Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜମିପଟ୍ଟାରୁ ବଞ୍ଚିତ ଜନଜାତି ଭୂମିହୀନଙ୍କ ଜିଲ୍ଲାପାଳଙ୍କୁ ଗୁହାରି

Odisha

ଜମିପଟ୍ଟାରୁ ବଞ୍ଚିତ ଜନଜାତି ଭୂମିହୀନଙ୍କ ଜିଲ୍ଲାପାଳଙ୍କୁ ଗୁହାରି

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ଜମିପଟ୍ଟାରୁ ବଞ୍ଚିତ ଜନଜାତି ଭୂମିହୀନଙ୍କ ଜିଲ୍ଲାପାଳଙ୍କୁ ଗୁହାରି

ଅର୍ଗସ ବ୍ୟୁରୋ : ଆଦୀମ ଜନଜାତି କୁହାଯାଉଥିବା ଲୋଧା ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଯୋଜନା ରହିଛି । ହେଲେ ଆନ୍ତରିକତା ଅଭାବରୁ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଫଳରେ ହିତାଧିକାରୀ ମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ନିଜର ଅସୁବିଧା ସମ୍ପର୍କରେ ମୂଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ ।  ଏପରି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ଅନ୍ତର୍ଗତ ପାଟଶାଣିପୁର ଗ୍ରାମପଞ୍ଚାୟତର ଅମ୍ବିକାଦେଈପୁରରେ ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ଥିବା ଗ୍ରାମରେ ଭୂମିହୀନ ଲୋଧା ସମ୍ପ୍ରଦାୟର ଲୋକେ ଦୀର୍ଘବର୍ଷ ଧରି ବସବାସ କରି ଆସୁଛନ୍ତି। ତେବେ ଏବେ ବନ ବିଭାଗ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଯୋଗୁଁ ସେମାନେ ବେସାହାରା ହୋଇପଡ଼ିଛନ୍ତି।  ଯାହାକୁ ନେଇ ସେମାନେ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। 


ଦାବି ଅନୁଯାୟୀ, ଅମ୍ବିକାଦେଈପୁର ରାଜସ୍ବ ଗ୍ରାମର ଅନେକ ଅଂଶ ଜାମପାଣି ବନ ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲ ପରିସର ମଧ୍ୟରେ ଯାଉଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ୨୮ଟି ଲୋଧା ଜନଜାତି ପରିବାରକୁ ଉଚ୍ଛେଦ କରାଯାଇଛି। ଲୋଧା ଜନଜାତି ପରିବାର ଏଠାରେ ବାସଗୃହ କରି ଜୀବନ ଜୀବିକା ପାଇଁ ଚାଷ ତଥା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି। ଏହାଛଡା ଜୀବନ ଜୀବିକା ପାଇଁ ଅନ୍ୟ କୌଣସି ବିକଳ୍ପ ପନ୍ଥା ସେମାନଙ୍କ ନିକଟରେ ନାହିଁ । ହେଲେ ଜଙ୍ଗଲ ବିଭାଗ ବେଆଇନ ଭାବେ ଉଚ୍ଛେଦ କରି ସେମାନଙ୍କୁ ବେସାହାରା କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ ବିଭାଗ ଲଗାତାର ଭାବେ ଜଙ୍ଗଲ ଅଧିକାର ଆଇନର ଧାରା ୪(୫) ର ଉଲ୍ଲଙ୍ଘନ କରି ଉଚ୍ଛେଦ କରିଛି। ଏସ.ସି ଏସ.ଟି ନିର୍ଯାତନା ନିବାରଣ ଆଇନର ଧାରା ୩(୫) ଅନୁଯାୟୀ ଏହା ବନ ବିଭାଗର ଏକ ଦଣ୍ଡନୀୟ ଅପରାଧ ବୋଲି ଅଭିଯୋଗରେ ଦର୍ଶାଇ ଗ୍ରାମବାସୀ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୁଲିସ ଏତଲାକୁ ଗ୍ରହଣ କରିନାହିଁ । ଏହାର ସମାଧାନ ନେଇ ବାରମ୍ବାର ଦାବି କରିଥିଲେ ସୁଦ୍ଧା ପଦକ୍ଷେପ ଗ୍ରହଣ କରାଯାଇନାହିଁ । 


ବନ ବିଭାଗ ପକ୍ଷରୁ ଘରକୁ ଭାଙ୍ଗିବା ସହ ପୁରୁଷ ଓ ମହିଳା ଉଭୟଙ୍କୁ ଗ୍ରାମ ଛାଡି ଯିବା ପାଇଁ ଗାଳିଗୁଲଜ କରି ଧମକ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ପୂର୍ବରୁ ୨୮ଟି ଘର ଉଚ୍ଛେଦ ହୋଇଥିବା ବେଳେ ଏବେ ଅବଶିଷ୍ଟ ଉଚ୍ଛେଦ କରିବା ନେଇ ବନ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି । ଘର ଭାଙ୍ଗିଦେଲେ ଏହି ପରିବାରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ବି ରହିବ ନାହିଁ । ସମସ୍ତେ ଜୀବନ ଜୀବିକା ହରାଇବା ସହ ବେସାହାରା ହୋଇଯିବେ। ଏଣୁ ସମସ୍ୟାର ସମାଧାନ କରି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରି ଘରଭଙ୍ଗା ପାଇଁ କ୍ଷତିପୂରଣ ପ୍ରଦାନ, ଜଙ୍ଗଲ ଜମିକୁ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜମି ପ୍ରମାଣପତ୍ର ପ୍ରଦାନ, ଜଙ୍ଗଲ ଅଧିକାର ଆଇନର ଧାରା ୩ (୧) ଅନୁଯାୟୀ ଜାମପାଣି ବନଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରାଯାଉ ବୋଲି ଦାବି କରିଛନ୍ତି । ଅଭିଯୋଗ ନେଇ ଆସିଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଦେଖାନପାଇ ଦାବିପତ୍ର ଟିକୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମଚନ୍ଦ୍ର ସୋରେନଙ୍କୁ ପ୍ରଦାନ କରିଛନ୍ତି। ଏନେଇ ଅଧିକାରୀ କେମେରା ସମ୍ମୁଖରେ କିଛି ପ୍ରକାଶ କରିନଥିବା ବେଳେ ଖୁବଶୀଘ୍ର ତଦନ୍ତ କରାଯିବ ଏବଂ ନ୍ୟାୟ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢନ୍ତୁ ଓଡିଶା ଖବର...

Sponsored
The landless tribe called the District Magistrate of the homeless | Argus News