Videos
|
Odisha

School Closed / ବର୍ଷା ଓ ବନ୍ୟା ବିପତ୍ତି; ଏହି ୪ ଜିଲ୍ଲାରେ ଗୁରୁବାର ବନ୍ଦ ରହିବ ଶିକ୍ଷାନୁଷ୍ଠାନ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ବର୍ଷା ଓ ବନ୍ୟା ବିପତ୍ତି; ଏହି ୪ ଜିଲ୍ଲାରେ ଗୁରୁବାର ବନ୍ଦ ରହିବ ଶିକ୍ଷାନୁଷ୍ଠାନ
Odisha School Holiday

Key Points

ରାଜ୍ୟର ଅନେକ ଅଞ୍ଚଳରେ ଲୋକ ଏବେ ବି ବଢ଼ି ପାଣି ଭିତରେ ଅଛନ୍ତି । ବର୍ଷା ଲାଗି ରହିଥିବାରୁ ଓ ପାଣି ଛାଡ଼ି ନଥିବାରୁ ୪ଟି ଜିଲ୍ଲାର ପ୍ରଶାସନ ଆସନ୍ତାକାଲି (ଗୁରୁବାର) ବିଦ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ଵର: ଲଘୁଚାପ ପ୍ରଭାବରେ ଲାଗି ରହିଥିବା ପ୍ରବଳ ବର୍ଷା କମିଛି । ହେଲେ ଥମିନି ଦୁର୍ଦ୍ଦଶା । ରାଜ୍ୟର ଅନେକ ଅଞ୍ଚଳରେ ଲୋକ ଏବେ ବି ବଢ଼ି ପାଣି ଭିତରେ ଅଛନ୍ତି । ବର୍ଷା ଲାଗି ରହିଥିବାରୁ ଓ ପାଣି ଛାଡ଼ି ନଥିବାରୁ ୪ଟି ଜିଲ୍ଲାର ପ୍ରଶାସନ ଆସନ୍ତାକାଲି (ଗୁରୁବାର) ବିଦ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗୁରୁବାର ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର, ଯାଜପୁର ଆଦି ୪ ଜିଲ୍ଲାରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ । ଏସବୁ ଜିଲ୍ଲାରେ ବିଦ୍ୟାଳୟ ସହ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ । ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

ଏଥିସହ ପଢ଼ନ୍ତୁ: ମଧ୍ୟାହ୍ନରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ନିଖୋଜ; ସନ୍ଧ୍ୟାରେ ସ୍କୁଲ୍ ପଛ ପାର୍ଶ୍ଵରୁ ମିଳିଲା ମୃତଦେହ 

ଯାଜପୁର

ଯାଜପୁର ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ ବନ୍ଦ ରହିବ । ବୈତରଣୀ-ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ହେତୁ ଆସନ୍ତାକାଲି (୩୦ ଜୁଲାଇ, ଗୁରୁବାର) ଯାଜପୁର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଆଦେଶ ଜାରି କରିଛନ୍ତି ।

କଳାହାଣ୍ଡି

ସେହିଭଳି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ୩୦ ଜୁଲାଇ (ଗୁରୁବାର) ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚମାଧ୍ୟମିକ ବିଦ୍ୟାଳୟ, OAV, KVS, EMRS, JNV ଏବଂ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ।

ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଏହି ଆଦେଶକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ତେବେ ଶିକ୍ଷକ ଓ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହିବେ ।

ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲାରେ ସମସ୍ତ ଘରୋଇ ଓ ସରକାରୀ ଶିକ୍ଷା ଅନୁଷ୍ଠାନକୁ ଗୁରୁବାର ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜୁଲାଇ ୩୦ରେ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ପୂର୍ବାନୁମାନ କରାଯାଇଛି । ଏଥିସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ହେଉଛି ।

ଛୋଟ ପିଲାମାନଙ୍କ ଯାତାୟାତ ପାଇଁ ଅସୁବିଧାଜନକ ଓ ବିପଦପୂର୍ଣ୍ଣ ହୋଇପାରେ । ତେଣୁ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର, ସମସ୍ତ ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ଘରୋଇ ବିଦ୍ୟାଳୟକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ସମସ୍ତ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀ ନିଜ ନିଜ ଅନୁଷ୍ଠାନରେ ପୂର୍ବପରି ଉପସ୍ଥିତ ରହିବେ ।

ଏଥିସହ ପଢ଼ନ୍ତୁ: ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା, ତଳିଆ ଅଞ୍ଚଳରେ ପଶିବ ପାଣି 

ଭଦ୍ରକ

ଲଗାଣ ବର୍ଷା ସାଙ୍ଗକୁ ବନ୍ୟା । ଭଦ୍ରକ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଲଗାତାର ୨ ଦିନ ହେଲା ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି କରାଯାଇଛି । ଏବେ ବର୍ଷା ଲାଗି ରହିଥିବା ବେଳେ ବଢ଼ି ପାଣି ଛାଡ଼ି ନଥିବାରୁ ପ୍ରଶାସନ ଲଗାତାର ତୃତୀୟ ଦିନ ଗୁରୁବାର ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରିଛି ।

ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୩୦ ଜୁଲାଇ ଗୁରୁବାର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରଖାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: