Videos
|
Odisha

Pitru Paksha Begins / ପବିତ୍ର ପିତୃପକ୍ଷ ଆଜିଠୁ ଆରମ୍ଭ; ପିଣ୍ଡଦାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପବିତ୍ର ପିତୃପକ୍ଷ ଆଜିଠୁ ଆରମ୍ଭ; ପିଣ୍ଡଦାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ
Pitru Paksha 2026 begins

Key Points

ଆଜି ପବିତ୍ର ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି
ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ
ପିଣ୍ଡଦାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ
ପୁରୀ/ଭୁବନେଶ୍ଵର/ଯାଜପୁର: ଆଜି ପବିତ୍ର ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତିଳ-ତର୍ପଣ ଓ ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବଂ ଭୁବନେଶ୍ବର ବିନ୍ଦୁ ସାଗରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି । ଆଜି ପିତୃପକ୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବସିଥିବା ବ୍ରାହ୍ମଣମାନଙ୍କ ପାଖରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ, ପିଣ୍ଡଦାନ ଓ ଶ୍ରାଦ୍ଧ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

  • ବିନ୍ଦୁସାଗରରେ ପିଣ୍ଡଦାନ
ଭୁବନେଶ୍ୱରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟସ୍ଥ ବିନ୍ଦୁସାଗର ପୁଷ୍କରିଣୀ ନିକଟରେ ସକାଳୁ ସକାଳୁ ଭିଡ଼ ଦେଖିବାକୁ ମିଳିଛି । ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଏହି ସମୟରେ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ । ପରିବାରବର୍ଗ ଶ୍ରାଦ୍ଧ କାର୍ଯ୍ୟ ସହ ଦାନ-ଧର୍ମ ଏବଂ ବ୍ରାହ୍ମଣ ଭୋଜନ ଭଳି ପରମ୍ପରା ମଧ୍ୟ ପାଳନ କରୁଛନ୍ତି ।

  • ତର୍ପଣ ଓ ପିଣ୍ଡଦାନ ପାଇଁ ନାଭିଗୟାରେ ଭିଡ଼
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠସ୍ଥ ବିଶ୍ୱପ୍ରସିଦ୍ଧ ନାଭିଗୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଧାର୍ମିକ ବିଶ୍ୱାସ ରହିଛି ଯେ, ଏହି ପିତୃପକ୍ଷ ସମୟରେ ନାଭିଗୟାରେ ପିଣ୍ଡଦାନ କଲେ ପିତୃପୁରୁଷମାନେ ମୋକ୍ଷଲାଭ କରିଥାନ୍ତି । ଏହି କାରଣରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ନାଭିଗୟାରେ ପିଣ୍ଡଦାନ କରୁଛନ୍ତି । ପିଣ୍ଡଦାନ କର୍ମ ସରିବା ପରେ ମା' ବିରଜାଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି ।

ପଢନ୍ତୁ ଏହି ଖବର: ମଣିଷ ପୂର୍ବରୁ ମାଙ୍କଡ଼ଙ୍କୁ ପରସାଗଲା 'ଓଣମ୍ ସାଧ୍ୟା'; କେରଳମ୍ ମନ୍ଦିରରେ ଦେଖିବାକୁ ମିଳିଲା ୫୩ ବର୍ଷ ପୁରୁଣା ପରମ୍ପରା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ୧୫ଦିନ ଯାଏଁ ଚାଲିବ ପିଣ୍ଡଦାନ
ବିଶ୍ୱାସ ରହିଛି ଏହି ସମୟରେ ପିତୃପୁରୁଷମାନେ ଶ୍ରାଦ୍ଧ ଓ ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି । ନିଷ୍ଠାର ସହ ତର୍ପଣ କଲେ ପିତୃଲୋକ ସନ୍ତୁଷ୍ଟ ହୋଇ ପରିବାରକୁ ସୁଖ, ସମୃଦ୍ଧି ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଆଗାମୀ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଏହି ୧୫ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବାର ବ୍ୟବସ୍ଥା ଜାରି ରହିବ । ପିତୃ ପୁରୁଷମାନେ ସେମାନଙ୍କ ବଂଶଧରମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଆଦିରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି । ଏହି ଅପରପକ୍ଷ ବା ପିତୃ ପକ୍ଷ ସମୟରେ ଅନେକ ନିୟମ ନିଷ୍ଠା ରହିଛି । ପିତୃପକ୍ଷ ସମୟରେ ଖିଅର ହେବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଥିବା ବେଳେ ଏହି ସମୟରେ ନଖ ମଧ୍ୟ କଟାଯିବା ବାରଣ ରହିଛି । ଏପରିକି ଅପର ପାଗରେ ଅର୍ଥାତ ବାହାରେ ଭୋଜନ କରିବା ସମ୍ପୁର୍ଣ୍ଣ ନିଷିଦ୍ଧ ରହିଛି । ସେହିପରି ତିଳ ତର୍ପଣ ,ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସମୟରେ ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରହିବାର ବିଧି ମଧ୍ୟ ରହିଛି ।