Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Paddy Procurement / ୧୫ ଦିନ ପର୍ଯ୍ୟନ୍ତ ସବୁ ମଣ୍ଡିରୁ ଧାନ ଉଠିବ; ସରକାରଙ୍କ ସହ ମହାସଂଘର ଆଲୋଚନା ସଫଳ

Sushanta Sahoo
Browse all articles by Sushanta Sahoo
·6 months ago·2 min read
୧୫ ଦିନ ପର୍ଯ୍ୟନ୍ତ ସବୁ ମଣ୍ଡିରୁ ଧାନ ଉଠିବ; ସରକାରଙ୍କ ସହ ମହାସଂଘର ଆଲୋଚନା ସଫଳ
Paddy lifting to resume in all mandis across Odisha

Key Points

  • ପଡ଼ି ରହବିନି ଧାନ, କାଲିଠୁ ସ୍ଵାଭାବିକ ହେବ ମଣ୍ଡି
  • ସରକାରଙ୍କ ସହ ମହାସଂଘର ଆଲୋଚନା ସଫଳ
  • ୧୫ ଦିନ ପର୍ଯ୍ୟନ୍ତ ସବୁ ମଣ୍ଡିରୁ ଧାନ ଉଠିବ
  • ଖୁବଶୀଘ୍ର ମିଳିବ ବକେୟା, ଆନ୍ଦୋଳନରୁ ଓହରିଲା ମହାସଂଘ
ଭୁବନେଶ୍ଵର: ସ୍ଵାଭାବିକ ହେବ ମଣ୍ଡି । କାଲିଠୁ ମଣ୍ଡିରୁ ଉଠିବ ଧାନ । ୧୫ ଦିନ ପର୍ଯ୍ୟନ୍ତ ସବୁ ମଣ୍ଡିରୁ ଧାନ ଉଠିବ । ସରକାରଙ୍କ ସହ ଆଲୋଚନା ପରେ ଧାନ ଉଠିବା ନେଇ ଆଶ୍ଵସ୍ଥ କରିଛି ଓଡ଼ିଶା ରାଇସ୍ ମିଲର୍ସ ମହାସଂଘ ।

ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ମହାସଂଘର ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦୀପକ ରଞ୍ଜନ ଦାଶଙ୍କ ଅନୁସାରେ, "ସରକାର ୪ ଦଫା ଦାବିରୁ ଗୋଟିଏକୁ ମାନି ନେଇଛନ୍ତି । ମହାସଂଘ ରଖୁଥିବା ଦାବିକୁ ସରକାର ଶୁଣିଛନ୍ତି । ମଣ୍ଡିରେ ଆଉ ଧାନ ପଡ଼ି ରହିବ ନାହିଁ । ୧୫ ଦିନ ପର୍ଯ୍ୟନ୍ତ ସବୁ ମଣ୍ଡିରୁ ଧାନ ଉଠିବ ।"

ଏଥିସହ ପଢ଼ନ୍ତୁ: ଗୁରୁତର ରୋଗୀଙ୍କ ମୁଣ୍ଡରେ ଖସି ପଡ଼ିଲା ସିଲିଂ; କେତେ ସୁରକ୍ଷିତ ବଡ଼ ମେଡିକାଲ୍ ?

ସେହିଭଳି ବକେୟା ରାଶି ଖୁବ୍‌ଶୀଘ୍ର ସରକାର ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ ମହାସଂଘ ତାର ନିଷ୍ପତ୍ତିରୁ ଓହରିଛି । ସୂଚନା ଅନୁସାରେ, ରକ୍ଷଣାବେକ୍ଷଣ ବାବଦରେ ୨୦୨୩-୨୪ ଓ ୨୦୨୪-୨୫ ଖରିଫ ବର୍ଷରେ ବକେୟା ଥିବା ୧୬୦ କୋଟି ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ସରକାର ସହମତି ପ୍ରକାଶ କରିଛନ୍ତି ।

ଆଗାମୀ ୭ ଦିନ ଭିତରେ ସମସ୍ତ ମିଲର ସେମାନଙ୍କ ପ୍ରାପ୍ୟ ପାଇଯିବେ ବୋଲି ଆଶା ରଖିଛି ମହାସଂଘ । ସେହିପରି ପରିବହନ ଚାର୍ଜ ଅର୍ଥାତ ମଣ୍ଡିରୁ ମିଲକୁ ଧାନ ଆସିବା ଏବଂ ମିଲରୁ ବିଭିନ୍ନ ଗୋଦାମକୁ ଧାନ ଯିବା ପରିବହନ ଖର୍ଚ୍ଚ ବାବଦରେ ବିଭାଗ ଅନୁଧ୍ୟାନ କରୁଛି । ଏନେଇ ୧୫ ଦିନ ସମୟ ଦିଆଯାଇଛି ।

ପୂର୍ବରୁ ୪୦ କିଲୋମିଟରରୁ ଅଧିକ ପାଇଁ ପ୍ରତି କିଲୋମିଟରକୁ କ୍ଵିଣ୍ଟାଲ ପିଛା ୪୩ ପଇସା ଥିଲା । ଏବେ ତାକୁ ୨୮ ପଇସାକୁ ହ୍ରାସ କରାଯାଇଛି । ଯାହାକୁ ମହାସଂଘ ବିରୋଧ କରିଛି । ଅଧିକ ନ ହେଲେ ନାହିଁ ଯେତିକି ପଇସା ଥିଲା ସେତିକି ଦେବା ପାଇଁ ମହାସଂଘ ଦାବି କରିଛି ।

ଏଥିସହ ପଢ଼ନ୍ତୁ: ୩ ଦିନ ଶୀତ ଲହରୀ, ୫ ଦିନ ଘନ କୁହୁ଼ଡ଼ି; ଚେତାଇଲା ପାଣିପାଗ ବିଭାଗ

ଏ ବାବଦରେ ଅନୁଧ୍ୟାନ କରି ୧୫ ଦିନ ଭିତରେ ସରକାର ସମାଧାନ କରିବେ ବୋଲି ମହାସଂଘ ଆଶା ରଖିଛି । ସେହିପରି ଅରୁଆ ଧାନ ସମସ୍ୟାର ସମାଧାନ ପାଇଁ ମଧ୍ୟ ସରକାର ସମୟ ମାଗିଛନ୍ତି ।

ଅରୁଆ ପାଇଁ ୧୭%ରେ ଧାନ କିଣା ହୁଏ । ହେଲେ ଚାଉଳ ୧୪%ରେ ବିକ୍ରି ହୁଏ । ଯେଉଁଥିପାଇଁ ମିଲରମାନେ ୩% କ୍ଷତି ସହୁଥିଲେ । ସରକାର ପୂର୍ବରୁ ୧% କ୍ଷତିପୂରଣ ଦେଉଥିଲେ । ଏବେ ତାକୁ ୦.୦୭୮% କରିଛନ୍ତି । ପୂର୍ବ ଅନୁସାରେ କ୍ଷତିଭରଣା ପାଇଁ ମହାସଂଘ ଦାବି କରିଛି ।

୧୫ ଦିନ ଭିତରେ ସମସ୍ତ ଦାବି ଉପରେ ଆଲୋଚନା କରି ସମାଧାନ କରାଯିବ ବୋଲି ସରକାର କହିଛନ୍ତି । ଦାବି ପୂରଣ ନ ହେଲେ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମହାସଂଘର ସମ୍ପାଦକ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Paddy Lifting to Resume in All Mandis for 15 Days | Argus News | Argus News