Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଲେଶ୍ଵର ଦେଇ କାହିଁକି ଓଡ଼ିଶା ଛୁଇଁଲା ମୌସୁମୀ ? ଜୁନ୍‌ରେ ହେବ ତ ଭଲ ବର୍ଷା ?

Odisha

Odisha Monsoon / ବାଲେଶ୍ଵର ଦେଇ କାହିଁକି ଓଡ଼ିଶା ଛୁଇଁଲା ମୌସୁମୀ ? ଜୁନ୍‌ରେ ହେବ ତ ଭଲ ବର୍ଷା ?

Sushanta Sahoo
Browse all articles by Sushanta Sahoo
·2 hours ago·3 min read
ବାଲେଶ୍ଵର ଦେଇ କାହିଁକି ଓଡ଼ିଶା ଛୁଇଁଲା ମୌସୁମୀ ? ଜୁନ୍‌ରେ ହେବ ତ ଭଲ ବର୍ଷା ?
Heavy Rain Likely in Several Districts

Key Points

ଏଥରକ ମୌସୁମୀ ଦକ୍ଷିଣ ଓଡ଼ିଶା ପରିବର୍ତ୍ତେ ଜୁନ୍ ୧୨ରେ ବାଲେଶ୍ଵର ଦେଇ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଅଗ୍ରସର ହୋଇଛି । ୧୭ ବର୍ଷ ପରେ ବାଲେଶ୍ଵର ଦେଇ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।
ଭୁବନେଶ୍ଵର: ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଥରକ ମୌସୁମୀ ଦକ୍ଷିଣ ଓଡ଼ିଶା ପରିବର୍ତ୍ତେ ଜୁନ୍ ୧୨ରେ ବାଲେଶ୍ଵର ଦେଇ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଅଗ୍ରସର ହୋଇଛି । ୧୭ ବର୍ଷ ପରେ ବାଲେଶ୍ଵର ଦେଇ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।

ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରାୟତଃ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଦେଇ କିମ୍ବା ଗଞ୍ଜାମ-ପୁରୀ ଉପକୂଳ ଦେଇ ଓଡ଼ିଶା ଛୁଇଁଥାଏ । କିନ୍ତୁ ୨୦୨୬ରେ ମୌସୁମୀ ପୂର୍ବ ଉପକୂଳ ଦେଇ ଆସିଛି । ଯାହାକି ୧୯୯୦ ମସିହା ପରେ ଦୁର୍ଲଭ ।

ଏଥିସହ ପଢ଼ନ୍ତୁ: ଖୁସି ଖବର…ରଜ ପୂର୍ବରୁ ଓଡ଼ିଶାକୁ ପ୍ରବେଶ କଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ 

ତେବେ ଓଡ଼ିଶାରେ ସ୍ଵାଭାବିକ ହେବ ତ ମୌସୁମୀ ବର୍ଷା ? ନା ମୌସୁମୀରେ ନିଅଣ୍ଟିଆ ବର୍ଷା ହେବ । ତାହାକୁ ନେଇ ଚର୍ଚ୍ଚା ଚାଲିଛି । ବାଲେଶ୍ଵର ଦେଇ ଓଡ଼ିଶାକୁ ମୌସୁମୀ ଛୁଇଁଥିବା ବେଳେ ଏହା ପଛରେ ରହିଛି ହଜାର ହଜାର କିଲୋମିଟର ଦୂରରେ ଥିବା ଉତ୍ତର ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳ ।

ବ୍ୟତିକ୍ରମ କାହିଁକି ?

ମୌସୁମୀ ବିଳମ୍ବରେ ଓ ଭିନ୍ନ ଜିଲ୍ଲା ଦେଇ ଆସିଥିବାରୁ ବର୍ଷାର ପରିମାଣ ଏବଂ ସ୍ଥିତିକୁ ନେଇ ଦ୍ଵନ୍ଦ୍ଵ ଉପୁଜିଛି । ଏଥର ପ୍ରାୟ ୧୭ ବର୍ଷ ପରେ ବାଲେଶ୍ୱର ଉପକୂଳ ମୌସୁମୀର ପ୍ରବେଶ ଦ୍ୱାର ପାଲଟିଛି । ତେବେ ଏଭଳି ବ୍ୟତିକ୍ରମ କାହିଁକି ? ପାଣିପାଗ ବିଶେଷଜ୍ଞଙ୍କ ମତରେ, ଏଥର ବଙ୍ଗୋପସାଗରରେ କୌଣସି ଶକ୍ତିଶାଳୀ ଲଘୁଚାପ କିମ୍ବା ଅବପାତ ସୃଷ୍ଟି ହୋଇନାହିଁ ।

ବରଂ ବାଂଲାଦେଶ ଓ ଉତ୍ତର ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣି ବଳୟ, ମୌସୁମୀ ବାୟୁକୁ ଉତ୍ତର ଉପକୂଳ ଆଡ଼କୁ ଟାଣି ନେଇଛି । ଫଳରେ ଦକ୍ଷିଣ ନୁହେଁ, ବରଂ ବାଲେଶ୍ୱର-ଭଦ୍ରକ ମଧ୍ୟ ଦେଇ ଓଡ଼ିଶାକୁ ଛୁଇଁଛି ମୌସୁମୀ ।

ଜୁନ୍‌ରେ କେତେ ବର୍ଷିବ ?

ଜୁନ୍ ମାସର ବର୍ଷାର କ’ଣ ପ୍ରଭାବ ରହିବ ? IMDର ଆକଳନ ଅନୁସାରେ- ଜୁନ୍ ୧୨ରୁ ୧୬ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ୫୦ରୁ ୧୨୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଭୁବନେଶ୍ୱର-କଟକରେ ୪୦ରୁ ୮୦ ମିଲିମିଟର ବର୍ଷା ସହ ମୌସୁମୀ ସମ୍ପୂର୍ଣ୍ଣ ସକ୍ରିୟ ହେବ ।

୧୭ରୁ ୨୨ ଜୁନ୍ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ମୌସୁମୀ ପହଞ୍ଚିବ । ଯାହା ଖରିଫ ଚାଷ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ସମୟରେ ଉପକୂଳ ଓଡ଼ିଶାରେ ୭୫ରୁ ୧୫୦ ମିଲିମିଟର ଓ କେନ୍ଦ୍ରୀୟ ଓଡ଼ିଶାରେ ୫୦ରୁ ୧୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି ।

IMD ବୁଲେଟିନ୍ ଅନୁସାରେ ବର୍ତ୍ତମାନ ସମୟରେ ବଙ୍ଗୋପସାଗରରେ ତୁରନ୍ତ କୌଣସି ଲଘୁଚାପ କ୍ଷେତ୍ର କିମ୍ବା ଅବପାତ ସୃଷ୍ଟି ହେବାର ସ୍ପଷ୍ଟ ସଙ୍କେତ ମିଳୁନାହିଁ । ତେଣୁ ଜୁନ୍ ଶେଷ ସପ୍ତାହର ବର୍ଷା ପରିମାଣ ମୁଖ୍ୟତଃ ମୌସୁମୀ ପ୍ରବାହର ଶକ୍ତି ଓ ଆର୍ଦ୍ରତା ଉପରେ ନିର୍ଭର କରିବ ।

ଏଥିସହ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟା ପାଇଁ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା 

ତେବେ ଗତ କିଛି ସପ୍ତାହ ଧରି ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ ଲୋକେ । ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ମଧ୍ୟ ଉପରମୁହାଁ ହୋଇଥିଲା । ତାତିରେ ଛଟପଟ ହେଉଥିବା ଓଡ଼ିଶା ପାଇଁ ଏବେ ମୌସୁମୀ ଆଣିଛି ଆଶ୍ୱସ୍ତି ।

ଚାଷୀଙ୍କ ପାଇଁ ଏହା ଆଶାର ବର୍ଷା, ସହରବାସୀଙ୍କ ପାଇଁ ତାତିରୁ ମୁକ୍ତିର ବର୍ଷା । ଏଥରର ରଜ କେବଳ ପୋଡ଼ପିଠା, ପାନ ଓ ଦୋଳିରେ ସୀମିତ ରହିବନି । ରଜ ସହ ଯୋଡ଼ି ହୋଇଯିବ ମାଟିର ସୁଗନ୍ଧ ଓ ମୌସୁମୀ ବର୍ଷାର ମିଠା ସ୍ପର୍ଶ । କାରଣ ରଜ ଓ ବର୍ଷା ଏ ଦୁଇଟି ହେଉଛି ଓଡ଼ିଆ ମନର ଅଲଗା ଏକ ଭାବନା । ଏବେ ଅପେକ୍ଷା ଆକାଶ ଭରା ବର୍ଷା, ଆଉ ମାଟି ଭରା ସବୁଜିମା ପାଇଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored