ରାଜ୍ୟରେ ସମସ୍ୟା ଅନେକ, କିନ୍ତୁ ସମାଧାନର ସୁତ୍ର ରାଜ୍ୟ ସରକାରଙ୍କୁ ଜଣାନାହିଁ

ଅର୍ଗସ ବ୍ୟୁରୋ : ଆଜିଠୁ ଷୋଡଶ ବିଧାନସଭାର ଶେଷ ଅଧିବେସନ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଜନପ୍ରସଙ୍ଗ, ସାଧାରଣ ଲୋକଙ୍କ ମୈାଳିକ ସମସ୍ୟା ଏବଂ ସାଂପ୍ରତିକ ସାମାଜିକ ଓ ରାଜନୈତିକ ପରିସ୍ଥିତିକୁ ନେଇ ବିଜେପି ବିଧାନସଭା ଅଧିବେସନରେ ପୁଙ୍କାନୁପୁଙ୍ଖ ଆଲୋଚନା କରିବା ସହିତ ସରକାରଙ୍କୁ ଜବାବ୍ ତଲବ କରିବ । ରାଜ୍ୟରେ ଅନେକ ସମସ୍ୟା ରହିଛି, କିନ୍ତୁ ସମାଧାନର ସୁତ୍ର ଜାଣିନାହାନ୍ତି ରାଜ୍ୟ ସରକାର । ବିଶେଷ ଭାବେ ପରିକ୍ରମା ପ୍ରକଳ୍ପ ନାମରେ ଜଗନ୍ନାଥ ସଂସ୍କୃତି ଓ ପରଂପରା ପ୍ରତି କୁଠାରଘାତ, ନୂଆ-ଓ ନାମରେ ଶିକ୍ଷାନୁଷ୍ଠାନଗୁଡିକୁ ବିଜେଡିର ଦଳୀୟ ରାଜନୈତିକରଣ, ବିଭିନ୍ନ ବିଭାଗ ପାଇଁ ବଜେଟରେ ବ୍ୟୟବରାଦ ଟଙ୍କା ଖର୍ଚ୍ଚ କରିନପାରିବା, ମଦର ପ୍ରଚାର ପ୍ରସାର ଏବଂ ବିପୁଳ କଳାଟଙ୍କା ଜବତ୍, ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଅବ୍ୟବସ୍ଥିତ ଧାନ ମଣ୍ଡି, ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ସମେତ ବ୍ୟାପକ ଭ୍ରଷ୍ଟାଚାର, ବ୍ୟଭୀଚାର ଆଦି ଜନବିରୋଧୀ ପ୍ରସଙ୍ଗରେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ବିଧାୟକଗଣ ଉପସ୍ଥିତ ରହି ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବୈଠକ ସଂପର୍କରେ ସୂଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମାଝୀ କହିଛନ୍ତି ଯେ, ବିଜେଡି ଶାସନରେ ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାର ଚରମ ସୀମା ଅତିକ୍ରମ କରିସାରିଛି ଯାହାକି ୨୪ ବର୍ଷର ନବୀନ ଶାସନରେ ସ୍ପଷ୍ଟ ହୋଇଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଥିବା ବିଜେଡି ସରକାର ଜଗନ୍ନାଥ ସଂସ୍କୃତି ଓ ପରଂପରାକୁ ଜଳାଞ୍ଜଳୀ ଦେଇଛନ୍ତି ।
ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅର୍ପଣ ରଥ ଜରିଆରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନିତ କରାଯିବା ସହିତ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ କରାଯାଇଛି । ଶିକ୍ଷାନୁଷ୍ଠାନ ‘ନୂଆ-ଓ” କାର୍ଯ୍ୟକ୍ରମ କେବଳ ଏକ ପ୍ରହସନ ଏବଂ ଏହା ଦ୍ୱାରା ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର । ଶିକ୍ଷାବ୍ୟବସ୍ଥାକୁ ସୁଧାରିବାରେ ବିଫଳ ରାଜ୍ୟ ସରକାର ପାଠ ପଢାକୁ ବନ୍ଦ କରିଦେଇ ଛାତ୍ରଛାତ୍ରୀମାନଙ୍କୁ ନାଚ, ଗୀତ, ଖେଳ କରିବା ନାଁରେ ମଦ, ମାଂସ ଖୁଆଇ ମାତାଲ କରିବା ଯୋଜନା କରିଛି । ମଦ ଦୁର୍ନୀତିରେ ୩୫୦ କୋଟିରୁ ଉର୍ଦ୍ଧ୍ୱ କଳା ଟଙ୍କା ଜବତ ଏବଂ ଏଥିରେ ଶାସକ ବିଜେଡିର ସଂପୃକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପଦୁଟିଏ କହିଲେ ନାହିଁ ।
ରାଜ୍ୟ ସରକାରଙ୍କ ମଦ ପ୍ରିତି କାରଣରୁ ରାଜ୍ୟରେ ବର୍ତମାନ ୩୩ ପ୍ରତିଶତରୁ ଉର୍ଦ୍ଧ୍ୱ ଲୋକ ମଦ ପିଉଛନ୍ତି, ଯାହାକି ଅତ୍ୟନ୍ତ ଚିନ୍ତାଜନକ । ସେହି ଭଳି ବିଜେଡି ସରକାରର ଆଦିବାସୀ ଓ ଚାଷୀମାରଣ ନୀତି ପଦାରେ ପଡିଛି । ପର୍ଯ୍ୟାପ୍ତ ଅମଳ ସତ୍ୱେ ଅବ୍ୟବସ୍ଥିତ ଧାନମଣ୍ଡି କାରଣରୁ ଚାଷୀ ନିଜ ନ୍ୟାର୍ଯ୍ୟ ହକ୍ ପାଇବାରୁ ବଂଚିତ ରହିଆସୁଛନ୍ତି । ‘ଶିକ୍ଷକ ନିଯୁକ୍ତି ଦୁର୍ନୀତି’ ସମେତ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଆଦି ମୁଖ୍ୟ ପ୍ରସଙ୍ଗ ହେବ । ୨୪ବର୍ଷରେ ବିଜେଡି ଶାସନରେ ଓଡ଼ିଆ ଆଜି ନିର୍ଯ୍ୟାତିତ ହୋଇଛି । ଓଡ଼ିଶାକୁ ଲୁଟି ଓଡିଶାବାସୀଙ୍କୁ ‘ବିକାଶ ନାଁରେ ବିନାଶ’ ଚିତ୍ର ଦେଖାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବିଧାୟକ ନାଉରୀ ନାୟକ, ଶଂକର ଓରାମ, ସୁକାନ୍ତ ନାୟକ, ନବଚରଣ ମାଝୀ, ନିତ୍ୟାନନ୍ଦ ଗଣ୍ଡ, ଡ.ମୁକେଶ ମହାଲିଙ୍ଗ, ସନାତନ ବିଜୁଳି, ଆଦିତ୍ୟ ମାଢୀ, ଭବାନୀ ଭୋଇ, ସୁରଜ ସୂର୍ଯ୍ୟବଂଶୀ, କୁସୁମ ଟେଟେ, ଡା.ବୁଧନ ମୁର୍ମୁ, ଗଣେଷରାମ ଖୁଂଟିଆ, ରାଜ୍ୟ ସାଧାରଣ ସଂପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।