକ୍ଷ ଓ ଭାଷାଜ୍ଞାନ ଥିବା ଯୁବଶକ୍ତି ମଧ୍ୟ ପାଇପାରିବେ ।" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୱେଲଥ୍ କ୍ରିଏଟରମାନଙ୍କୁ ସମ୍ମାନ ମନ୍ତ୍ରକୁ ଦୋହରାଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, "ଶିଳ୍ପାୟନ ମାଧ୍ୟମରେ ହିଁ ଦେଶର ବିକାଶ ଓ ଗରିବ କଲ୍ୟାଣ ସମ୍ଭବ ।" ଆଜିର ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜେଏସଡବ୍ଲୁ ଗ୍ରୁପ ଓ ଜେଏଫଇ ଷ୍ଟିଲ୍ କର୍ପୋରେସନକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି କାର୍ଯ୍ୟକ୍ରମରେ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମାନ୍ୟବର ଓନୋ କେଇଚି, ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଝାରସୁଗୁ଼ଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଭାରତରେ ଜେଏସଡବ୍ଲୁ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ, ଜେଏଫଇ ଷ୍ଟିଲ୍ କର୍ପୋରେସନର ସିଇଓ ୟୋଶିହିସା କିତାନୋ ଏବଂ ଜାପାନର ଶିଳ୍ପ ପ୍ରତିନିଧିମାନେ ଯୋଗ ଦେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored