Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭୋଟର ତାଲିକାର SIR ପାଇଁ ୧୦ ବରିଷ୍ଠ IAS ଅଧିକାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ

Odisha

Odisha SIR / ଭୋଟର ତାଲିକାର SIR ପାଇଁ ୧୦ ବରିଷ୍ଠ IAS ଅଧିକାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ

Sushanta Sahoo
Browse all articles by Sushanta Sahoo
·2 hours ago·4 min read
ଭୋଟର ତାଲିକାର SIR ପାଇଁ ୧୦ ବରିଷ୍ଠ IAS ଅଧିକାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ
10 IAS Officers Named as Observers

Key Points

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ପଦକ୍ଷେପ
୧୦ ବରିଷ୍ଠ IAS ଅଧିକାରୀ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' ନିଯୁକ୍ତ
ଦାୟିତ୍ୱରେ ଥିବା ଜିଲ୍ଲାକୁ ଅତି କମ୍‌ରେ ୩ ଥର ଯିବେ ପର୍ଯ୍ୟବେକ୍ଷକ
ଭୋଟର ତାଲିକା ନେଇ ଅଭିଯୋଗ କରିପାରିବେ ସାଧାରଣ ଲୋକ
ଆସନ୍ତା ୫ ତାରିଖରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା
ଭୁବନେଶ୍ଵର: ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ପଦକ୍ଷେପ । ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' ଭାବେ ନିଯୁକ୍ତ କରାଯାଇଛି । ଆସନ୍ତା ୫ ତାରିଖରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା ।

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା  ଓଡ଼ିଶାର ୧୦ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' (Electoral Roll Observer) ଭାବେ ନିଯୁକ୍ତ କରାଯାଇଛି ।

ଏହି ସଂଶୋଧନ ପ୍ରକ୍ରିୟା ପାଇଁ ୦୧.୦୭.୨୦୨୬ କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ-ତଥା-ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି, ଓଡ଼ିଶାରେ ନିବେଶ ହେବ ୬୭ ହଜାର କୋଟି 

କେଉଁ ଜିଲ୍ଲା ପାଇଁ କାହାକୁ ଦାୟିତ୍ଵ ?

ରାଜେଶ ପ୍ରଭାକର ପାଟିଲ, IAS (କମିଶନର ତଥା ସମବାୟ ବିଭାଗ ସଚିବ)ଙ୍କୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ସେହିଭଳି ଅରବିନ୍ଦ ଅଗ୍ରୱାଲ, IAS (କମିଶନର ତଥା ଉଚ୍ଚଶିକ୍ଷା ବିଭାଗ ସଚିବ)ଙ୍କୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।

ବଳବନ୍ତ ସିଂହ, IAS (କମିଶନର ତଥା ପର୍ଯ୍ୟଟନ ବିଭାଗ ସଚିବ)ଙ୍କୁ କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଦାୟିତ୍ଵ ଦିଆଯାଇଛି । ବି. ପରମେଶ୍ୱରନ, IAS (କମିଶନର ତଥା ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସଚିବ)ଙ୍କୁ ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଜିଲ୍ଲା ଦାୟିତ୍ଵ ମିଳିଛି ।

ଡ. ବିଜୟ କେତନ ଉପାଧ୍ୟାୟ, IAS (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ)ଙ୍କୁ ଦେବଗଡ଼, ସମ୍ବଲପୁର, ବରଗଡ଼ । ଡି. ପ୍ରସନ୍ନ କୁମାର ରେଡ୍ଡୀ, IAS (ପ୍ରବନ୍ଧ ନିର୍ଦ୍ଦେଶକ, IDCO)ଙ୍କୁ ଗଞ୍ଜାମ, ଗଜପତି, ରାୟଗଡ଼ା । ସୁଧାଂଶୁ ମୋହନ ସାମଲ, IAS (ଆରଡିସି, କେନ୍ଦ୍ରାଞ୍ଚଳ)ଙ୍କୁ କଟକ, ଢେଙ୍କାନାଳ, ଅନୁଗୋଳ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' ଭାବେ ନିଯୁକ୍ତ କରାଯାଇଛି ।

ରଶ୍ମିତା ପଣ୍ଡା, IAS (କମିଶନର ତଥା MSME ବିଭାଗ ସଚିବ)ଙ୍କୁ ପୁରୀ, ଖୋରଧା, ନୟାଗଡ଼, ଭୁବନେଶ୍ୱର । ମହମ୍ମଦ ସାଦିକ ଆଲମ, IAS (କମିଶନର ତଥା ସାଧାରଣ ଉଦ୍ୟୋଗ ବିଭାଗ ସଚିବ)ଙ୍କୁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ସଂଗ୍ରାମ କେଶରୀ ମହାପାତ୍ର, IAS (ଆରଡିସି, ଉତ୍ତରାଞ୍ଚଳ/ଦକ୍ଷିଣାଞ୍ଚଳ)ଙ୍କୁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ।

ଅତି କମ୍‌ରେ ୩ ଥର ଜିଲ୍ଲା ଗସ୍ତ

ଏହି ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ଦାୟିତ୍ୱ ଦିଆଯାଇଥିବା ନିଜ ନିଜ ଜିଲ୍ଲାକୁ ଅତି କମ୍‌ରେ ୩ ଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ ।

ମତଦାନ କେନ୍ଦ୍ରକୁ ଯିବେ

ପର୍ଯ୍ୟବେକ୍ଷକମାନେ କେବଳ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ନିଜର ଗସ୍ତକୁ ସୀମିତ ନ ରଖି, ବିଭିନ୍ନ ବିଧାନସଭା ମଣ୍ଡଳୀର ମତଦାନ କେନ୍ଦ୍ର ଗୁଡ଼ିକୁ ନିଜେ ପରିଦର୍ଶନ କରିବେ । ଗସ୍ତ ସମୟରେ ସେମାନେ ସେହି ଅଞ୍ଚଳର ସାଂସଦ ,ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ କରିବେ ।

ଅଭିଯୋଗ କରିପାରିବେ ଜନତା

ଏହି ବୈଠକରେ ସେମାନଙ୍କର ଅଭିଯୋଗ ଓ ସମସ୍ୟା ଶୁଣିବା ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସେମାନଙ୍କର ସକ୍ରିୟ ସହଯୋଗ ଲୋଡ଼ିବେ ।
ଭୋଟର ତାଲିକା ସମ୍ବନ୍ଧୀୟ ଯେ କୌଣସି ସମସ୍ୟା ବା ଅଭିଯୋଗ ପାଇଁ ସାଧାରଣ ଜନତାଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକଙ୍କୁ ସାକ୍ଷାତ କରିବାର ସୁଯୋଗ ଦିଆଯିବ ।

ପର୍ଯ୍ୟବେକ୍ଷକମାନଙ୍କର ଗସ୍ତ ସୂଚୀ, ଟେଲିଫୋନ/ମୋବାଇଲ୍ ନମ୍ବର ଇତ୍ୟାଦି ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରାଯିବ, ଯେପରି ସାଧାରଣ ଲୋକେ ସହଜରେ ଯୋଗାଯୋଗ କରିପାରିବାର ସୁଯୋଗ ପାଇବେ ।

ଯେଉଁ ବିଧାନସଭା ମଣ୍ଡଳୀଗୁଡ଼ିକରେ ଭୋଟରଙ୍କ ନାମ ବାଦ୍ ପଡ଼ିବ (Deletion) କିମ୍ବା ନୂଆ ନାମ ସଂଯୋଗ ହେବା (Addition)ର ହାର ଜିଲ୍ଲାର ହାରାହାରି ତୁଳନାରେ ୧%ରୁ ଅଧିକ ଥିବ କିମ୍ବା କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ଏହା ୩%ରୁ ଅଧିକ ଥିବ, ସେଠାରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଓ କାରଣକୁ ପର୍ଯ୍ୟବେକ୍ଷକମାନେ ବ୍ୟକ୍ତିଗତ ଭାବେ ତୀକ୍ଷ୍ଣ ଯାଞ୍ଚ କରିବେ ।

ବାଦ୍ ପଡ଼ିବେନି ଯୋଗ୍ୟ ଭୋଟର୍

କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏକ ବିସ୍ତୃତ ରିପୋର୍ଟ ପଠାଇବେ । ଯାହା ଫଳରେ କେହି ଜଣେ ବି ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡ଼ିବେ ନାହିଁ ଓ  ଅଯୋଗ୍ୟ ଭୋଟର  ସାମିଲ ହେବେ ନାହିଁ ଏବଂ ସମସ୍ତ ପ୍ରକ୍ରିୟା ସ୍ୱଚ୍ଛତାର ସହିତ ହେବ ତା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଚୌଦ୍ବାର ଜେଲରେ HIV ଆତଙ୍କ, ୫ କଏଦୀ ପଜିଟିଭ ଚିହ୍ନଟ 

ସେହିପରି ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟର ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ୫ ତାରିଖରେ ପ୍ରକାଶ ପାଇବ । ଚିଠା ​ଭୋଟର ତାଲିକା ପ୍ରକାଶ ପାଇଲା ପରେ କୌଣସି ପ୍ରକାରର ଆପତ୍ତି କିମ୍ବା ଅଭିଯୋଗ ଥିଲେ, ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ମଧ୍ୟରେ ଆପତ୍ତି ଦାଖଲ କରାଯାଇପାରିବ ।

୫ ଜୁଲାଇ ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲଖିତ ହୁଏ, ​ଫର୍ମ-୬ (Form 6)-ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ, ​ଫର୍ମ-୭ (Form 7) ଦେଇ ଭୋଟର ତାଲିକାରୁ ନାମ ବାଦ୍ ଓ ​ଫର୍ମ-୮ (Form 8) ମାଧ୍ୟମରେ ଯେକୌଣସି ପ୍ରକାରର ସଂଶୋଧନ କରିପାରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored