Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଲେଜ କ୍ୟାମ୍ପସକୁ ରାଜନୀତିକରଣ କରିବାକୁ ଷଡଯନ୍ତ୍ର ରଚିଛନ୍ତି ରାଜ୍ୟ ସରକାର

Jitendra Dash
Browse all articles by Jitendra Dash
·2 years ago·4 min read
କଲେଜ କ୍ୟାମ୍ପସକୁ ରାଜନୀତିକରଣ କରିବାକୁ ଷଡଯନ୍ତ୍ର ରଚିଛନ୍ତି ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ବିଜେଡି ଦଳୀୟ ପ୍ରଚାର ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରୁଛି । କଲେଜ କ୍ୟାମ୍ପସରେ ଦଳୀୟ ପତାକା ଉଡୁଛି, ବ୍ୟାନର ଲାଗିଛି, ଶଙ୍ଖ ଚିହ୍ନ ଲଗାଇ ପ୍ରଚାର ହେଉଛି ଏବଂ ନୂଆ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ କ୍ଲାସ ଭିତରେ କ୍ୟାମ୍ପେନ କରୁଛନ୍ତି ବିଜେଡି ନେତା ଓ କର୍ମୀ । ଗୋଟିଏ ପଟେ ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ୬ ବର୍ଷ ହେଲା ବନ୍ଦ କରି ଆସୁଛନ୍ତି । ଅନ୍ୟପଟେ ଦଳୀୟ ନେତା ଆଗାମୀ ନିର୍ବାଚନ ପାଇଁ କଲେଜ କ୍ୟାମ୍ପସରେ ରାଜନୀତିର ମାହୋଲ ତିଆରି କରିବାରେ ଲାଗିଛନ୍ତି । ଏହା ହେଉଛି ନବୀନ ବାବୁଙ୍କୁ ଡବଲ ଷ୍ଟାଣ୍ଡାର୍ଡ ନୀତି । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଂଚିତ ରଖି ନିଜର ରାଜନୈତିକ ଫାଇଦା ପାଇଁ ଶାସକ ବିଜେଡି କଲେଜ କ୍ୟାମ୍ପସର ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ, ଲିଙ୍ଗଡୋ କମିଶନ ନିୟମକୁୁ ଉଲ୍ଲଙ୍ଘନ କରୁଛନ୍ତି ରାଜ୍ୟ ସରକାର । ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ଓଡ଼ିଶାର ଛାତ୍ରନେତା ଆଜି ଦେଶର ବଡ ବଡ ପଦବୀରେ ନିଜର ଦକ୍ଷତା ଦେଖାଉଛନ୍ତି । ଦେଶର ରାଷ୍ଟ୍ରପତି ଶ୍ରୀମତି ଦୌପଦୀ ମୁର୍ମୁ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଅନେକ ବ୍ୟକ୍ତିତ୍ୱ ଛାତ୍ର ନେତାରୁ ଆସି ଦେଶର ବିକାଶରେ ପ୍ରମୁଖ ଚେହେରା ପାଲଟିଛନ୍ତି । ଏବେର ଛାତ୍ରଛାତ୍ରୀମାନେ କାଳେ ଆଗାମୀ ଦିନରେ ଓଡିଶାର ନେତୃତ୍ୱ ନେଇଯିବେ ସେହି ଭୟ ବିଜେଡିକୁ ଘାରିଛି । ଛାତ୍ର ନେତାଙ୍କୁ ରାଜ୍ୟସରକାର କାହିଁକି ଡରୁଛନ୍ତି ବୋଲି ଶ୍ରୀ ଠାକୁର ପ୍ରଶ୍ନ କରିବା ସହ ଆଗାମୀ ନିର୍ବଚାନରେ ଛାତ୍ରଛାତ୍ରୀମାନେ ଏହି ଅନ୍ୟାୟ ବିରୁଦ୍ଧରେ ଉଚିତ୍ ଜବାବ ଦେବେ ବୋଲି ଠାକୁର କହିଛନ୍ତି ।

କଲେଜଗୁଡିକରେ ଗୁଣାତ୍ମକ ଶିକ୍ଷାର ଅଭାବ ରହିଛି । ଅନେକ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ଏବଂ ଅଧ୍ୟାପକ ନାହାଁନ୍ତି । ଏହାର ପ୍ରଭାବ ଛାତ୍ରଛାତ୍ରୀମାନଙ୍କ ଉପରେ ପଡୁଛି । ରାଜ୍ୟ ସରକାର କଲେଜ କ୍ୟାମ୍ପସରେ ପାନୀୟ ଜଳ, ସାଇକେଲ ଷ୍ଟାଣ୍ଡ, କମନ ରୁମ, ଲାଇବ୍ରେରୀ, ଖେଳ ପଡିଆ, ଲାବ୍ରୋଟୋରୀ, ଲେଡିଜ ହଷ୍ଟେଲ ଆଦିର ଉନ୍ନତିକରଣ ପାଇଁ କୌଣସି ଠୋସ ପଦକ୍ଷେପ ନେଇ ନାହାଁନ୍ତି । ଛାତ୍ରଛାତ୍ରୀମାନଙ୍କୁ ମୌଳିକ ସୁବିଧା ନଯୋଗାଇ ରାଜ୍ୟ ସରକାର ବିଜେଡିର ଦଳୀୟ ଚିହ୍ନକୁ ବ୍ୟବହାର କରି “ଯୁବ ଓଡ଼ିଶା ନବୀନ ଓଡିଶା” ନାଁରେ କ୍ୟାମ୍ପେନ କରି କଲେଜଗୁଡିକରେ ଭୋଜି ଭାତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ଠାକୁର କହିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ଅନେକ ସ୍ୱଂୟଶାସିତ କଲେଜ ନାକ୍ ଗ୍ରେଡ ହାସଲ କରିପାରୁ ନାହାଁନ୍ତି । ନାକ୍ ଗ୍ରେଡ ନପାଇବାରୁ ବିଜେବି କଲେଜ ପରି ୧୦ ରୁ ଅଧିକ କଲେଜ ସ୍ୱଂୟଶାସିତ ମାନ୍ୟତା ହରାଇଛନ୍ତି । ନାକ୍ ମାନ୍ୟତା କ୍ଷେତ୍ରରେ ସରକାରୀ କଲେଜଗୁଡିକ ଭଲ ପ୍ରଦର୍ଶନ କରିପାରୁନଥିବା ବେଳେ ଘରୋଇ କଲେଜଗୁଡିକ ନାକ୍ ଗ୍ରେଡରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଏହା ହେଉଛି ରାଜ୍ୟ ସରକାରଙ୍କ ଶିକ୍ଷା ମଡେଲ୍ । କେବଳ ସେତିକି ନୁହେଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ନିଜର ଆଧିପତ୍ୟ ବିସ୍ତାର କରିବା ଲାଗି ୟୁନିଭରସିଟି ଆମେଣ୍ଡମେଂଟ ଆକ୍ଟ-୨୦୨୦ ଲାଗୁ କରି ୟୁଜିସି ରେଗୁଲେସନ ଆକ୍ଟ -୨୦୧୮ର ଖୁଲମଖୁଲା ଉଲ୍ଲଙ୍ଘନ କରିଛନ୍ତି । ଯାହା ଉପରେ ଏବେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ଏହି ଆଇନ ଲାଗୁ କରି ବିଶ୍ୱବିଦ୍ୟାଳୟ ଗୁଡିକର ସ୍ୱତନ୍ତ୍ରତା ନଷ୍ଟ କରିବା ସହ କୁଳପତିମାନଙ୍କର ଚୟନରେ ରାଜ୍ୟ ସରକାର ହସ୍ତକ୍ଷେପ କରି କଲେଜ କ୍ୟାମ୍ପସକୁ ରାଜନୀତିକରଣ କରିବାର ଷଡଯନ୍ତ୍ର କରିଛନ୍ତି । ହୀନ ରାଜନୀତି ଛାଡି ରାଜ୍ୟ ସରକାର ତୁରନ୍ତ ସ୍ଥାୟୀ ଅଧ୍ୟାପକମାନଙ୍କୁ ନିଯୁକ୍ତି ଦେଇ ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା କରନ୍ତୁ ଏବଂ ‘ନୂଆ-ଓ’, “ଯୁବ ଓଡିଶା ନବୀନ ଓଡିଶା” ନାଁରେ ରାଜନୀତି ନକରି କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ତିଆରି କରିବା ପାଇଁ ଶ୍ରୀ ଠାକୁର ଦାବି କରିଛନ୍ତି । 

ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ଭୋଟର ଓ ଯୁବବର୍ଗଙ୍କଠାରୁ ଭୋଟ ହାତେଇବା ‘ବିଜୁ ଯୁବ ବାହିନୀ’ଯୋଜନା କରିଥିଲେ ରାଜ୍ୟ ସରକାର । ଏବେ ବିଜୁ ଯୁବ ବାହିନୀ” ଯୋଜନା ଗଲା କୁଆଡେ? ସେ ଯୋଜନାରେ କେତେ ଜଣ ଯୁବକ ଲାଭବାନ ହେଲେ? ଗତ ୫ ବର୍ଷରେ କେତେ ଜଣ ଯୁବକଙ୍କୁ ନିଯୁକ୍ତି ମିଳିଛି? ସରକାରୀ କଲେଜରେ ଶିକ୍ଷାର ମାନ ବଢାଇବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ? କେତୋଟି ନୂଆ ଶିକ୍ଷା ଭିତିଭୂମି ପ୍ରସ୍ତୁତ କରାଯାଇଛି?  କେତେ ଜଣ ଅଧ୍ୟାପକମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି ତାହାର ତଥ୍ୟ ରାଜ୍ୟ ସରକାର ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ଶ୍ରୀ ଦାସ ଦାବି କରିଛନ୍ତି ।

ସେହିପରି ରାଜ୍ୟ ସରକାର କେବଳ ବିଜ୍ଞାପନରେ କ୍ରୀଡା ଭିତିଭୂମିର ରୂପାନ୍ତରଣ ଓ କ୍ରୀଡାବିତମାନଙ୍କୁ ପୋତ୍ସାହନ ଦେଉଛନ୍ତି । କ୍ରୀଡା ଭିତିଭୂମି ନିର୍ମାଣ ଦିଗରେ ସରକାରଙ୍କ କୌଣସି ଆଗ୍ରହ ନାହିଁ । କେବଳ ଆଗାମୀ ନିର୍ବାଚନରେ ଭୋଟ ହାତେଇବା ପାଇଁ କ୍ରୀଡାପ୍ରେମ ଦେଖାଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ କ୍ରୀଡାର ଭିତିଭୂମି ଅଭାବ ରହିଛି ଏବଂ କ୍ରୀଡାବିତ ମାନେ ସଠିକ ମାନର ପ୍ରଶିକ୍ଷଣ ସୁବିଧା ପାଇ ପାରୁନାହାଁନ୍ତି । ଯେଉଁ ଖେଳାଳିମାନେ ନିଜ ଉଦ୍ୟମରେ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ସେମାନଙ୍କୁ ବି ରାଜ୍ୟ ସରକାର ମୌଳିକ ସୁବିଧା ଯୋଗାଇ ନାହାଁନ୍ତି । ରାଜ୍ୟ ମହିଳା କବାଡି ଟିମର ଅଧିନାୟିକା ନମିତା ଭୋଇ ଏବଂ କବାଡି ଖେଳାଳି ସୁନିତା ମାଝୀ ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ଏବେ ଛେଳି ଚରାଇବା, ଧାନ କାଟିବା ଆଦି କାମ କରି ନିଜ ପେଟ ପୋଷିବାକୁ ବାଧ୍ୟ ହେଉଛନ୍ତି । ମହିଳା ସମ୍ମାନର ଡିଣ୍ଡିମ ପିଟୁଥିବା ବିଜେଡି ଦଳ ଏବଂ କ୍ରୀଡା ପ୍ରେମ ଦେଖାଉଥିବା ସରକାର କ୍ରୀଡାବିତଙ୍କୁ ସଶକ୍ତ କରିବାରେ କେତେ ଧୁରନ୍ଧର ତାହା ଆଜି ପ୍ରମାଣିତ ହୋଇଛି । କ୍ରୀଡା ଭିତିଭୂମି ରୂପାନ୍ତରଣ ନାଁରେ ଲୁଟ ଚାଲିଛି ଏବଂ ମୋଦି ସରକାରଙ୍କ ‘ଖେଲୋ ଇଣ୍ଡିଆ’ ଯୋଜନାରେ ମିଳୁଥିବା କେନ୍ଦ୍ରୀୟ ଅର୍ଥକୁ କିଛି ହାତ ଗଣତି ଠିକାଦାରଙ୍କ ଜରିଆରେ ଆତ୍ମସାତ କରାଯାଉଛି ବୋଲି ଶ୍ରୀ ଠାକୁର ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । 

Sponsored
thakur ranjit das press meet | Argus News