Odisha Road Policy 2025 / ସଡ଼କ ପ୍ରକଳ୍ପ ଆରମ୍ଭ ପୂର୍ବରୁ ୯୦% ଜମି ଉପଲବ୍ଧତା ବାଧ୍ୟତାମୂଳକ, ସଡ଼କ ନୀତି-୨୦୨୫ରେ ସଂଶୋଧନ
·1 hour ago·2 min read

Key Points
ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି
ସଡ଼କ କାମ ପୂର୍ବରୁ ମାନିବାକୁ ପଡ଼ିବ ଏହି ସର୍ତ୍ତ
୯୦% ଜମି ନଥିଲେ ମିଳିବନି କାର୍ଯ୍ୟାରମ୍ଭ ଅନୁମତି
ସଡ଼କ କାମ ପୂର୍ବରୁ ମାନିବାକୁ ପଡ଼ିବ ଏହି ସର୍ତ୍ତ
୯୦% ଜମି ନଥିଲେ ମିଳିବନି କାର୍ଯ୍ୟାରମ୍ଭ ଅନୁମତି
ରାଜ୍ୟରେ ସଡ଼କ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ଅଧିକ ତ୍ୱରାନ୍ୱିତ ଓ ବିଳମ୍ବମୁକ୍ତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ସଡ଼କ ନୀତି-୨୦୨୫ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି । ଏଣିକି କୌଣସି ସଡ଼କ ପ୍ରକଳ୍ପର କାର୍ଯ୍ୟାରମ୍ଭ ତାରିଖ (Date of Commencement) ଘୋଷଣା ପୂର୍ବରୁ ଅନ୍ତତଃ ୯୦ ପ୍ରତିଶତ ଜମି ଉପଲବ୍ଧ ହେବା ସହ ସମସ୍ତ ଆବଶ୍ୟକୀୟ ଆଇନଗତ ଅନୁମତି ମିଳିବା ବାଧ୍ୟତାମୂଳକ ହୋଇଛି ।
ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ରାଜ୍ୟ ସଡ଼କ ନୀତିର ଧାରା ୫.୫(J)ରେ ଏହି ସଂଶୋଧନ କରାଯାଇଛି । ପୂର୍ବରୁ ଠିକା ପ୍ରଦାନ ପୂର୍ବରୁ ୯୦ ପ୍ରତିଶତ ଜମି ଉପଲବ୍ଧତାର ସର୍ତ୍ତ ରହିଥିଲା । ଏବେ ଏହି ସର୍ତ୍ତକୁ ପ୍ରକଳ୍ପର କାର୍ଯ୍ୟାରମ୍ଭ ତାରିଖ ଘୋଷଣା ସହ ସିଧାସଳଖ ଯୋଡ଼ାଯାଇଛି ।
ନୂଆ ନିୟମ ଅନୁଯାୟୀ, ପ୍ରକଳ୍ପ ପାଇଁ ଆବଶ୍ୟକ ଅନ୍ତତଃ ୯୦ ପ୍ରତିଶତ ଜମି ଉପଲବ୍ଧ ରହିବା ଜରୁରୀ । ଏଥିସହ ଜଙ୍ଗଲ, ପରିବେଶ ଓ ବନ୍ୟପ୍ରାଣୀ ସମ୍ପର୍କିତ ସମସ୍ତ ଆଇନଗତ ମଞ୍ଜୁରି ମିଳିଥିବା ଆବଶ୍ୟକ। ବିଦ୍ୟୁତ୍ ଓ ଜଳ ଯୋଗାଣ ଭଳି ଉପଯୋଗୀ ସେବାର ସ୍ଥାନାନ୍ତରଣ କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ଦରକାର । ସେହିପରି ରେଳବାଇ, ଜଳସମ୍ପଦ ବିଭାଗ ଆଦି ସମ୍ପୃକ୍ତ ସଂସ୍ଥାଗୁଡ଼ିକଠାରୁ ଜେନେରାଲ ଆରେଞ୍ଜମେଣ୍ଟ ଡ୍ରଇଂ (GAD)ର ଅନୁମୋଦନ ମିଳିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।
ତେବେ ବିଶେଷ ପରିସ୍ଥିତିରେ ଏହି ନିୟମରେ କୋହଳ କରାଯାଇପାରିବ । ଏଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ କାରଣ ଦର୍ଶାଇବାକୁ ପଡ଼ିବ ଏବଂ ସରକାରଙ୍କ ପୂର୍ବ ଅନୁମୋଦନ ନେବାକୁ ହେବ ।
ସାଧାରଣତଃ ଜମି ଅଧିଗ୍ରହଣ, ବିଭିନ୍ନ ବିଭାଗର ଅନୁମତି ଓ ଉପଯୋଗୀ ସେବା ସ୍ଥାନାନ୍ତରଣରେ ବିଳମ୍ବ ଯୋଗୁଁ ଅନେକ ସଡ଼କ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରୁନାହିଁ । ନୂଆ ସଂଶୋଧନ ଫଳରେ ପ୍ରକଳ୍ପ ଆରମ୍ଭ ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇପାରିବ । ଏହାଦ୍ୱାରା କାର୍ଯ୍ୟ ମଝିରେ ଅଟକିବା ଆଶଙ୍କା ହ୍ରାସ ପାଇବା ସହ ସଡ଼କ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି ।
ଏଥି ସହ ପଢନ୍ତୁ: DRDOକୁ ବଡ଼ ସଫଳତା; 'ପ୍ରଳୟ' ମିସାଇଲ୍ର ସଫଳ ପରୀକ୍ଷଣ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories