Videos
|
Odisha

Woman SI Death / ଗର୍ଭବତୀ ଥିଲେ ମହିଳା ଏସ୍‌ଆଇ ପ୍ରଭାସିନୀ ସାହୁ; ରହସ୍ୟଜନକ ମୃତ୍ୟୁକୁ ନେଇ ପ୍ରଶ୍ନ

Debashree Debasmita Sahoo
Browse all articles by Debashree Debasmita Sahoo
·58 mins ago·2 min read
ଗର୍ଭବତୀ ଥିଲେ ମହିଳା ଏସ୍‌ଆଇ ପ୍ରଭାସିନୀ ସାହୁ; ରହସ୍ୟଜନକ ମୃତ୍ୟୁକୁ ନେଇ ପ୍ରଶ୍ନ
Pregnant Woman SI Prabhasini Sahu

Key Points

ପୁରୁଷୋତ୍ତମପୁର ଥାନା ମହିଳା ଏସ୍‌ଆଇ ପ୍ରଭାସିନୀ ସାହୁ
ରହସ୍ୟଜନକ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ
ଗର୍ଭବତୀ ଥିଲେ ମହିଳା ପୋଲିସ ଅଧିକାରୀ
ଗଞ୍ଜାମ: ପୁରୁଷୋତ୍ତମପୁର ଥାନା ମହିଳା ଏସ୍‌ଆଇ ପ୍ରଭାସିନୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏବେ ଆସିଛି ସବୁଠାରୁ ବଡ଼ ଟ୍ୱିଷ୍ଟ । ଗର୍ଭବତୀ ଥିଲେ ମୃତ SI ପ୍ରଭାସିନୀ ସାହୁ । ଅର୍ଗସ୍ ହାତରେ ଲାଗିଛି ପ୍ରଭାସିନୀଙ୍କ ପ୍ରେଗ୍ନେନ୍ସି ଟେଷ୍ଟ ରିପୋର୍ଟ । ଆସନ୍ତା ଜୁଲାଇ ମାସରେ ମାଆ ହୋଇଥାଆନ୍ତେ ପ୍ରଭାସିନୀ। ଆଉ ନିଜ ମାଆ ହେବାର ଖୁସି ଖବରକୁ ନେଇ ମୃତ୍ୟୁ ପୂର୍ବରୁ ସ୍ୱାମୀଙ୍କ ସହ ଚାଟ୍ ମଧ୍ୟ କରିଥିଲେ । ତେବେ ଏଠାରେ ବଡ଼ ପ୍ରଶ୍ନ ଉଠୁଛି, ଯିଏ ନୂଆ ଜୀବନକୁ ସ୍ୱାଗତ କରିବା ପାଇଁ ସ୍ୱପ୍ନ ଦେଖୁଥିଲେ, ସେ କାହିଁକି ଚରମ ନିଷ୍ପତ୍ତି ନେଲେ? ନା ଏହା ପଛରେ ରହିଛି କିଛି ଗଭୀର ଷଡ଼ଯନ୍ତ୍ର? ଅନ୍ୟପଟେ ଆଜି ପୁରୁଷୋତ୍ତମପୁର ଥାନାରେ ପହଞ୍ଚି କ୍ୱାର୍ଟର୍ସ ବୁଲି ଦେଖିଛନ୍ତି ପ୍ରଭାସିନୀଙ୍କ ପରିବାର ଲୋକେ।

  • ଗର୍ଭବତୀ ଥିଲେ ମହିଳା ପୋଲିସ ଅଧିକାରିଣୀ
ପୁରୁଷୋତ୍ତମପୁର ସରକାରୀ ହସ୍ପିଟାଲର ପ୍ରେଗ୍ନେନ୍ସି ଟେଷ୍ଟ ରିପୋର୍ଟ, ଯାହା ଏବେ ଅର୍ଗସ୍ ହାତରେ ଲାଗିଛି। ଗତ ଅକ୍ଟୋବର ୧୧ ତାରିଖରେ ନିଜର ପ୍ରେଗ୍ନେନ୍ସି ଟେଷ୍ଟ କରାଇଥିଲେ SI ପ୍ରଭାସିନୀ ସାହୁ । ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ଆସନ୍ତା ଜୁଲାଇ ମାସରେ ସେ ମାଆ ହୋଇଥାଆନ୍ତେ । ଏନେଇ ମୃତ୍ୟୁ ପୂର୍ବରୁ ନିଜ ସ୍ୱାମୀ ସୁନୀଲଙ୍କ ସହ ବେଶ୍ ଖୁସିରେ ଚାଟ୍ ମଧ୍ୟ କରିଥିଲେ ପ୍ରଭାସିନୀ । ତେବେ ଏଠାରେ ସବୁଠାରୁ ବଡ଼ ସସ୍‌ପେନ୍ସ ସୃଷ୍ଟି ହୋଇଛି। ଯେଉଁ ମହିଳା ଅଧିକାରୀ ନିଜ ଗର୍ଭସ୍ଥ ସନ୍ତାନକୁ ଦୁନିଆକୁ ଆଣିବା ପାଇଁ ଦିନ ଗଣୁଥିଲେ, ସେ ହଠାତ୍ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ କାହିଁକି ? ଗର୍ଭାବସ୍ଥାର ଖବର ସାମ୍ନାକୁ ଆସିବା ପରେ ଏବେ ପ୍ରଭାସିନୀଙ୍କ ମୃତ୍ୟୁ ରହସ୍ୟ ଆହୁରି ଘନୀଭୂତ ହୋଇଛି।

  • ହତ୍ୟା ଅଭିଯୋଗ ଆଣିଲା ପରିବାର
ଅନ୍ୟପଟେ ପୁରୀରେ ଶବ ସଂସ୍କାର ପରେ ଆଜି ପୁରୁଷୋତ୍ତମପୁର ଥାନାରେ ପହଞ୍ଚିଛନ୍ତି ମୃତ SI ପ୍ରଭାସିନୀଙ୍କ ପରିବାର ସଦସ୍ୟ। ପ୍ରଭାସିନୀଙ୍କ ବାପା ଓ ଭାଇ ଥାନା ପରିସରରେ ଥିବା ତାଙ୍କ ସରକାରୀ କ୍ୱାର୍ଟର୍ସକୁ ବୁଲି ଦେଖିବା ସହ କିଛି ବ୍ୟକ୍ତିଗତ ସାମଗ୍ରୀ ସାଙ୍ଗରେ ନେଇଛନ୍ତି । ପରିବାର ଲୋକେ ସିଧାସଳଖ ଯୋଜନାବଦ୍ଧ ହତ୍ୟା ଓ ବୃତ୍ତିଗତ ଚାପର ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି । ସେମାନଙ୍କ କହିବା କଥା, ଝିଅ ଆତ୍ମହତ୍ୟା କରିନାହିଁ, ବରଂ ତାଙ୍କୁ ହତ୍ୟା କରାଯାଇଛି। ତେବେ କ୍ୱାର୍ଟର୍ସରେ କେଉଁ ପରିସ୍ଥିତିରେ ରହୁଥିଲେ ପ୍ରଭାସିନୀ? ମୃତ୍ୟୁ ପୂର୍ବରୁ କ୍ୱାର୍ଟର୍ସ ଭିତରେ କୌଣସି ଅସ୍ୱାଭାବିକ ଘଟଣା ଘଟିଥିଲା କି? ସେନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।

ପଢନ୍ତୁ ଏହି ଖବର: ପୁରୁଷୋତ୍ତମପୁର ଥାନା ମହିଳା SIଙ୍କ ଆତ୍ମ*ହତ୍ୟା ! ସରକାରୀ କ୍ୱାର୍ଟରରେ ହାରିଲେ ଜୀବନ


  • ଏପ୍ରିଲ ୨୭ରେ ବିବାହ କରିଥିଲେ
ପୁରୀ ସହରର ମୈତ୍ରୀ ବିହାର ସ୍ଥିତ ପ୍ରଭାସିନୀଙ୍କ ଶ୍ୱଶୁର ଘର । କାନ୍ଥରୁ ଏଯାଏଁ ଲିଭିନି ବିବାହ ବେଳର ସେହି ଶୁଭମଙ୍ଗଳ ଚିତ୍ର । ମାତ୍ର ୬ ମାସ ତଳେ ଅର୍ଥାତ୍ ଗତ ଏପ୍ରିଲ ୨୭ରେ ବିବାହ କରିଥିଲେ ଯାଜପୁର ମଙ୍ଗଳପୁର ଅଞ୍ଚଳର ପ୍ରଭାସିନୀ । ସ୍ବାମୀ ସୁନୀଲ ଲୋକ ପାଇଲଟ୍। ପ୍ରଭାସିନୀ ଶିକ୍ଷକତା ଛାଡ଼ି ଦୁଇ ବର୍ଷ ତଳେ ପୋଲିସ ବିଭାଗରେ ଯୋଗ ଦେଇଥିଲେ। ହେଲେ ନୂଆ ସଂସାର ଗଢ଼ିବା ଆଗରୁ ଏବଂ ମାଆ ହେବାର ସ୍ୱପ୍ନ ପୂରଣ ହେବା ପୂର୍ବରୁ ସରକାରୀ କ୍ୱାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ତାଙ୍କ ମୃତଦେହ। ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁର କାରଣ କଣ। ଗର୍ଭବତୀ ଥିବା ପ୍ରଭାସିନୀଙ୍କ ମୃତ୍ୟୁ ପଛରେ ମାନସିକ ଅବସାଦ, ବୃତ୍ତିଗତ ଚାପ ନା ଯୋଜନାବଦ୍ଧ ହତ୍ୟା ରହିଛି? ପୋଲିସ ତଦନ୍ତ କେବେ ଏହି ରହସ୍ୟ ଉପରୁ ପରଦା ହଟାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: