ସାଧାରଣ ଲୋକଙ୍କ ଟଙ୍କାକୁ ଅଟକାଇ “ସାମାଜିକ ଅପରାଧ” କରୁଛନ୍ତି ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ଦେଶର ୮୦ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ” ଯୋଜନାରେ ମୁଣ୍ଡ ପିଛା ୫କିଲୋ ଚାଉଳ ୫ବର୍ଷ ପାଇଁ ଦେବେ ବୋଲି ଘୋଷଣା କରିଛନ୍ତି । ମହାମାରୀ କରୋନା ସଂକଟ ପରେ ପ୍ରଧାନମନ୍ତ୍ରୀ ମୋଦିଜୀ ଗରିବଙ୍କୁ ଆଉ ୫ବର୍ଷ ଯାଏଁ ମାଗଣା ରାସନ ପ୍ରଦାନ କରିବାର ଅବଧି ବଢ଼ାଇବା ହେଉଛି ଏକ ଐତିହାସିକ ଓ ଯୁଗାନ୍ତକାରୀ ନିଷ୍ପତି । ମହାମାରୀ କରୋନା ପରେ ସାଧାରଣ ଲୋକ କର୍ମ ସଂସ୍ଥାନ ହରାଇଥିବାରୁ ଭୋକିଲା ରହୁଥିଲେ, ଏହା ଦ୍ୱାରା ପ୍ରତ୍ୟେକ ପରିବାର ଖାଦ୍ୟ ଖାଇବେ ବୋଲି ମୋଦିଜୀ ଏହି ବ୍ୟବସ୍ଥା କରିଛନ୍ତି । ମୋଦିଜୀ ଶାସନକୁ ଆସିବା ପରେ ଭାରତରେ ଦାରିଦ୍ର୍ୟ ହାର ହ୍ରାସ ପାଇିଛି । ଏଥି ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଓଡିଶାବାସୀଙ୍କ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଜଣାଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି ସୁନ୍ଦରଗଡରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଏନ୍ଟିପିସି ପକ୍ଷରୁ କେନ୍ଦ୍ରୀୟ ଯୋଜନାରେ ସୁନ୍ଦରଗଡଠାରେ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ମାତ୍ର ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ କ୍ରିୟାନ୍ୱୟନ ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ୨୦୨୪ ସାଧାରଣ ନିର୍ବାଚନରେ ୨୩ବର୍ଷର “ବିଜେଡି ସରକାର ହଟିବ ଓ ବିଜେପି ମୁକୁଟ ପିନ୍ଧିବ” । ଗତ ୫ ଦିନ ଧରି ସୁନ୍ଦରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝି ପଚାରିବା ପରେ ଏହା ସ୍ପଷ୍ଟ ହୋଇଛି । ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ସାଂସଦ, ବିଧାୟକ, ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ବହୁମାତ୍ରାରେ ପରିଶ୍ରମ କରୁଛନ୍ତି, ଏହାର ସୁପଳ ନିଶ୍ଚିତ ଭାବେ ବିଜେପି ସପକ୍ଷରେ ଯିବ ବୋଲି ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
କଂଗ୍ରେସ ସରକାରରେ ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୩ଲକ୍ଷ କୋଟି ଟଙ୍କା ଆସିଥିବାବେଳେ ମୋଦି ସରକାରରେ ଓଡ଼ିଶାକୁ ୯ବର୍ଷରେ ୧୮.୭୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମିଳିଛି କିନ୍ତୁ ରାଜ୍ୟ ସରକାର ୯ବର୍ଷରେ କ’ଣ ଖର୍ଚ୍ଚ କଲେ ତାହାର ହିସାବ ଦେଉନାହାନ୍ତି କାହିଁକି? ସେହିପରି ଖଣି ଅଂଚଳର ସାମୁହିକ ବିକାଶ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ କଲ୍ୟାଣ ପାଂଠି ଗଠନ କରିଛନ୍ତି । ଏହାଦ୍ୱାରା ରାଜ୍ୟ ପ୍ରତି ବର୍ଷ ୫୦ହଜାର ଟଙ୍କା ରାଜସ୍ୱ ପାଉଛି, ଯାହାକି ଓଡ଼ିଶା ରାଜ୍ୟ ପ୍ରତି ମୋଦିଜୀଙ୍କ ଐତିହାସିକ ଓ ଯୁଗାନ୍ତକାରୀ ନିଷ୍ପତି ରହିଛି । ବର୍ତମାନ ସୁନ୍ଦରଗଡ ଜିଲ୍ଲା ଖଣିଜ ପାଂଠିରେ ୪୦୦୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇନପାରି ପଡିରହିଛି । ସୁନ୍ଦରଗଡ ଜିଲ୍ଲାର ଉନ୍ନତୀକରଣ ପାଇଁ ଟଙ୍କା ଗଚ୍ଛିତ ଅଛି କିନ୍ତୁ ରାଜ୍ୟ ସରକାର ତାହା ଖର୍ଚ୍ଚ ନକରି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ରାଜନୈତିକ ଅସହିଷ୍ଣୁତା କାରଣରୁ ସାଧାରଣ ଲୋକଙ୍କ ଟଙ୍କାକୁ ରାଜ୍ୟ ସରକାର ଅଟକାଇ ରଖି “ସାମାଜିକ ଅପରାଧ” କରୁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
📱 Get Argus News App
✨ଗତ ୯ ବର୍ଷରେ ମୋଦିଜୀ ଦେଇଥିବା ଟଙ୍କାରେ ଓଡ଼ିଶାର ଚିତ୍ର ପରିବର୍ତନ କରାଯାଇପାରିଥାନ୍ତା । ଓଡ଼ିଶାର ରେଳ, ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନର ବିକାଶ ପାଇଁ ମୋଦିଜୀ ପ୍ରଚେଷ୍ଟା ଜାରୀ ରଖିଥିବାବେଳେ ୨୩ବର୍ଷର ନବୀନ ସରକାରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁଖ୍ୟ ପ୍ରସଙ୍ଗ ହୋଇଛି । ସ୍କ୍ରବ ଟାଇଫସ୍ ସୁନ୍ଦରଗଡରେ ମାତିଥିବାବେଳେ କେନ୍ଦ୍ର ଟିମ୍ ଆସି ଚିକିତ୍ସା କଲା କିନ୍ତୁ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା ନାହିଁ । ବହୁ ଲୋକ ପ୍ରାଣ ହରାଇଲେ । ସେହିପରି ୧୫ଅଗଷ୍ଟ ୨୦୧୯ରେ ୭୫ବର୍ଷ ଅମୃତ ମହୋତ୍ସବ ଅବକାଶରେ ଯଶ୍ୱସୀ ମୋଦିଜୀ “ଜଳ ଜୀବନ ମିଶନ” ଘୋଷଣା କରିଥିଲେ । ରାଜ୍ୟକୁ ଏ ବାବଦରେ ୧୫ହଜାର କୋଟିରୁ ଊର୍ଦ୍ଧ୍ୱ ଅର୍ଥ ମିଳିସାରିଛି କିନ୍ତୁ ଦୁର୍ଭାଗ୍ୟର ବିଷୟ ବିଜେଡି ସରକାର ଏହି ଅର୍ଥକୁ ଲୁଟ୍ କରିଛନ୍ତି । ଓଡ଼ିଶାର ଲୋକଙ୍କ ପାଖରେ ପିଇବା ପାଣି ଟୋପେ ପହଂଚୁନାହିଁ । ସୁନ୍ଦରଗଡ ଜିଲ୍ଲାରେ ପ୍ରଚୁର ଟଙ୍କା ଅଛି ତାହାର ସଦ୍ବିନିଯୋଗ କରନ୍ତୁ ରାଜ୍ୟ ସରକାର । ନବୀନ ସରକାର ଉଚ୍ଚଶିକ୍ଷା ଓ ପ୍ରାଥମିକ ଶିକ୍ଷାକୁ ତଂଟିଚିପି ହତ୍ୟା କରିଛନ୍ତି । ଶିକ୍ଷାକୁ ନବୀନ ବାବୁ ଗୁରୁତ୍ୱ ଦେଉନଥିବାରୁ ଶିକ୍ଷା ନଷ୍ଟ ହୋଇଛି । ସୁନ୍ଦରଗଡବାସୀଙ୍କ ଭିତରେ ନବୀନ ସରକାରକୁ ନେଇ ଆକ୍ରୋଶ ଦେଖାଦେଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟ ସରକାର ଦୁର୍ନୀତିଗସ୍ତ ସରକାର । “ଆମ ଓଡିଶା-ନବୀନ ଓଡ଼ିଶା” ଯୋଜନା ନାଁରେ ୩,୭୦୦କୋଟି ଟଙ୍କା ଲୁଟ୍ କରିବାର ଯୋଜନା କରିଛନ୍ତି ରାଜ୍ୟ ସରକାର । ସେଥିରେ ସିଧାସିଧା ୫୦ ପ୍ରତିଶତ ପିସି କାରବାର ହେଉଛି । ଓଡ଼ିଶାରେ ବର୍ଷକୁ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ନାରୀ ନିର୍ଯ୍ୟାତନା ଏବଂ ସ୍ଥାନୀୟ ସମସ୍ୟା ବିରୋଧରେ ଆସନ୍ତା ନଭେମ୍ବର ୧୪ ରୁ ୧୮ତାରିଖ ରାଜ୍ୟ ସମସ୍ତ ବ୍ଲକ ସମ୍ମୁଖରେ ଘେରାଉ କରିବ ଭାରତୀୟ ଜନତା ପାର୍ଟି । ରାଜ୍ୟର ଜନସାଧାରଣ ଏହି ଦୁର୍ନୀତି ବିରୁଦ୍ଧ ଲଢ଼େଇରେ ସାମିଲ ହେବାକୁ ଶ୍ରୀ ସାମଲ ଅନୁରୋଧ କରିଛନ୍ତି ।
ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲେ ବି ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ । ଗତକାଲି ବରଗଡ ଜିଲ୍ଲା ଅମ୍ବାଭୋନା ଥାନାରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗୁଣ୍ଡାମାନେ ଅନୁସୂଚିତ ଜନଜାତିର ମହିଳା ଆଇଆଇସିଙ୍କୁ ଡ୍ରଗ୍ସ କାରବାର ତଦନ୍ତ କରାଇ ନଦେଇ ର୍ଦୁବ୍ୟବହାର କରିବା ସହ ଥାନା ଭଙ୍ଗାରୁଜା କରିଥିଲେ । ସୁଶାନ୍ତ ସିଂ ମଧ୍ୟ ଉପସ୍ଥିତ ମହିଳାଙ୍କୁ ମାଡମାରିମା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ବିଜୁ ଜନତା ଦଳର ମନ୍ତ୍ରୀ, ନେତା, ବିଧାୟକମାନେ ସର୍ବଦା ଆଇନଭଙ୍ଗ କରିଥାନ୍ତି । ଶାସକ ଦଳର ବିଧାୟକ ସୁଶାନ୍ତ ସିଂଙ୍କୁ ଅପରାଧିକ କାର୍ଯ୍ୟ ତୁରନ୍ତ ଗିରଫ କରାଯିବାକୁ ଶ୍ରୀ ସାମଲ ଦାବି କରିଛନ୍ତି । ଏହି ଅବସରରେ ସୁନ୍ଦରଗଡ ଜିଲ୍ଲା ସଭାପତି ତଥା ବିଧାୟକ ଶଙ୍କର ଭୋଇ, ବିଧାୟକ କୁସୁମ ଟେଟେ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ରାଜ୍ୟ ସମ୍ପାଦକ ସରୋଜ କର, ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।