ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଅନୁଷ୍ଠିତ

ଅର୍ଗସ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଉତ୍ସବକୁ ପୂର୍ବବର୍ଷମାନଙ୍କ ପରି “ସୁଶାସନ ଦିବସ”ଭାବେ ପାଳିଛି ରାଜ୍ୟ ବିଜେପି । ଏହି ଜୟନ୍ତୀ ସମାରୋହରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତି ଓ ରାଜ୍ୟ କାର୍ଯ୍ୟାଳୟରେ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସମେତ ଅନ୍ୟାନ୍ୟ ଅତିଥି ଓ ନେତୃବୃନ୍ଦ ।
ଭାରତୀୟ ଜନତା ପାର୍ଟି ଗଠନ ହେବା ଦିନଠାରୁ ଦଳର ପ୍ରତିଷ୍ଠାତା ସଭାପତିଭାବେ ଅଟଳଜୀଙ୍କ କାର୍ଯ୍ୟାବଳୀର ସମୃଦ୍ଧ ଇତିହାସ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ଆସୀନ ହେବା ପରେ ଭାରତ ବର୍ଷକୁ ଶୀଖରରେ ପହଂଚାଇବାକୁ କୌଣସି ବୈଦେଶିକ ଚାପକୁ ଖାତିର ନକରି ପୋଖରଣ ପରମାଣୁ ବିସ୍ଫୋରଣ ପାଖରୁ ଆରମ୍ଭ କରି “କାରଗିଲ” ବିଜୟ ପର୍ଯ୍ୟନ୍ତ ବାଜପେୟୀଙ୍କ ସବୁ ବୀରତ୍ୱଗାଥାର ବର୍ଣ୍ଣନା କରିଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୁଖ୍ୟବକ୍ତା, ସ୍ତମ୍ଭକାର ଶ୍ରୀ ନିରଞ୍ଜନ ପାଢ଼ୀ ଅଟଳଜୀଙ୍କୁ ଏକଧାରରେ ଜଣେ ଦୂରଦ୍ରଷ୍ଟା, ରାଷ୍ଟ୍ରନୀତିଜ୍ଞ ସହ ଜଣେ କବି, ସାମ୍ବାଦିକ ଓ ପ୍ରବୀଣ ପ୍ରବକ୍ତା ବୋଲି କହିଥିଲେ । ରାଷ୍ଟ୍ର ସ୍ୱାଭିମାନର ସୁରକ୍ଷା ପାଇଁ ସେ ସଦୈବ ଅଟଳ ରହୁଥିବାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ ସେ ତାଙ୍କ ଅଭିଭାଷଣରେ ଉପସ୍ଥାପନା କରିଥିଲେ । ଅନ୍ୟତମ ବକ୍ତାଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦର୍ଶନ ନାୟକ ଜାତି ସଂଘର ସେହି ଅଷ୍ଟସୂତ୍ରୀ ସୁଶାସନର ପରିଭାଷାକୁ ଅଟଳଜୀ ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କିପରି ଲଗାଇଥିଲେ ତାହାର ସବିସ୍ତାର ବର୍ଣ୍ଣନା କରିଥିଲେ ।
📱 Get Argus News App
✨ବାଜପେୟୀଙ୍କ ବ୍ୟକ୍ତିତ୍ୱ ଓ ଦକ୍ଷତାକୁ ଭଲ ପାଉଥିବା ଭୁବନେଶ୍ୱର ମହାନଗରର ଶତାଧିକ ବୁଦ୍ଧିଜୀବୀ ତଥା ଭାରତୀୟ ଜନତା ପାର୍ଟିର ଶୁଭେଚ୍ଛୁ ଓ କାର୍ଯ୍ୟକର୍ତା ଏହି ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ । ବରିଷ୍ଠ ନେତା ସଜ୍ଜନ ଶର୍ମା ଅଟଳଜୀଙ୍କ ସେହି ଅଟଳ ବ୍ୟକ୍ତିତ୍ୱ ପ୍ରତିଟି ଭାରତୀୟ ତଥା ଦଳୀୟ କାର୍ଯ୍ୟକର୍ତାଙ୍କ ମଧ୍ୟରେ ଉର୍ଜା ଭରିଦେଉଥିବା କଥା କହିବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।