ରାଉରକେଲାଠାରେ ଅନୁଷ୍ଠିତ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଲେ ରାଜ୍ୟ ସଭାପତି

ଅର୍ଗସ ବ୍ୟୁରୋ : ୨୩ ବର୍ଷର ନବୀନ ସରକାରର ଶାସନରେ ଓଡିଆ ଯୁବକ ଆଜି ନିଷ୍ପେସିତ । ଦେଶର ୧୦ ପ୍ରତିଶତ ଖଣିଜ ପଦାର୍ଥ ଉତ୍ପାଦନରେ ଭାଗ ରହୁଥିବା ଓଡିଶାରେ ବରୋଜଗାରୀ ସମସ୍ୟା ଆଜି ଶୀର୍ଷରେ ପହଂଚିଛି । ଅପାର ସମ୍ଭାବନା ଭରା ରାଜ୍ୟ ଓଡିଶାରେ ମାଳ ମାଳ କଂପାନୀ ଓ ଖଣି ଥାଇ ମଧ୍ୟ ସର୍ବାଧିକ ଓଡିଆ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶାରେ ତାମିଲ ପ୍ରିୟା ପ୍ରୀତି ଚାଲିଛି । ବିଜେଡିର ନେତା ନିଜକୁ କ୍ରୀତଦାସ କହୁଛନ୍ତି । ବିଜେଡିର ନେତାଙ୍କ ଦ୍ୱାରା ଶାସକ ଦଳର ନେତ୍ରୀ ଶାରୀରିକ ଶୋଷଣର ଶିକାର ହେଉଛି । ଓଡ଼ିଶାରେ ଗଣଦୁଷ୍କର୍ମ ବଢ଼ିଛି । ଗଣଦୁଷ୍କର୍ମଙ୍କ ପରିବାରକୁ ନ୍ୟାୟ ଦେବାରେ ବିଫଳ ରାଜ୍ୟ ସରକାର । ଏନେଇ ଓଡ଼ିଶାର ଯୁବକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ତାହାକୁ ଆନ୍ଦୋଳନର ରୂପ ଦେବ ବିଜେପି ଯୁବମୋର୍ଚ୍ଚା । ଯୁବ ଓ ଓଡ଼ିଆ ବିରୋଧୀ ବିଜେଡି ସରକାର । ରାଜ୍ୟ ସାରା ବ୍ୟାପକ ମାତ୍ରାରେ ମଦ ଦୋକାନ ଖୋଲି ରାଜ୍ୟ ସରକାର ପ୍ରାୟୋଜିତ ଭାବେ ଯୁବ ପୀଢିକୁ ନିଶାଶକ୍ତ କରି ଓଡିଶାର ଭବିଷ୍ୟତକୁ ଅନ୍ଧକାରମୟ କରୁଛନ୍ତି । ନିଶା କାରବାର ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଏ ସମସ୍ତ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଭାରତୀୟ ଜନତା ପାର୍ଟୀ ଆଜି ଇସ୍ପାତ ନଗରୀ ରାଉରକେଲାଠାରେ ଅନୁଷ୍ଠିତ ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକରେ ଦୃଢ ନିନ୍ଦା କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଯୁଗାନ୍ତକାରୀ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ଯୁବକମାନଙ୍କ ଭିତରେ ଅଧିକରୁ ଅଧିକ ଭାବେ ପ୍ରସାରଣ କରିବା ପାଇଁ ଆଜିର କାର୍ଯ୍ୟକାରିଣୀରେ ନିଷ୍ପତି ନିଆଯାଇଛି । ସାଢ଼େ ଚାରିକୋଟି ଓଡ଼ିଆଙ୍କ ହକ୍ ପାଇଁ ଲଢ଼େଇ ସହ ସେବା ମାନସିକତା ଓ ଆଗାମୀ ନିର୍ବାଚନରେ ଲୋକଙ୍କୁ ନ୍ୟାୟ ଦେବାରେ ସଂକଳ୍ପ ନେଇଛନ୍ତି ଯୁବକମାନେ । ଆଜି ଅନୁଷ୍ଠିତ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ରାଜ୍ୟରେ ବେରୋଜଗାର, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ନହେବା, ଶିକ୍ଷିତ ଯୁବକଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ନମିଳିବା, ଦାଦନ ଶ୍ରମିକ ଭାଇ ଭଉଣୀମାନଙ୍କର ଦକ୍ଷତା ମ୍ୟାପିଂ ନକରି ନିଯୁକ୍ତି ନଦେବା, ଯୁବ ପ୍ରତିଭାଙ୍କୁ ଅଣଦେଖା କରିବା ଆଦି ରାଜ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବକଯୁବତୀମାନଙ୍କ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି । ଦେଶର ଯୁବକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍କିଲ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ, ମେକ ଇନ ଇଣ୍ଡିଆ, ଅଗ୍ନିପଥ ଆଦି ଲାଗୁ କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୁବ କଲ୍ୟାଣ ନୀତି ଏବଂ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଥିଲା ।
📱 Get Argus News App
✨ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥୀ ଉପସ୍ଥିତ ରହି ନୂତନ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ନିଜର ଦାୟିତ୍ୱ ସମ୍ପର୍କରେ ଅବଗତ କରାଇବା ସହ ସଫଳତା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଯୁବ ସମାଜକୁ ଏକଜୁଟ କରିବା, ସମସ୍ୟାର ସଂଘର୍ଷ କରି ଆଗାମୀ ନିର୍ବାଚନରେ ଯୁବକଙ୍କ ନିର୍ଣ୍ଣାୟକ ଭୂମିକା ରହିବ । ଦୁର୍ନୀତି, ଭ୍ରଷ୍ଟାଚାର, ଅନ୍ୟାୟ, ଅନୀତି ବିରୋଧରେ ରାଜ୍ୟ ସରକାର ବିପକ୍ଷରେ ଯୁବମୋର୍ଚ୍ଚାର ଭୂମିକା ରହିବ । ନଭେମ୍ବରରେ ୧୫ ରୁ ୧୮ତାରିଖ ସାରା ରାଜ୍ୟର ସମସ୍ତ ବ୍ଲକ ଘେରାଉ ଡାକରା ଦିଆଯାଇଛି । ୨୩ବର୍ଷର ବିଜେଡି ଶାସନରେ ଲୋକେ ଅସହାୟ ହୋଇଗଲେଣି । ବିଜେଡି ସରକାର ସାଧାରଣ ଲୋକଙ୍କ ଟଙ୍କାକୁ ହରିଲୁଟ୍ କରୁଛି । ଓଡ଼ିଶାରେ ପସେେଂଟଜ୍ର ସରକାର ଚାଲିଛି । ୨୦୨୪ ନିର୍ବାଚନରେ ସାଧାରଣ ଲୋକେ ଲଢ଼ି ସରକାର ପରିବର୍ତନ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ବୈଠକରେ ବିଧାୟକ ଶ୍ରୀ ଶଙ୍କର ଓରାମ, ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ସୁଶ୍ରୀ ଅର୍ପିତା ଅପରାଜିତା ବଡଜେନା, ଓଡ଼ିଶା ଯୁବମୋର୍ଚ୍ଚା ପ୍ରଭାରୀ ଶ୍ରୀ ଶଶାଙ୍କ ଶେଖର ରାଜ୍, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ଅଙ୍କୁଶ ବର୍ମା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦୀପଜ୍ୟୋତି ମୁଣ୍ଡ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ସୁଜିତ୍ ସିଂ ପ୍ରମୁଖଙ୍କ ସମେତ ସମସ୍ତ ଯୁବମୋର୍ଚ୍ଚାର ପଦାଧିକାରୀ, ଜିଲ୍ଲା ସଭାପତି ଏବଂ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗ ଦେଇଥିଲେ ।