ଧରାପଡିଗଲା ରାଜ୍ୟ ସରକାରଙ୍କ ଚାଲାକି, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ନାହିଁ ଆନ୍ତରିକତା

ଅର୍ଗସ ବ୍ୟୁରୋ : ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ନାହିଁ ରାଜ୍ୟ ସରକାରଙ୍କ ଆନ୍ତରିକତା । ଦୀର୍ଘ ବର୍ଷର ଦାବି ଓ ଆବଶ୍ୟକତାକୁ କେବେ ବି ଗୁରୁତ୍ଵ ଦେଇନି ବିଜେଡି ସରକାର । ତେବେ ଏ କଥା ଆମେ କହୁନୁ ଖୋଦ୍ କେନ୍ଦ୍ର ଆଇନ ମନ୍ତ୍ରୀ ଏଭଳି ମନ୍ତବ୍ୟ ରଖିଛନ୍ତି । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି ହାଇକୋର୍ଟ ବେଞ୍ଚ ପାଇଁ ଚିଠି ଲେଖିଦେଲେ ହେବ ନାହିଁ । ହାଇକୋର୍ଟର ମୁଖ୍ୟ ବିଚାରପତି, ରାଜ୍ୟପାଳଙ୍କ ସହମତିରେ ରାଜ୍ୟ ସରକାର କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାର ଆବଶ୍ୟକତା ରହିଛି ।
ସେପଟେ ଗତ କିଛି ଦିନ ତଳେ ସଂସଦରେ ଖୋଦ୍ ବିଜେଡି ସାଂସଦଙ୍କ ପ୍ରଶ୍ନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ଚାଲାକି ଧରାପଡିଥିଲା । ଦେଶରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ବିଚାରାଧୀନ ଅଛି କି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ସସ୍ମିତ । ଯାହାର ଉତ୍ତରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ କୌଣସି ରାଜ୍ୟରୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଆସିନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ସେହପରି ଯଶବନ୍ତ ସିଂ କମିଶନ ସୁପାରିଶ ଆଧାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ସହ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାକୁ ପଡିବ । ବେଞ୍ଚ ପ୍ରତିଷ୍ଠା ପାଇଁ ସଂପୃକ୍ତ ରାଜ୍ୟର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମତି ସହ ରାଜ୍ୟପାଳଙ୍କ ସହମତି ରହିଲେ ହିଁ ପ୍ରସ୍ତାବକୁ ପୂର୍ଣ୍ଣାଙ୍ଗ ଧରାଯିବ ବୋଲି ଉତ୍ତରରେ ଦର୍ଶାଇଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ । ତେବେ ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ତତ୍କାଳୀନ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ, ହାଇକୋର୍ଟର ବିଚାରପତିଙ୍କ ସହ ଆଲୋଚନା କରି ବେଞ୍ଚର ସ୍ଥାନ, ହାଇକୋର୍ଟ ବିଲଡିଂ ଓ ଜଜ ମାନଙ୍କ କ୍ବାର୍ଟରକୁ ନେଇ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ନେଇ ଉଲ୍ଲେଖ କରିଥିଲେ । କିନ୍ତୁ ପ୍ରତ୍ୟେକ ଥର ଭଳି କେବଳ ଚିଠି ଲେଖି ରାଜନୀତି ରୁଟି ସେକିବା ଛଡା ବେଞ୍ଚ ପ୍ରତିଷ୍ଠା ପାଇଁ ହାଇକୋର୍ଟଙ୍କ ସମ୍ମତି ସହ ଅନ୍ୟ ଆନୁସଙ୍ଗିକ ଆବଶ୍ୟକତା ପୂରଣ ଦିଗରେ କେବେ ଯତ୍ନବାନ ନଥିଲେ ରାଜ୍ୟ ସରକାର । ଯାହାକି ବିଭିନ୍ନ ସମୟରେ ଥିବା କେନ୍ଦ୍ର ଆଇନ ମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିଙ୍କ ଚିଠି ଗୁଡିକରୁ ସ୍ପଷ୍ଟ ହୋଇଛି ।
ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗକୁ ରାଜ୍ୟ ସରକାର ଶୀତଳଭଣ୍ଡାରକୁ ଠେଲି ଦେଇଥିବା ବେଳେ କେନ୍ଦ୍ର ଆଇନମନ୍ତ୍ରୀଙ୍କ ଉତ୍ତର ସରକାରଙ୍କ ଅପାରଗତା ଓ ଆନ୍ତରିକତାକୁ ପଦାରେ ପକାଇଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ସରକାର ନିଜେ ଗଢ଼ିଥିବା ସିଆର ପାଲ୍ କମିଶନ ୨୦୧୪ ମାର୍ଚ୍ଚ ୩୧ତାରିଖରୁ ତାଙ୍କର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ ବି ନା ସେ ରିପୋର୍ଟକୁ ସାର୍ବଜନୀନ କରାଗଲା ନା ହାଇକୋର୍ଟଙ୍କ ନିକଟରେ ଉପସ୍ଥାପିତ କରାଗଲା ।