Videos
|
Odisha

Fake Farmland Plot / କେଉଁଠି ରେଳ ଧାରଣା ତ ପୋଖରୀକୁ ଚାଷଜମି ଚିହ୍ନଟ; ସର୍ଭେରେ ଧରାପଡ଼ିଲା ୧ଲକ୍ଷରୁ ଅଧିକ ନକଲି ପ୍ଲଟ୍

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
କେଉଁଠି ରେଳ ଧାରଣା ତ ପୋଖରୀକୁ ଚାଷଜମି ଚିହ୍ନଟ; ସର୍ଭେରେ ଧରାପଡ଼ିଲା ୧ଲକ୍ଷରୁ ଅଧିକ ନକଲି ପ୍ଲଟ୍
Fake Farmland Plot in Kendujhar

Key Points

ଧାନ କିଣା ପୂର୍ବରୁ ନକଲି ଚାଷଜମି ଚିହ୍ନଟ
ସାଟେଲାଇଟ୍ ସର୍ଭେରୁ ଧରାପଡ଼ିଲା
୧ ଲକ୍ଷ ୩୧ ହଜାରରୁ ଅଧିକ ନକଲି ପ୍ଲଟ୍ ଚିହ୍ନଟ
କେନ୍ଦୁଝର: ଧାନର ଏମ୍‌ଏସ୍‌ପି ବୃଦ୍ଧି ପରେ ପ୍ରକୃତ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିବା ନେଇ ଆଶା ବଢ଼ିଛି । ହେଲେ ଧାନ କିଣା ପୂର୍ବରୁ ସାମ୍ନାକୁ ଆସିଛି ଏକ ବଡ଼ ଅନିୟମିତତା । ସାଟେଲାଇଟ୍ ସର୍ଭେରେ ଚିହ୍ନଟ ହୋଇଛି କେନ୍ଦୁଝର ଜିଲ୍ଲାର ପାଖାପାଖି ୧ ଲକ୍ଷ ୩୧ ହଜାର ୨୧୭ଟି ସନ୍ଦିଗ୍ଧ ନକଲି ଚାଷଜମି ପ୍ଲଟ୍ । କେଉଁଠି ରେଳ ଧାରଣାକୁ ଚାଷଜମି ଦର୍ଶାଯାଇଛି ତ ଆଉ କେଉଁଠି ପୋଖରୀ ଓ ଶ୍ମଶାନକୁ ମଧ୍ୟ ଚାଷଜମି ଭାବେ ପଞ୍ଜୀକରଣ କରାଯାଇଛି । ଘଟଣାର ତଦନ୍ତ ପାଇଁ ଏବେ କ୍ଷେତ୍ରସ୍ତରରେ ଯାଞ୍ଚ ଆରମ୍ଭ ହୋଇଛି।

ଚାଷୀଙ୍କ ଆୟ ବୃଦ୍ଧି ସହ ସେମାନଙ୍କୁ ଧାନର ଉଚିତ ମୂଲ୍ୟ ଦେବା ପାଇଁ ସରକାର ଧାନର ଏମ୍‌ଏସ୍‌ପି ବୃଦ୍ଧି କରିଛନ୍ତି । ଏହାଦ୍ୱାରା ପ୍ରକୃତ ଚାଷୀ ଉପକୃତ ହେବେ ବୋଲି ଆଶା କରାଯାଉଥିଲା । ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ପାଖାପାଖି ୯୪ ହଜାର ୧୩୭ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି । କିନ୍ତୁ ଧାନ କିଣା ପ୍ରକ୍ରିୟା ପୂର୍ବରୁ ସାମ୍ନାକୁ ଆସିଛି ଏକ ବଡ଼ ଅନିୟମିତତା ।

  • ସତ କହିଦେଲା ସାଟେଲାଇଟ୍ ସର୍ଭେ
ସାଟେଲାଇଟ୍ ସର୍ଭେରେ ପାଖାପାଖି ୧ ଲକ୍ଷ ୩୧ ହଜାର ୨୧୭ଟି ସନ୍ଦିଗ୍ଧ ନକଲି ଜମି ପ୍ଲଟ୍ ଚିହ୍ନଟ ହୋଇଛି । ପ୍ରତିବର୍ଷ ହଜାର ହଜାର ନକଲି ଚାଷଜମି ପଞ୍ଜୀକରଣ ହେଉଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ସମସ୍ତଙ୍କୁ ଚକିତ କରିଛି । ଘଟଣାର ଗୁରୁତ୍ୱକୁ ଦେଖି ସମବାୟ ବିଭାଗ, ଡିଆର୍‌ସିଏସ୍‌ ଏବଂ ଲ୍ୟାମ୍ପସ୍‌ ପକ୍ଷରୁ ପାଖାପାଖି ୩୦୦ କର୍ମଚାରୀଙ୍କୁ ନେଇ କ୍ଷେତ୍ରସ୍ତରୀୟ ଯାଞ୍ଚ ଆରମ୍ଭ ହୋଇଛି । ସମ୍ପୃକ୍ତ ଜମିରେ ପ୍ରକୃତରେ ଚାଷ ହୋଇଛି କି ନାହିଁ, ତାହାର ତଦନ୍ତ କରାଯାଉଛି ।

ପଢନ୍ତୁ ଏହି ଖବର: ସହାୟତାରୁ ବଞ୍ଚିତ ହେବେନି କୌଣସି ଯୋଗ୍ୟ ଚାଷୀ, ରାସନ କାର୍ଡ ନଥିଲେ ବି ମିଳିବ ଅର୍ଥ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ନକଲି ପଞ୍ଜୀକରଣ ପଛରେ କାହା ହାତ ?
ଏହି ଘଟଣାର ଅନୁସନ୍ଧାନ ପାଇଁ ସଦର ବ୍ଲକ୍‌ର ନରଣପୁର, ହଳଦିଆଟାଙ୍ଗରୀ ଏବଂ ଟାଙ୍ଗରପଡ଼ା ଅଞ୍ଚଳକୁ ଯାଇଥିଲୁ । ସେଠାରେ ଯାଞ୍ଚ ସମୟରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । କେଉଁଠି ରେଳ ଧାରଣା ଓ ରେଳବାଇ ଜମିକୁ ଚାଷଜମି ଦର୍ଶାଇ ପଞ୍ଜୀକରଣ କରାଯାଇଛି, ତ ଆଉ କେଉଁଠି ପୋଖରୀ ଓ ଶ୍ମଶାନକୁ ମଧ୍ୟ ଚାଷଜମି ଭାବେ ଦର୍ଶାଯାଇଛି । ଯାହା ଧାନକିଣା ପ୍ରକ୍ରିୟାରେ ହେଉଥିବା ବଡ଼ଧରଣର ଅନିୟମିତତାକୁ ପଦାରେ ପକାଇଛି । ଏବେ ପ୍ରଶ୍ନ ଉଠୁଛି, ଏତେ ସଂଖ୍ୟକ ନକଲି ଜମି ପଞ୍ଜୀକରଣ ପଛରେ କାହାର ହାତ ରହିଛି ? ଏହାର ତଦନ୍ତ ପରେ କେଉଁମାନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ? ତାହା ଉପରେ ଏବେ ସମସ୍ତଙ୍କ ନଜର ।