|
logo
Live

Argus News - ସନ୍ଦେହ ଘେରରେ ଶ୍ରୀମନ୍ଦିର ରତ୍ନଭଣ୍ଡାର, ରତ୍ନ ଅଛି ନା ନାହିଁ !

Odisha

ସନ୍ଦେହ ଘେରରେ ଶ୍ରୀମନ୍ଦିର ରତ୍ନଭଣ୍ଡାର, ରତ୍ନ ଅଛି ନା ନାହିଁ !

Jitendra Dash
Browse all articles by Jitendra Dash
·1 year ago·2 min read
ସନ୍ଦେହ ଘେରରେ ଶ୍ରୀମନ୍ଦିର ରତ୍ନଭଣ୍ଡାର, ରତ୍ନ ଅଛି ନା ନାହିଁ !

ଅର୍ଗସ ବ୍ୟୁରୋ : ଦୀର୍ଘ ୪୫ ବର୍ଷ ଧରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯାଇନାହିଁ । ୨୦୧୮ ମସିହାରୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଭେଳିକି ଦେଖାଇ ରତ୍ନ ଭଣ୍ଡାର ଖୋଲିନାହାନ୍ତି, ଯାହା ଅଗଣିତ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛି । ଜଗନ୍ନାଥ ଭକ୍ତ ଓ ସାଧାରଣ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ରତ୍ନଭଣ୍ଡାର ଖୋଲିବା ନେଇ ସର୍ବଦା ଦାବି ରଖିଆସିଛି ରାଜ୍ୟ ବିଜେପି । ରତ୍ନ ଭଣ୍ଡାର ଖୋଲିବାର ସମ୍ପୂର୍ଣ୍ଣ ଦାୟିତ୍ୱ ରାଜ୍ୟ ସରକାରଙ୍କର । 

୪ ଅଗଷ୍ଟ ୨୦୨୩ ମସିହାରୁ ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିଶ କରିବା ସତ୍ୱେ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଳିବା ପାଇଁ ଏତେ ମାତ୍ରାରେ ଭୟ କରୁଛନ୍ତି କାହିଁକି? ଉଚ୍ଚ ନ୍ୟାୟାଳୟ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଉଭୟଙ୍କ ସୁପାରିସକୁ ଅବମାନନା କରିବାର କାରଣ କଣ? ରତ୍ନଭଣ୍ଡାର ଖାଲି ହୋଇଯାଇଛି କି? ରାଜ୍ୟ ସରକାରଙ୍କର ଏଭଳି ଦାୟିତ୍ୱହୀନତା ଓ ଅନିଚ୍ଛା ମନୋଭାବ ଅଗଣିତ ଜଗନ୍ନାଥପ୍ରେମୀଙ୍କ ମନରେ ବାରମ୍ବାର ସନ୍ଦେହ ସୃଷ୍ଟି କରୁଛି । ହାଇକୋର୍ଟ ନିର୍ଦ୍ଦେଶ ସତ୍ୱେ ରାଜ୍ୟ ସରକାର କାହିଁକି ରତ୍ନଭଣ୍ଡାର ଖୋଲୁନାହାନ୍ତି, ତାହା ଏବେ ବିରାଟ ପ୍ରଶ୍ନବାଚୀ ପାଲଟିଛି । ରାଜ୍ୟ ସରକାର ରତ୍ନଭଣ୍ଡାରକୁ ନେଇ ଢ଼ିଲା ଆଭିମୁଖ୍ୟ ବିରୋଧରେ ରାମମନ୍ଦିର ସମ୍ମୁଖରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଶ୍ରୀ ମଲ୍ଲିକ କହିଛନ୍ତି ଯେ, ରତ୍ନଭଣ୍ଡାର କେବଳ ଶ୍ରୀମନ୍ଦିରର ସମ୍ପତି ନୁହେଁ, ତାହା ଅତୀତ ଓଡ଼ିଶାର ଗୌରବଶାଳୀ ଇତିହାସ ଓ ବୀରତ୍ୱର ପ୍ରତୀକ । ଓଡ଼ିଆ ଅସ୍ମିତାକୁ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରୁଛି ବିଜେଡି । ସେଥିପାଇଁ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । କୁଆଡେ ଗଲା ରତ୍ନଭଣ୍ଡାରର ଚାବି ତାହା ଓଡ଼ିଶାରେ ଅଛି ନା ତାହା ତାମିଲନାଡୁକୁ ଚାଲିଯାଇଛି? ରତ୍ନଚୋରୀରେ କିଏ ଅଛନ୍ତି ସାମିଲ? କେଉଁ କଳାପାହାଡକୁ ଘଂଟ ଘୋଡାଉଛି ବିଜେଡି । ରତ୍ନଭଣ୍ଡାରର ଲୁଟ୍ ଓ ଚାବି ହଜିବା ପଛରେ ବିଜେଡିର ଆମଦାନି ନେତାଙ୍କ ସପୃକ୍ତି ନାହିଁ ତ? ଏମିତି ଅନେକ ପ୍ରଶ୍ନ ଜଗନ୍ନାଥପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ରତ୍ନଭଣ୍ଡାର ଚାବି ଏବଂ ରତ୍ନଭଣ୍ଡାରର ରତ୍ନ ସୁରକ୍ଷିତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସାଧାରଣରେ ସ୍ପଷ୍ଟ ମତ ରଖିବାକୁ ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ବିକ୍ଷୋଭରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ, ଉର୍ମିଳା ମହାପାତ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ବରିଷ୍ଠ ନେତ୍ରୀ ସଙ୍ଗୀତା ଦାସ, ପଦ୍ମଜା ଦେବତା, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର, ରାଜେଶ୍ୱରୀ ପାଇକରାୟ, ତୃପ୍ତିମୟୀ ମକଦ୍ଦମ, ନନ୍ଦିନୀ ଶତପଥୀ, ପ୍ରେମଲତା କର, ସୁଚରିତା ଜେନାମଣି, ରଶ୍ମିରଞ୍ଜନ ବେହୁରା, ସୁଶାନ୍ତ ଜେନା, କେଶବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।    

Sponsored
ସନ୍ଦେହ ଘେରରେ ଶ୍ରୀମନ୍ଦିର ରତ୍ନଭଣ୍ଡାର, ରତ୍ନ ଅଛି ନା ନାହିଁ ! | Argus News