Videos
|
Odisha

SI Recruitment Scam / ଓଡ଼ିଶା SI ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା; ED ହାତରେ ଗୁରୁତ୍ଵପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ଡିଭାଇସ୍

Debashree Debasmita Sahoo
Browse all articles by Debashree Debasmita Sahoo
·47 mins ago·4 min read
ଓଡ଼ିଶା SI ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା; ED ହାତରେ ଗୁରୁତ୍ଵପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ଡିଭାଇସ୍
Odisha SI Recruitment Scam Update

Key Points

ଓଡ଼ିଶା SI ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା
ED ନେଲା ବଡ଼ କାର୍ଯ୍ୟାନୁଷ୍ଠାନ
ପୂରା ଘଟଣା କଣ ଜାଣନ୍ତୁ...
ଭୁବନେଶ୍ଵର: ଓଡ଼ିଶା ପୋଲିସର ସବ୍‌-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା-୨୦୨୪ର ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଭୁବନେଶ୍ୱରସ୍ଥିତ EDର ଜୋନାଲ୍ କାର୍ଯ୍ୟାଳୟ ପକ୍ଷରୁ ୯, ୧୦ ଓ ୧୨ ଅକ୍ଟୋବର ୨୦୨୬ରେ ଓଡ଼ିଶା ଓ ପଶ୍ଚିମବଙ୍ଗର ୧୨ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଏହି ଚଢାଉ ବେଳେ ଇଡି ହାତରେ ଲାଗିଛି ବଡ଼ ପ୍ରମାଣ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ଓ ଇଲେକ୍ଟ୍ରୋନିକ୍ ଡିଭାଇସ ଜବତ କରିଛି । 

ଏହି ଚଢ଼ାଉରେ ସିଲିକନ୍ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍, ପଞ୍ଚସଫ୍ଟ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍, PSIL ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଏବଂ ଏହି ସଂସ୍ଥାଗୁଡ଼ିକର ନିର୍ଦ୍ଦେଶକ ଓ ଅନ୍ୟ ସହଯୋଗୀଙ୍କ ବିଭିନ୍ନ ପରିସରରେ ତଲାସି କରାଯାଇଥିଲା । ଏହି ସମୟରେ ମାମଲା ସହ ଜଡ଼ିତ ବିଭିନ୍ନ ଦସ୍ତାବିଜ୍, ଇଲେକ୍ଟ୍ରୋନିକ୍ ଡିଭାଇସ୍ ଓ ରେକର୍ଡ ଜବତ କରାଯାଇଛି । ମନି ଲଣ୍ଡରିଂ ନିବାରଣ ଆଇନ (PMLA), ୨୦୦୨ ଅନୁଯାୟୀ ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି । ଏବେ ସେଗୁଡ଼ିକର ଯାଞ୍ଚ ଚାଲିଛି ।

  • କଣ ପୂରା ମାମଲା ?
ଏହି ମାମଲାର ଆରମ୍ଭ ୨୦୨୫ ଅକ୍ଟୋବରରେ ଓଡ଼ିଶା ପୋଲିସ ଦାଏର କରିଥିବା ଏକ FIRରୁ ହୋଇଥିଲା । ୩୦ ସେପ୍ଟେମ୍ବର ୨୦୨୫ରେ ଓଡ଼ିଶା ପୋଲିସ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମାନ୍ତ ଇଚ୍ଛାପୁରମ୍ ନିକଟରେ ୩ଟି ବସ୍‌କୁ ଅଟକାଇଥିଲା । ଏହି ବସ୍‌ଗୁଡ଼ିକରେ SI ନିଯୁକ୍ତି ପରୀକ୍ଷା ପାଇଁ ଯାଉଥିବା ୧୧୪ ଜଣ ପରୀକ୍ଷାର୍ଥୀ ଥିଲେ। ୫ ଓ ୬ ଅକ୍ଟୋବର ୨୦୨୫ରେ ହେବାକୁ ଥିବା SI ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କରିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିଲା।

  • ଟଙ୍କା ବଦଳରେ ପ୍ରଶ୍ନପତ୍ର ଦିଆଯାଇଥିଲା
ଅଭିଯୋଗ ଅନୁସାରେ, ପ୍ରତି ପରୀକ୍ଷାର୍ଥୀଙ୍କଠାରୁ ୧୫ ଲକ୍ଷରୁ ୩୦ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଦେବାର ପ୍ରଲୋଭନ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ CBIକୁ ହସ୍ତାନ୍ତର କରାଯାଇଥିଲା । ତଦନ୍ତରୁ ଜଣାପଡ଼ିଥିବା ଅଭିଯୋଗ ଅନୁସାରେ, ପରୀକ୍ଷା ପରିଚାଳନା ଦାୟିତ୍ୱ ପାଇଥିବା ସଂସ୍ଥା ସହ ଜଡ଼ିତ କିଛି ବ୍ୟକ୍ତି ପ୍ରଶ୍ନପତ୍ର ଲିକ୍ କରିଥିଲେ । ସେମାନଙ୍କ ସହଯୋଗୀମାନେ ପରୀକ୍ଷାର୍ଥୀଙ୍କୁ ଟଙ୍କା ବଦଳରେ ପ୍ରଶ୍ନପତ୍ର ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲେ । ଏପରିକି ଗ୍ୟାରେଣ୍ଟି ଭାବେ ପରୀକ୍ଷାର୍ଥୀଙ୍କ ମୂଳ ସାର୍ଟିଫିକେଟ୍ ମଧ୍ୟ ନିଆଯାଇଥିବା ଅଭିଯୋଗ ରହିଛି । CBI ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁସାରେ, ମାର୍ଚ୍ଚ ୨୦୨୫ରେ ହେବାକୁ ଥିବା SI ପରୀକ୍ଷାରେ ମଧ୍ୟ ଅନିୟମିତତା ହୋଇଥିଲା । ପରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB) ଏହି ପରୀକ୍ଷାକୁ ବାତିଲ କରିଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ପରୀକ୍ଷା ପରିଚାଳନା ଦାୟିତ୍ୱକୁ ନେଇ ଗୁରୁତର ଅଭିଯୋଗ
EDର ତଦନ୍ତ ଅନୁସାରେ, SI ପରୀକ୍ଷା ପରିଚାଳନା ପାଇଁ OPRB କେନ୍ଦ୍ର ସରକାରଙ୍କ PSU ସଂସ୍ଥା ITI ଲିମିଟେଡ୍‌କୁ ଦାୟିତ୍ୱ ଦେଇଥିଲା । ITI ଲିମିଟେଡ୍ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ସିଲିକନ୍ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍ (STPL)କୁ ଏହି କାମ ଦେଇଥିଲା । କିନ୍ତୁ ଅଭିଯୋଗ ଅନୁସାରେ, STPLର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ ITI ଲିମିଟେଡ୍‌ର ଲିଖିତ ଅନୁମତି ନନେଇ ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍‌କୁ ପରୀକ୍ଷାର୍ଥୀଙ୍କ ଗୋପନୀୟ ତଥ୍ୟ ପରିଚାଳନା ଦାୟିତ୍ୱ ଦେଇଥିଲେ।

ପଞ୍ଚସଫ୍ଟର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିଙ୍କ ସହ ମିଶି ଏହି କାର୍ଯ୍ୟ କରାଯାଇଥିବା ED ସନ୍ଦେହ କରୁଛି । ଅଭିଯୋଗ ଅନୁସାରେ, ସିଲିକନ୍ ଟେକ୍‌ଲାବ୍ ସହ ଜଡ଼ିତ ବ୍ୟକ୍ତି ଏବଂ ଶଙ୍କର ପୃଷ୍ଟିଙ୍କ ସହଯୋଗୀମାନେ ପରୀକ୍ଷାର୍ଥୀଙ୍କୁ ଟଙ୍କା ବଦଳରେ ଗୋପନୀୟ ପ୍ରଶ୍ନପତ୍ର ଦେବାର ପ୍ରଲୋଭନ ଦେଇଥିଲେ । ତଦନ୍ତରେ ଶଙ୍କର ପୃଷ୍ଟି ଓ STPL ମଧ୍ୟରେ SI ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅର୍ଥ କାରବାର ହୋଇଥିବା ତଥ୍ୟ ମିଳିଥିବା ED ଦାବି କରିଛି। ଏହା ଉଭୟଙ୍କ ମଧ୍ୟରେ ସମନ୍ୱୟ ଥିବା ଦିଗକୁ ସୂଚାଉଥିବା ତଦନ୍ତକାରୀ ସଂସ୍ଥା କହିଛି।

  • ଇଡି ହାତରେ ଲାଗିଲା ବଡ଼ ପ୍ରମାଣ
EDର ତଦନ୍ତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି । ସିଲିକନ୍ ଟେକ୍‌ଲାବ୍‌ର ଅଧିକାଂଶ ଅଂଶଧନ PSIL ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଅଧୀନକୁ ଯାଇଥିବା ଜଣାପଡ଼ିଛି । ଏହି କମ୍ପାନୀର ପୂର୍ବ ନାମ ପଟ୍ଟନାୟକ ଷ୍ଟିଲ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଥିଲା । ଏହି ଅଂଶଧନ ହସ୍ତାନ୍ତର ଏକ ସେୟାର କ୍ରୟ ଚୁକ୍ତି ଅନୁଯାୟୀ ୫ ଅଗଷ୍ଟ ୨୦୨୩ରେ ହୋଇଥିବା ଦର୍ଶାଯାଇଛି। ଏହି ଚୁକ୍ତି ସମ୍ପର୍କରେ କମ୍ପାନୀର ନିର୍ଦ୍ଦେଶକ ସମୀର ରଥ ଓ ତାଙ୍କ ପତ୍ନୀ ସ୍ୱସ୍ତି ମିଶ୍ରଙ୍କ ଭୂମିକା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି ।

ପଢନ୍ତୁ ଏହି ଖବର: ପୋଲିସ SI ପରୀକ୍ଷା କେଳେଙ୍କାରୀ; ଓଡ଼ିଶା ସହ ପଶ୍ଚିମବଙ୍ଗରେ ED ରେଡ୍

ED ଅନୁସାରେ, ଏହି ଚୁକ୍ତି ଦୁଇ କମ୍ପାନୀ ମଧ୍ୟରୁ କେହି ମଧ୍ୟ କମ୍ପାନୀ ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ କରିନଥିବା ଜଣାପଡ଼ିଛି। ଏହି ଦିଗର ମଧ୍ୟ ତଦନ୍ତ ଚାଲିଛି । ଆହୁରି ତଦନ୍ତରୁ ଜଣାପଡ଼ିଛି ଯେ, PSILର ନିର୍ଦ୍ଦେଶକମାନେ STPLର ନିୟନ୍ତ୍ରଣ ଓ ପରିଚାଳନା ଦାୟିତ୍ୱ ନେବା ପରେ ମଧ୍ୟ ସୁରେଶ ଚନ୍ଦ୍ର ନାୟକ STPLର ନିର୍ଦ୍ଦେଶକ ଭାବେ ରହିଥିଲେ। ସେ ITI ଲିମିଟେଡ୍ ସହ SI ପରୀକ୍ଷା ପରିଚାଳନା ସମ୍ପର୍କରେ ଚିଠିପତ୍ର କରିଥିଲେ । ସେ ଅନଧିକୃତ ଭାବେ ପରୀକ୍ଷା ପରିଚାଳନା କାର୍ଯ୍ୟ କରୁଥିବା କଥା ଜାଣିଥିଲେ ମଧ୍ୟ ସମୀର ରଥ କିମ୍ବା ସ୍ୱସ୍ତି ମିଶ୍ର ଏ ସମ୍ପର୍କରେ ITI ଲିମିଟେଡ୍‌କୁ ଅବଗତ କରାଇନଥିବା ED ଉଲ୍ଲେଖ କରିଛି । ପରବର୍ତ୍ତୀ ସମୟରେ ସୁରେଶ ଚନ୍ଦ୍ର ନାୟକ ଅନଧିକୃତ ଭାବେ ପରୀକ୍ଷାର ପ୍ରଶ୍ନପତ୍ରରେ ପ୍ରବେଶ କରିଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି।

  • ଟଙ୍କା କାରବାର ଓ ଅନ୍ୟ ବ୍ୟକ୍ତିଙ୍କ ଭୂମିକା ଉପରେ ନଜର
EDର କହିବା ଅନୁସାରେ, ଏହି ମାମଲାରେ ଏପରି କିଛି କମ୍ପାନୀ ଓ ବ୍ୟକ୍ତିଙ୍କ ଭୂମିକା ସାମ୍ନାକୁ ଆସିଛି, ଯେଉଁମାନେ ପୂର୍ବରୁ ତଦନ୍ତକାରୀ ସଂସ୍ଥାର ନଜରକୁ ଆସିନଥିଲେ । ଏହା ସହ OPRB ଓ ଅନ୍ୟ କମ୍ପାନୀ ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ସମ୍ଭାବ୍ୟ ଭୂମିକା ମଧ୍ୟ ଯାଞ୍ଚ କରାଯାଉଛି । ତଦନ୍ତକାରୀ ସଂସ୍ଥାର ମତରେ, ପ୍ରଶ୍ନପତ୍ର ଲିକ୍ ଘଟଣାଟି ଏକ ସଂଗଠିତ ଢଙ୍ଗରେ କରାଯାଇଥିବା ସମ୍ଭାବନା ରହିଛି । ପରୀକ୍ଷାର୍ଥୀଙ୍କଠାରୁ ଟଙ୍କା ଆଦାୟ କରି ବିପୁଳ ପରିମାଣର ଅପରାଧଲବ୍ଧ ଅର୍ଥ ସଂଗ୍ରହ କରାଯାଇଥିବା ଦିଗରେ ମଧ୍ୟ ତଦନ୍ତ ଚାଲିଛି । ଏହି ମାମଲାରେ EDର ତଦନ୍ତ ଜାରି ରହିଛି ।