ରାଜ୍ୟରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି କୃଷକମୋର୍ଚ୍ଚା

ଅର୍ଗସ ବ୍ୟୁରୋ : ଓଡିଶା ରାଜ୍ୟରେ ଦୀର୍ଘ ୨୩ବର୍ଷର ସ୍ଥାଣୁ, ଅପାରଗ, ନିଷ୍କ୍ରିୟ, ଚାଷୀ ବିରୋଧୀ ବିଜୁ ଜନତା ଦଳ ସରକାର ଚାଷୀଙ୍କୁ ଅବହେଳା କରୁଛି । ଓଡ଼ିଶାର ୭୩ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି କିନ୍ତୁ ରାଜ୍ୟ ସରକାର ଚାଷ ଓ ଚାଷୀ ପାଇଁ କୌଣସି ଅଗ୍ରାଧିକାର, ପ୍ରାଥମିକତା ନାହିଁ । ଚାଷୀଙ୍କ ଉନ୍ନତି କିମ୍ବା ସୁରକ୍ଷା ଦେଲା ଭଳି କୌଣସି ଯୋଜନା ରାଜ୍ୟ ସରକାର କରିନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଚାଷୀଙ୍କ ଉନ୍ନତୀ ପାଇଁ ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ରାଜ୍ୟ ସରକାର ତାହା ଓଡ଼ିଶାରେ କାର୍ଯ୍ୟକାରୀ କରିନାହାନ୍ତି । ଓଡ଼ିଶାର ଚାଷୀକୁଳ ଦୁଃଖ ଓ ନୈରାଶ୍ୟ ଭିତରେ କାଳାତିପାତ କରୁଛନ୍ତି । ଏହାର ଉଦାହରଣ ଯାଜପୁର ଜିଲ୍ଲା ଧର୍ମଶାଳାର ଚାଷୀ ନିତ୍ୟାନନ୍ଦ ପରିଡା, ନୟାଗଡ ଜିଲ୍ଲା ରଣପୁର ଚାଷୀ ଗୋବିନ୍ଦ ସାହୁ ଏବଂ ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗାର ରମେଶ ଭୋଇ । ଏହି ତିନିଜଣ ଚାଷୀ ଫସଲହାନି ଓ ଋଣସୁଝିବା ଚିନ୍ତାରେ ଆତ୍ମହତ୍ୟା କରିଛନ୍ତି । ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବିନୋଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କୁ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ୬ଦଫା ସମ୍ବଳିତ ଦାବି ପତ୍ର ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୋଦିଜୀ “ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି” ଯୋଜନା କରିଥିଲେ ଚାଷୀ ଉପକୃତ ହେବେ ବୋଲି କିନ୍ତୁ ରାଜ୍ୟ ସରକାର ଓଡିଶାର ଚାଷୀଙ୍କ ନାମ କେନ୍ଦ୍ରକୁ ଦେଇନଥିବା କାରଣରୁ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ଏଥିରୁ ବଂଚିତ ହୋଇଛନ୍ତି । ରାଜ୍ୟ ସରକାର ନୁର୍ଭୁଲ ତାଲିକା କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ । ୨୩ବର୍ଷ ଭିତରେ ବିଜେଡି ସରକାର ଚାଷ ଜମିକୁ ଜଳସେଚିତ କରିବାରେ ବିଫଳ ହୋଇଛି । ଅନାବୃଷ୍ଟି ଯୋଗୁଁ ମରୁଡି ଭଳି ବିପତିର ସମ୍ମୁଖୀନ ହେଉଛନ୍ତି ଓଡ଼ିଶାର ଚାଷୀ । ସେହିପରି ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଅଧିକାଂଶ ଜିଲ୍ଲାରେ ହାତୀ, ବାର୍ହା ଓ ପଶୁପକ୍ଷୀଙ୍କ ଦ୍ୱାରା ଫସଲ ଓ ଲୋକଙ୍କ ଜୀବନ ଯାଉଛି । ରାଜ୍ୟ ସରକାର ଚାଷୀଙ୍କ ପ୍ରତି ଅବହେଳା ନକରି ମାଗଣାରେ ବିହନ, ସାର ଓ କୀଟନାଶକ ଯୋଗାଇବା ସହ ମରୁଡି ହୋଇଥିବା ଜିଲ୍ଲାରେ ତଦନ୍ତ କରି କ୍ଷତିପୂରଣ ଦିଅନ୍ତୁ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି ।
📱 Get Argus News App
✨ସେହିପରି ରାଜ୍ୟ ସରକାର ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଓ ଦୁର୍ନୀତି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି । ଧାନ କୁଇଂଟାଲ ପିଛା ୫ ରୁ ୧୦କିଗ୍ରା କଟନିଛଟନି କରାଯାଉଛି । ରାଜ୍ୟ ସରକାର ତୁରନ୍ତ ଧାନ ଦୁର୍ନୀତି ବନ୍ଦ କରି ଧାନମଣ୍ଡିକୁ ମିଲରଙ୍କ ଦାଦାଗିରିକୁ ମୁକ୍ତ କରାଯାଉ, ଧାନମଣ୍ଡି ସବୁଦିନ ଖୋଲାଯାଉ ଓ ରାଜ୍ୟରେ ଧାନ କାରବାରରେ ବିଗତ ଦିନରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି ।
ରାଜ୍ୟ ସରକାର ଓଡ଼ିଶାରେ ଥିବା କୃଷି ଭିତିକ ଶିଳ୍ପ ଯଥା-ଚିନିକଳ, ସୂତାକଳ ଓ ଝୋଟକଳ ଖୋଲନ୍ତୁ ଓ ଖାଦ୍ୟପ୍ରକ୍ରିୟା କରଣ ଶିଳ୍ପ ପ୍ରତିଷ୍ଠା କରନ୍ତୁ । ରାଜ୍ୟ ସରକାରଙ୍କ ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି କୁଆଡେ ଗଲା? ନବୀନ ବାବୁ ଶାସନକୁ ଆସିବା ସମୟରେ ୧୧୨ଯି ଶୀଳତ ଭଣ୍ଡାର କାର୍ଯ୍ୟ କରୁଥିଲା ମାତ୍ର ୮ଟି କାର୍ଯ୍ୟକ୍ଷମ ଅଛି । ବନ୍ଦ ପଡିଥିବା ଶୀତଳଭଣ୍ଡାରକୁ ରାଜ୍ୟ ସରକାର ତୁରନ୍ତ ଖୋଲିବା ସହ ନୂଆ ପ୍ରତିଷ୍ଠା କରନ୍ତୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମରୁଡି ହୋଇ ଧାନଫସଲ କ୍ଷତି ହୋଇଥିଲେ ମଧ୍ୟ ଚାଷୀ ଫସଲବୀମା ଟଙ୍କା ପାଇନାହାନ୍ତି । ଶାସକ ଦଳର ମନ୍ତ୍ରୀ,ନେତା, ବିଧାୟକମାନେ କମ୍ପାନୀ ସହ ମିଶି ଅନୈତିକ ଉପାୟରେ ବୀମାରାଶି ହଡପର ଅଭିଯୋଗ ଆସିଛି । ଓଡ଼ିଶାର ଚାଷୀମାନଙ୍କୁ ତୁରନ୍ତ ଫସଲହାନୀ ବିମା ଟଙ୍କା ପ୍ରଦାନ କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ସାହୁ କହିଛନ୍ତି ।
ଏହି ଅବସରରେ କୃଷକମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସମୀର ପାତ୍ର, ଉପେନ୍ଦ୍ର ଭଞ୍ଜ, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, ହଳପାଣୀ ମାଝୀ, କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, କୃଷକମୋର୍ଚ୍ଚା ରାଜ୍ୟ ସଂପାଦକ ସତ୍ୟବାଦୀ ଚଇନି, ବିକ୍ରମ କେଶରୀ ରାଉତରାୟ, ପାରାଉ ହେମ୍ବ୍ରମ୍, ମନିଷା ବେହେରା, ରାଜ୍ୟ ସଂଯୋଜକ ପ୍ରଶାନ୍ତ ସ୍ୱାଇଁ, ଜୟଲକ୍ଷ୍ମୀ ମହାନ୍ତି, କୃଷକମୋର୍ଚ୍ଚା ଖୋର୍ଦ୍ଧା ଜିଲ୍ଲା ସଭାପତି ତାପସ ଜେନା, ଉପେନ୍ଦ୍ର କୁମାର ରାଉତ, ଶଙ୍କରଶନ ମହାନ୍ତି, ଜଗନ୍ନାଥ ମହାପାତ୍ର, ଉତମ କୁମାର ପାଣିଗ୍ରାହୀ, ପୂର୍ଣ୍ଣିମା ଦାଶ, ନନ୍ଦୀନି ଶତପଥୀ, ରାଜ୍ୟ ମିଡିଆ ସହସଂଯୋଜକ ତାପସ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।