Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରଥଯାତ୍ରା ପାଇଁ କ୍ରାଇମବ୍ରାଞ୍ଚର 'ସାଇବର ସାଥୀ' ଅଭିଯାନ; ୯ଟି ଫେକ୍ ୱେବପେଜ୍ ବନ୍ଦ, ୧୬ଟି ଠକେଇ URL ବ୍ଲକ୍

Odisha

Puri Rath Yatra / ରଥଯାତ୍ରା ପାଇଁ କ୍ରାଇମବ୍ରାଞ୍ଚର 'ସାଇବର ସାଥୀ' ଅଭିଯାନ; ୯ଟି ଫେକ୍ ୱେବପେଜ୍ ବନ୍ଦ, ୧୬ଟି ଠକେଇ URL ବ୍ଲକ୍

Sushanta Sahoo
Browse all articles by Sushanta Sahoo
·4 hours ago·3 min read
ରଥଯାତ୍ରା ପାଇଁ କ୍ରାଇମବ୍ରାଞ୍ଚର 'ସାଇବର ସାଥୀ' ଅଭିଯାନ; ୯ଟି ଫେକ୍ ୱେବପେଜ୍ ବନ୍ଦ, ୧୬ଟି ଠକେଇ URL ବ୍ଲକ୍
Police Releases Verified Hotel List for Rath Yatra

Key Points

ପୋଲିସ ପକ୍ଷରୁ ଆରମ୍ଭ ହେଲା 'ସାଇବର ସାଥୀ' ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ୯ଟି ଫେକ୍ ହୋଟେଲ ୱେବପେଜ୍ ବନ୍ଦ କରାଯାଇଛି ।
ଭୁବନେଶ୍ଵର/ପୁରୀ: ରଥଯାତ୍ରା ପୂର୍ବରୁ ପୁରୀରେ ସାଇବର ଠକେଇ ଜାଲ । ପୋଲିସ ପକ୍ଷରୁ ଆରମ୍ଭ ହେଲା 'ସାଇବର ସାଥୀ' ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ୯ଟି ଫେକ୍ ହୋଟେଲ ୱେବପେଜ୍ ବନ୍ଦ କରାଯାଇଛି । ଠକେଇ ରୋକିବାକୁ ୭୭ଟି ଅଧିକୃତ ହୋଟେଲର ତାଲିକା ଜାରି କରିଛି ପୋଲିସ ।

ପବିତ୍ର ଘୋଷଯାତ୍ରା ପାଇଁ ପୁରୀ ମୁହାଁ ସମସ୍ତେ । ଆଉ ରହିବା ପାଇଁ ଅନଲାଇନ୍‌ରେ ଖୋଜୁଛନ୍ତି ହୋଟେଲ୍ । ଆଉ ଯାହାର ସୁଯୋଗ ନେଇ ମାତିଛନ୍ତି ସାଇବର ଲୁଟେରା । ସାଇବର ଠକେଇର ଶିକାର ହୋଇଛନ୍ତି ଟେଲି ଅଭିନେତା ଅଶୁତୋଷ ତ୍ରିପାଠୀ ।

ଏଥିସହ ପଢ଼ନ୍ତୁ: 'ଅ-ତିଥିରେ ରଥଯାତ୍ରା ବନ୍ଦ କର'; ନହେଲେ ପୁରୀରେ ପଶି ପାରିବେନି ଇସ୍କନ ଅନୁଗାମୀ 

ବାହୁଡ଼ା ଯାତ୍ରା ଓ ସୁନାବେଶ ଦେଖିବାକୁ ସମ୍ପର୍କୀୟଙ୍କ ପାଇଁ ପୁରୀରେ ହୋଟେଲ୍ ରୁମ୍ ବୁକ୍ କରି ଫସିଛନ୍ତି ଅଭିନେତା ଅଶୁତୋଷ । ସିନେମା ଓ ସିରିୟଲରେ କାମ କରି ଘରେ ଘରେ ପରିଚିତ ଅଶୁତୋଷ ସାଇବର ଫ୍ରଡର ଶିକାର ହୋଇଛନ୍ତି ।

ହୋଟେଲ୍ ରୁମ୍ ବୁକିଂ ନାଁରେ ମିଛ ୱେବସାଇଟ୍ ଖୋଲି ସାଇବର ଅପରାଧୀ ତାଙ୍କୁ ସାଢ଼େ ୩ ହଜାରରୁ ଅଧିକ ଟଙ୍କାର ଚୁନା ଲଗାଇଥିବା ଗତ ୫ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଅଭିନେତା ଆଶୁତୋଷ ତ୍ରିପାଠୀ ।

ରଥଯାତ୍ରା ସମୟରେ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଥାଏ । ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରୁ ବାହୁଡ଼ା, ସୁନା ବେଶ ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି ରହିଛି । ଶ୍ରୀଜିଉଙ୍କ ଏସବୁ ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ପୁରୀରେ ରହିବାକୁ ଇଚ୍ଛା କରି ଶ୍ରଦ୍ଧାଳୁମାନେ ଅନଲାଇନରେ ହୋଟେଲ ବୁକ୍ କରୁଛନ୍ତି ।

ତେଣୁ ପୁରୀ ରଥଯାତ୍ରା ଅବସରରେ ସାଇବର ସୁରକ୍ଷା ଦିଗରେ କ୍ରାଇମବ୍ରାଞ୍ଚ ବଡ଼ ପଦକ୍ଷେପ ନେଇଛି । ରଥଯାତ୍ରା ପାଇଁ CID-କ୍ରାଇମବ୍ରାଞ୍ଚର 'ସାଇବର ସାଥୀ' ଅଭିଯାନ କରିଛି । ଯାହା ମାଧ୍ୟମରେ ୯ଟି ଫେକ୍ ହୋଟେଲ ୱେବପେଜ୍ ବନ୍ଦ, ୧୬ ଠକେଇ URL ବ୍ଲକ୍ କରାଯାଇଛି ।

ଫେକ୍ ହୋଟେଲ ବୁକିଂରୁ ସତର୍କ ରହିବାକୁ ଭକ୍ତଙ୍କୁ ପରାମର୍ଶ ଦେଇଛି ପୋଲିସ । କ୍ରାଇମବ୍ରାଞ୍ଚ ଟିମ୍ ପୁରୀର ୭ଟି ପ୍ରମୁଖ ହୋଟେଲ ପରିଦର୍ଶନ କରିଛି । ଫେକ୍ ହୋଟେଲ ବୁକିଂ ଠକେଇ ସମ୍ପର୍କରେ ସଚେତନ କରିବା ସହ ୱେବସାଇଟ୍‌ର ସୁରକ୍ଷା ଯାଞ୍ଚ କରିଛି । ବିଶ୍ୱସନୀୟ ସ୍ରୋତରୁ ହୋଟେଲ ବୁକ୍ କରିବା ଓ ସାଇବର ସୁରକ୍ଷା ପରାମର୍ଶ ପାଳନ କରିବାକୁ ଅପିଲ କରାଯାଇଛି ।

୭୭ଟି ହୋଟେଲର ବିବରଣୀ ସାର୍ବଜନୀନ କଲା ପୋଲିସ

ଭକ୍ତଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ମଧ୍ୟ ସହରର ୭୭ଟି ପୋଲିସ ଯାଞ୍ଚକୃତ ହୋଟେଲର ଅଧିକୃତ ବିବରଣୀ ସାର୍ବଜନୀନ କରିଛି । ଏହି ୭୭ଟି ହୋଟେଲର ଅଧିକୃତ Google ଲିଙ୍କ, ୱେବ୍‌ସାଇଟ୍, ଇ-ମେଲ୍ ଠିକଣା ଏବଂ ଯୋଗାଯୋଗ ନମ୍ବର ଯାଞ୍ଚ କରାଯିବା ପରେ ପ୍ରକାଶ କରାଯାଇଛି ।

ଯାହାଦ୍ୱାରା ଶ୍ରଦ୍ଧାଳୁମାନେ ସଠିକ୍ ଏବଂ ବିଶ୍ୱସନୀୟ ଉତ୍ସରୁ ରୁମ୍ ବୁକ୍ କରିପାରିବେ । ପୁରୀ ପୋଲିସ ମଧ୍ୟ ୮୦ରୁ ଅଧିକ ନକଲି ୱେବ୍‌ସାଇଟ୍ ଏବଂ ଇମେଲ୍ ବନ୍ଦ କରିସାରିଛି । ଏଥିସହ ପୋଲିସ କହିଛି, ରଥଯାତ୍ରା ପାଇଁ ହୋଟେଲ ବୁକ୍ କଲାବେଳେ କେତେକ ଗୁରୁତ୍ବପୂର୍ଣ୍ଣ ଦିଗକୁ ଧ୍ୟାନରେ ରଖିବାକୁ ପଡ଼ିବ ।

ଏଥିସହ ପଢ଼ନ୍ତୁ: ଜ୍ୱରରୁ ଉଠି ସମ୍ପୂର୍ଣ୍ଣ ସୁସ୍ଥ ହେଲେଣି ବିଶ୍ଵ ନିଅନ୍ତା, ମଙ୍ଗଳବାର ନବଯୌବନ ଦର୍ଶନ ଦେବେ ଶ୍ରୀଜିଉ 

ହୋଟେଲ ବୁକ୍ ବେଳେ ଧ୍ୟାନ ଦିଅନ୍ତୁ

  • କେବଳ ଫୋନ୍ କିମ୍ବା ସୋସିଆଲ୍ ମିଡିଆ ବାର୍ତ୍ତାରେ ବିଶ୍ୱାସ କରି ଅଗ୍ରୀମ ଅର୍ଥ ପ୍ରଦାନ କରନ୍ତୁ ନାହିଁ ।
  • ପେମେଣ୍ଟ କରିବା ପୂର୍ବରୁ ହୋଟେଲର ନାମ, ଠିକଣା, ମୋବାଇଲ୍ ନମ୍ବର ଓ ୱେବସାଇଟ୍ ଯାଞ୍ଚ କରନ୍ତୁ ।
  • ସନ୍ଦେହଜନକ ୱେବସାଇଟ୍, ନକଲି ଲିଙ୍କ କିମ୍ବା ଅଜଣା ବ୍ୟକ୍ତିଙ୍କ ବ୍ୟାଙ୍କ/UPI ଆକାଉଣ୍ଟକୁ ଅର୍ଥ ପଠାନ୍ତୁ ନାହିଁ ।
  • କମ୍ ମୂଲ୍ୟରେ ରୁମ୍ ଦେବାର ପ୍ରଲୋଭନ କିମ୍ବା ତୁରନ୍ତ ପେମେଣ୍ଟ ପାଇଁ ଚାପ ସୃଷ୍ଟି କରାଗଲେ ସତର୍କ ରୁହନ୍ତୁ ।
  • ବୁକିଂ ସମ୍ବନ୍ଧୀୟ ସମସ୍ତ ରସିଦ, ଇ-ମେଲ୍ ଓ ପେମେଣ୍ଟ ବିବରଣୀ ସଂରକ୍ଷିତ କରି ନିଶ୍ଚୟ ରଖନ୍ତୁ ।
  • ଠକାମିର ଶିକାର ହେଲେ ତୁରନ୍ତ ଟୋଲ-ଫ୍ରି ନମ୍ବର ୧୯୩୦କୁ କଲ୍ କରି ଅଭିଯୋଗ କରନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored