Videos
|
Odisha

Odisha Flood / ବନ୍ୟା କମିଲା...ଯନ୍ତ୍ରଣା ବଢ଼ିଲା, ତିନି ଜିଲ୍ଲାରେ ଜଳବନ୍ଦୀ ଲୋକଙ୍କ ହାହାକାର

Santosh Kumar Sahoo
Browse all articles by Santosh Kumar Sahoo
·57 mins ago·2 min read
ବନ୍ୟା କମିଲା...ଯନ୍ତ୍ରଣା ବଢ଼ିଲା, ତିନି ଜିଲ୍ଲାରେ ଜଳବନ୍ଦୀ ଲୋକଙ୍କ ହାହାକାର
Flood

Key Points

ବାଲେଶ୍ୱରରେ ସୁବର୍ଣ୍ଣରେଖାର ତୃତୀୟ ବନ୍ୟା
ଯାଜପୁରରେ ଭଙ୍ଗା ଘାଇ ଦୁଃଖ
ଚାନ୍ଦବାଲିରେ ମାସକରେ ୪ଟି ବନ୍ୟା

ବାଲେଶ୍ୱର ଜିଲ୍ଲା ଜିଲ୍ଲାରେ ଖସୁଛି ସୁବର୍ଣ୍ଣରେଖା ଜଳସ୍ତର । କିନ୍ତୁ କମୁନି ୨ ଲକ୍ଷରୁ ଅଧିକ ଲୋକଙ୍କ ଦୁର୍ଦ୍ଦଶା । ଭୋଗରାଇ ବ୍ଲକ୍‌ର ୧୮ରୁ ଅଧିକ ପଞ୍ଚାୟତର ୧୨୦ରୁ ଅଧିକ ଗାଁ ଏବେ ବି ଜଳବନ୍ଦୀ । ଦୀର୍ଘ ୨୦ ଦିନ ହେଲା ଚକଇଶବ ଗାଁର ୨ ଶହ ପରିବାର ପାଣି ଭିତରେ ଫସି ରହିଛନ୍ତି । କୁସୁଡ଼ା ଗାଁର ଅନ୍ନପୂର୍ଣ୍ଣା ଦାସଙ୍କ ପରିବାର ଭଳି ଶହ ଶହ ଲୋକ ଛାତ ଉପରେ ଓ ପାଣି ଭିତରେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଘରେ ଥିବା ଧାନ-ଚାଉଳ ନଷ୍ଟ ହୋଇଯାଇଛି, ଜୀବନ ବଞ୍ଚିଛି ସତ କିନ୍ତୁ ଜୀବିକା ଲୁଟିନେଇଛି ବନ୍ୟା । ପ୍ରଶାସନିକ ସହାୟତା ସମୁଦ୍ରକୁ ଶଙ୍ଖେ । ଏମିତି ସ୍ଥିତିରେ ଆଶା ସାଜିଛନ୍ତି ସମାଜସେବୀ । ବିପନ୍ନଙ୍କୁ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଉଛନ୍ତି । ଅନ୍ୟପଟେ ମନୁନଗର ଗାଁରେ ଓଡ୍ରାଫ୍ କି ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ସୃଷ୍ଟି ହେଲା ବିଷମ ସ୍ଥିତି । ଅସୁସ୍ଥ ହୋଇଥିବା ଦିନବନ୍ଧୁ ପରିଡ଼ାଙ୍କୁ ସ୍ଥାନୀୟ ଜଣେ ସମାଜସେବୀ ପିଣ୍ଟୁ ପାଲ ନିଜ ଟ୍ରାକ୍ଟରରେ ମୁଖ୍ୟ ରାସ୍ତାକୁ ନେଇ ହସ୍ପିଟାଲ ପଠାଇଲେ ।

ସୁବର୍ଣ୍ଣରେଖାର ତୃତୀୟ ବନ୍ୟା ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ରେ ବି ସୃଷ୍ଟି କରିଛି ପ୍ରଳୟ । ପାଣି ନିଷ୍କାସିତ ହେଉନଥିବାରୁ ହଜାର ହଜାର ହେକ୍ଟର ଜମିରେ ପନିପରିବା ଓ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଗୋରୁଗାଈ ଭୋକ ଉପାସରେ ଅଛନ୍ତି । ଜାମକୁଣ୍ଡା ପଞ୍ଚାୟତର ବହୁ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପାୱାରବୋଟ୍ ଗୁଡ଼ିକୁ ହଠାତ୍ ବନ୍ଦ କରିଦିଆଯାଇଛି । ଫଳରେ ଲୋକେ ଦେଶୀ ଡଙ୍ଗାରେ ଟଙ୍କା ଦେଇ ବା ବିପଦସଙ୍କୁଳ ଭାବେ ପାଣିରେ ପଶି ଯାତାୟାତ କରୁଛନ୍ତି ।

ସେପଟେ ଯାଜପୁର ଜିଲ୍ଲାରେ ବୈତରଣୀ ଓ ଶାଖା ନଦୀ କାଣୀରେ ବନ୍ୟା ଆସିବା ଫଳରେ ଦଶରଥପୁର ବ୍ଲକ୍‌ର ୧୯ଟି ଗ୍ରାମ ପଞ୍ଚାୟତର ୬୨ଟି ଗାଁ ଗୁରୁତର ଭାବେ ପ୍ରଭାବିତ ହୋଇଛି । ତରପଦା, ମଲ୍ଲିକାପୁର, କସପା ଓ ଜୟନ୍ତରା ପଞ୍ଚାୟତରେ ନିର୍ମାଣଧୀନ ଘାଇ ବାଟେ ପୁଣି ବନ୍ୟାପାଣି ପଶିବାରୁ ବ୍ୟାପକ ଚାଷଜମି ବୁଡ଼ି ରହିଛି । ପାଣି କମିବା ପରେ ଏବେ ଡୋଭାବିଲ ପାଟଣାଠାରେ ଜଳସମ୍ପଦ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଘାଇ ମରାମତି ଚାଲିଛି । ୨୦୦ରୁ ଅଧିକ ଶ୍ରମିକ ବାଲିବସ୍ତା, ଡଷ୍ଟ, କାଠ ଓ ବାଉଁଶ ବ୍ୟବହାର କରି ବନ୍ଧା ରାସ୍ତା ମରାମତି କରୁଛନ୍ତି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ରେ ବନ୍ୟା ପରେ ବନ୍ୟା ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ମାତ୍ର ଗୋଟିଏ ମାସ ମଧ୍ୟରେ ଲଗାତାର ୪-୪ଟି ବନ୍ୟା ପ୍ରକୃତିର ଦାଉ ସାଜିଛି । ଚାନ୍ଦବାଲିର ମୁଆଁ ଗାଁ ଆଜି ବି ଜଳମଗ୍ନ । ଆରଡ଼ି-ମୁଆଁ ଘୋଷରା ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଗାଁକୁ ଯିବା ପାଇଁ ଡଙ୍ଗା ହିଁ ସାଜିଛି ଏକମାତ୍ର ଭରସା । ପୂର୍ବ ବନ୍ୟାର ଘା’ ଶୁଖିନଥିବା ବେଳେ ଲୋକେ ଘରଦ୍ୱାର ସଜାଡ଼ି ସ୍ୱାଭାବିକ ଜୀବନକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ପୁନର୍ବାର ବନ୍ୟା ଆସି ସବୁ ଆଶାକୁ ଧୋଇ ନେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରକୃତିର ଦାଉ ଏବଂ ପ୍ରଶାସନର ଅବହେଳା ଭିତରେ ଓଡ଼ିଶାର ଏହି ତିନି ଜିଲ୍ଲାର ବନ୍ୟା ବିପନ୍ନ ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି । ତୁରନ୍ତ କ୍ଷତିପୂରଣ ସହ ପାୱାରବୋଟ୍ ଓ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ ଦାବି ହୋଇଛି ।

ଏଥିସହ ପଢ଼ନ୍ତୁବାରମ୍ବାର ବନ୍ୟା ବଢାଉଛି ଲୋକଙ୍କ ଦୁର୍ଦ୍ଦଶା, ସୁବର୍ଣ୍ଣରେଖା ବନ୍ୟା ନେଲା ଦୁଇଟି ଅମୁଲ୍ୟ ଜୀବନ