ଛୋଟଠୁ ବଡ଼, ଗରିବଠୁ ଧନୀ, ଏଠି ସମସ୍ତଙ୍କର ପ୍ରିୟ ପଖାଳ

ଅର୍ଗସ ବ୍ୟୁରୋ : ନିଆରା ଓଡ଼ିଆଙ୍କ ସଂସ୍କୃତି ଆଉ ନିଆରା ଓଡ଼ିଆଙ୍କ ଖାଦ୍ୟପେୟ । ହେଲେ ଯେତେ ଖାଦ୍ୟ ତା ଭିତରେ ପଖାଳ । ସମସ୍ତଙ୍କ ଠାରୁ ନିଆରା, ସମସ୍ତଙ୍କ ପାଇଁ ସାହାରା । ପଖାଳ ସହ ଜଡ଼ିତ ଓଡ଼ିଆଙ୍କ ଇମୋସନ ଆଉ ଓଡ଼ିଆଙ୍କ ଡିଭୋସନ୍ । ପଖାଳ ଆମ ପାଇଁ ଏକ ଖାଦ୍ୟ ନୁହେଁ ବରଂ ଭବ୍ୟ, ଭୋଗ୍ୟ, ଭାସ୍ବର, ଭରାଭରା, ସ୍ବାଭିମାନ, ସ୍ପର୍ଦ୍ଧା ଆଉ ଶିହରଣ । ପଖାଳ ହିଁ ଆମ ଇତିହାସର ମୂକସାକ୍ଷୀ, ପୁଣି ଆମ ଇତିହାସର ମୁଖର ପ୍ରତିନିଧି । ଓଡ଼ିଆଙ୍କ ପ୍ରେମ, ପ୍ରଣାମ ଆଉ ପ୍ରଣବର ପ୍ରମାଣ ହେଉଛି ପଖାଳ । ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରି ବିଜେ ଦିନକୁ ଛାଡ଼ି ଦେଲେ ଏ ଜାତିର ବଡ଼ ଠାକୁର ଶ୍ରୀଜଗନ୍ନାଥ ପଖାଳ ଭୋଗରେ ସନ୍ତୋଷ ହୁଅନ୍ତି । ସକାଳ ଧୂପରେ ମଧୁର ପଖାଳ, ଦ୍ବିପହରରେ ସୁବାସ ପଖାଳ, ସନ୍ଧ୍ୟାରେ ଦହି ପଖାଳ ଓ ବଡ଼ସିଂହାରରେ ଘିଅ ପଖାଳ ହେଉଛି ମହାପ୍ରଭୁଙ୍କ ସ୍ବତନ୍ତ୍ର ମଣୋହି । ପଖାଳ ଖାଇ ନିଦ୍ରା ଯାଆନ୍ତି ଚତୁର୍ଦ୍ଧାମୂରତି । ଆଉ ଓଡ଼ିଆଙ୍କୁ ଆତ୍ମତୃପ୍ତି ଦେଉଥିବା ପଖାଳର ପ୍ରଚାର ପ୍ରସାର ପାଇଁ ଆଜି ପାଳିତ ହେଉଛି ପଖାଳ ଦିବସ ।
ଓଡ଼ିଆ ଘରର ନୂଆଣିଆ ଚାଳଘରୁ ପଞ୍ଚିତାରକା ହୋଟେଲ ଯାଏଁ, ସବୁଠି ପଖାଳର ଚାହିଦା । ସେଥିପାଇଁ ଆଜି ରାଜଧାନୀ ଭୁବନେଶ୍ବର ସମେତ, ସିଲଭରସିଟି କଟକ, ସମ୍ବଲପୁର ଓ ବାରିପଦାରେ ବି ବେଶ ଧୁମଧାମରେ ପାଳିତ ହୋଇଛି ପଖାଳ ଦିବସ । ଭୁବନେଶ୍ବର ସହିଦନଗର ପୂଜା ସମିତି ପକ୍ଷରୁ ଦେଢ କ୍ବିଣ୍ଟାଲ ପଖାଳ ସାଙ୍ଗକୁ ୩୦ ପ୍ରକାରର ବ୍ୟଞ୍ଜନ । ସେ ପୁଣି ନିରାମିଷ । ରାଜଧାନୀର ମେ' ଫେୟାରରେ ବି ବିଶ୍ବ ପଖାଳ ଦିବସ ପାଳିତ ହୋଇଛି । ପଖାଳ କଂସା ସାଙ୍ଗକୁ ମାଛ ଭଜା, ଚିଙ୍ଗୁଡ଼ି ଭଜା, ପୋହଳା ମାଛ, ବଡ଼ି ଚୁରା, ଆଳୁ ଭର୍ତା, ଶାଗ ଭଜା , ବିଲାତି ଖଟା ଓ ଆମ୍ବ ଚଟଣୀ । ସେହିପରି ବିଜୁ ପଟ୍ଟନାୟକ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ଟୁରିଜିମ କଲେଜରେ ପଖାଳ ଦିବସ ପାଳିତ ହୋଇଛି । ଏମ୍ପାୟର୍ସ ହୋଟେଲ ପରିସରରେ ମଧ୍ୟ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ପଖାଳ ଥାଳି ସହ ଅନ୍ୟାନ୍ୟ ଓଡ଼ିଆ ଖାଦ୍ୟର ଆସର ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ସିଲଭର ସିଟି କଟକର ବିଭିନ୍ନ ସ୍ଥାନରେ ବି ପଖାଳ ଦିବସ ପାଳିତ ହୋଇଛି । ସେହପରି ରାଉରକେଲା ଠାରୁ ଆରମ୍ଭ କରି ସମ୍ବଲପୁର, ଏପରିକି ବାରିପଦାରେ ବି ପଖାଳ ଦିବସରର ଧୁମ୍ । ବିଭିନ୍ନ ସଙ୍ଗଠନଗୁଡ଼ିକ ପକ୍ଷରୁ ବେଶ ଧୁମଧାମରେ ପାଳିତ ହୋଇଛି ପଖାଳ ଦିବସ । ପଖାଳ ସହ ଜଡ଼ିତ ଓଡ଼ିଆ ଅସ୍ମିତା । ସେଥିପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଖାଳ ଖାଇଛନ୍ତି । ଖାଲି ପଖାଳ ଖାଇନାହାନ୍ତି, ବରଂ ଅଣଓଡ଼ିଆଙ୍କୁ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜଣାଇବା ପାଇଁ ପଖାଳ ଖୁଆଇଛନ୍ତି । ରାଜ୍ୟସଭା ଉପାଧକ୍ଷ ହରିବଂଶ ନାରାୟଣ ସିଂ, ପୂର୍ବତନ କୂଟନୈତିଜ୍ଞ ତରନଜିତ ସିଂହ ସାନ୍ଧୁ ଙ୍କ ସାଙ୍ଗରେ ପଖାଳ ଖିଆର ଭଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି ଧର୍ମେନ୍ଦ୍ର । ଏନଏମଏ ଡାଇରେକ୍ଟର ପ୍ରଫେସର କିଶୋର ବାସା ବି ସାଥିରେ ଅଛନ୍ତି । ପଖାଳ ହେଉଛି ଓଡିଆ ସଂସ୍କୃତି ଓ ଐତିହ୍ୟର ପରିଚୟ । ପଖାଳର ଅନେକ ଉପାଦେୟତା ରହିଛି ଯାହା ଲୋକମାନେ ଅଧିକ ଅଧିକ ଜାଣିବାକୁ ପାଇଲେଣି ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର । କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ବି ନିଜ ଘରେ ପଖାଳ ଦିବସର ଆୟୋଜନ କରିଥିଲେ ।