୨୦୨୪ ନିର୍ବାଚନ ପୂର୍ବରୁ ଜନ ଆକ୍ରୋଶ

ଅର୍ଗସ ବ୍ୟୁରୋ : ୩ ଦଫା ଦାବି ନେଇ ଲୋୟର ପିଏମ୍ଜିରେ ଗାଁ ସାଥୀଙ୍କ ବିଶାଳ ତଥା ନିଆରା ଆନ୍ଦୋଳନ । ଗାଁ ସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା । ମୁଣ୍ଡରେ ଗୋଲାପି ରିବନ୍ ବାନ୍ଧି ଅନଶନ କରି ସରକାରଙ୍କୁ ଜଣାଇଲେ ଦାବି । ସେହିପରି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ମହାସଂଘ ବି ଆନ୍ଦୋଳନ କରିଛି । ମାତ୍ର ଗୋଟିଏ ଦାବି ନେଇ ମହାସଂଘ ୩ ବର୍ଷ ହେବ ଲଗାତାର ଆନ୍ଦୋଳନ କରିଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଯାହାର ପ୍ରତିବାଦ କରିଛି ମହାସଂଘ । ଏହାସହ ୬୬୨ ବର୍ଗର ବେସରକାରୀ ଅଧ୍ୟାପକ ମାନେ ଆଜି ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୪ ଦଫା ଦାବି ନେଇ ସଂଘ କରିଛି ଆନ୍ଦୋଳନ । ମୁଣ୍ଡ ଉପରେ ପିଲାଙ୍କ ପରୀକ୍ଷା, ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରିବାକୁ ସରକାରଙ୍କୁ ଦେଇଛନ୍ତି ଚେତାବନୀ ।
ସେପଟେ ୧୦% ଇଡବ୍ଲ୍ୟୁଏସ୍ ସଂରକ୍ଷଣ ଓଡ଼ିଶାରେ ତୁରନ୍ତ ଲାଗୁ କରିବା ଦାବିରେ ସାଧାରଣ ବର୍ଗର ବିକ୍ଷୋଭ । ସାଧାରଣ ବର୍ଗର ଗରିବ ପିଲାଙ୍କ ପାଇଁ ପାଠପଢ଼ା ଓ ନିଯୁକ୍ତି କ୍ଷେତ୍ରରେ ୨୦୧୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହେଇଥିବା ୧୦% ଇଡବ୍ଲ୍ୟୁଏସ୍ କୋଟା ଓଡ଼ିଶାରେ ତୁରନ୍ତ ଲାଗୁ କରିବା ଦାବିରେ ଆଜି ଲୋୟର ପିଏମ୍ଜିରେ ଗର୍ଜିଛନ୍ତି ସାଧାରଣ ବର୍ଗ । ସେହିପରି ସାମାଜିକ ସୁରକ୍ଷା ଭତ୍ତା ପରିଷଦ ମିଳିତ ମଞ୍ଚ ପକ୍ଷରୁ ଲୋୟର ପିଏମଜିରେ ଆନ୍ଦୋଳନ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଏବଂ ବିଧବା ଭତ୍ତା ମାସିକ ୨୫୦୦ ଟଙ୍କାକୁ ବୃଦ୍ଧି ସହ ଯେଉଁମାନେ ବ୍ୟାଙ୍କ ଯିବାକୁ ଅକ୍ଷମ, ଅସମର୍ଥ, ରୋଗଗ୍ରସ୍ତ, ଅଶିକ୍ଷିତ ସେମାନଙ୍କୁ ଚିହ୍ନଟ କରାଯାଇ ଘରକୁ ଯାଇ ଭତ୍ତା ପ୍ରଦାନ ସହିତ ଏକାଧିକ ଦାବି ନେଇ ପ୍ରତିବାଦକୁ ଓହ୍ଲାଇଛନ୍ତି ଭିନ୍ନକ୍ଷମ ମାନେ । ୨୪ ନିର୍ବାଚନ ପୂର୍ବରୁ ଦେଖାଦେଲାଣି ଜନ ଆକ୍ରୋଶ । ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଭିନ୍ନ ଭିନ୍ନ ସଂଗଠନ । ସରକାର କେବେ ଏମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଉଛନ୍ତି ତାହା ଦେଖିବାକୁ ରହିଲା ।