ପରଲୋକରେ ପୂର୍ବତନ କଂସ ମହାରାଜ , ୨୩ ବର୍ଷ ଧରି କରୁଥିଲେ କଂସ ଭୂମିକା

ବରଗଡ : ପରଲୋକରେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ ଏଲି । ଦୀର୍ଘ ୨୩ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ l ୭୦ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ଘଟିଛି । କିଛି ଦିନ ହେବ ସେ ମଧୁମେହ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ତାଙ୍କ ବାସଭବନରେ ତାଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ ଜମିଛି । ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଗୋପାଳ ସାହୁ ବରଗଡ ଧନୁଯାତ୍ରାର ସପ୍ତମ କଂସ ଭାବରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କ ନାମ ଗୋପାଳ(ଶ୍ରୀକୃଷ୍ଣ) ହେଲେ ବି ତାଙ୍କୁ କଂସ ମହାରାଜ ଭାବରେ ସମସ୍ତେ ଜାଣୁଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
୧୯୮୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ସେ ୨୩ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ । ପେଶାରେ ସେ ଜଣେ ପୁଲିସ ଅଧିକାରୀ । ହେଲେ ନିଶା ତାଙ୍କର ଅଭିନୟ । ତାଙ୍କ ଅଭିନୟ ଦେଖିବାକୁ ସେ ସମୟରେ କଂସ ଦରବାରରେ ବହୁ ଭିଡ ଜମୁଥିଲା । ନଗର ପରିକ୍ରମା ସମୟରେ ହାତୀ ଉପରେ ବସି ବୁଲି ନିଜ ଉପସ୍ଥିତ ବାକଚାତୁରିରେ ଜୋରିମାନା ପକାଇ ସେ ଦର୍ଶକଙ୍କ ମନ କିଣୁଥିଲେ । ତାଙ୍କ ସମୟର ଅନେକ କଥା ଆଜି ବି କିମ୍ବଦନ୍ତୀ ହୋଇ ରହିଛି । ଗୋପାଳଙ୍କ ଅଭିନୟ ପାଇଁ ସେ ଅନେକ ବଡବଡ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବରପାଲି ସ୍ଥିତ ବାସ ଭବନ ରେ ଶେଷ ଦର୍ଶନ ପରେ ତାଙ୍କର ଶବ ସତ୍କାର କରାଯିବ ।