Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋଦି ସରକାରରେ ଓଡିଶାର ଜନଜାତି ସର୍ବାଧିକ ସମ୍ମାନିତ ଓ ଲାଭାନ୍ୱିତ

Odisha

ମୋଦି ସରକାରରେ ଓଡିଶାର ଜନଜାତି ସର୍ବାଧିକ ସମ୍ମାନିତ ଓ ଲାଭାନ୍ୱିତ

Jitendra Dash
Browse all articles by Jitendra Dash
·2 years ago·5 min read
ମୋଦି ସରକାରରେ ଓଡିଶାର ଜନଜାତି ସର୍ବାଧିକ ସମ୍ମାନିତ ଓ ଲାଭାନ୍ୱିତ

ଅର୍ଗସ ବ୍ୟୁରୋ : ଓଡିଶାର ଅନୁସୂଚିତ ଜନଜାତି ତାଲିକାରେ ଅନେକ ନୂତନ ସଂପ୍ରଦାୟକୁ ସାମିଲ କରାଯାଇଛି । ପାଉରୀ ଭୂୟାଁ, ପାଉଡି ଭୂୟାଁ, ଚୁକ୍ତି ଭୁଂଜିଆ, ବଣ୍ଡୋ, ମାଙ୍କଡିଆ ସଂପ୍ରଦାୟଙ୍କୁ ସାମିଲ କରି ନିକଟରେ ବିଜେପି ନେତୃତ୍ୱାଧିନ ଏନ୍‌ଡିଏ ସରକାର ଜନଜାତିଙ୍କ ପ୍ରତି କଟିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ମୋଦୀ ସରକାର ଆଦିବାସୀ ଓ ଅନୁସୂଚିତ ଜନଜାତିଙ୍କ ଲାଗି ବନଧନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଆଦିବାସୀମାନେ ଖାଦ୍ୟ ଉତ୍ପାଦନ କରି ଆର୍ôଥକ କ୍ଷେତ୍ରରେ ସ୍ୱଚ୍ଛଳ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ, ୨୦୦୪ - ୨୦୧୩ ମସିହା ଭିତରେ ମାତ୍ର ୯୦ଟି ଏକଲବ୍ୟ ଆବାସିକ ମଡେଲ ବିଦ୍ୟାଳୟ ତୁଳନାରେ ୨୦୧୪ - ୨୦୨୪ ରେ ୬.୫ ଗୁଣା ବୃଦ୍ଧି ପାଇ ୭୪୦ଟି ଅନୁମୋଦିତ ହୋଇଛି । ୨୦୨୧-୨୨ ରୁ ୨୦୨୫-୨୬ ଅବଧି ପାଇଁ ୨୮୯୧୯.୭୨ କୋଟି ଟଙ୍କା ଅନୁମୋଦନ ହୋଇଛି । ଏକଲବ୍ୟ ଆବାସିକ ମଡେଲ ବିଦ୍ୟାଳୟ ପାଇଁ ୨୦୧୩-୧୪ ରେ ମାତ୍ର ୨୭୮.୭୬ କୋଟି ଟଙ୍କା ଆବଂଟନ ହୋଇଥିବାବେଳେ ୨୦୨୩-୨୪ରେ ୨୧ ଗୁଣା ବୃଦ୍ଧି ପାଇ ୫୯୪୩ କୋଟି ଟଙ୍କାକୁ ପହଂଚିଛି । ୨୦୧୩-୧୪ରେ ପ୍ରତ୍ୟେକ ଝିଅ ପିଲା ପାଇଁ ବାର୍ଷିକ ହାରାହାରି ୨୪୨୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୨୦୨୩-୨୪ରେ ଏହା ବୃଦ୍ଧି ପାଇ ୧୦୯୦୦୦ ଟଙ୍କା ହୋଇଛି । ପଞ୍ଜୀକୃତ ଛାତ୍ରଙ୍କ ସଂଖ୍ୟା ୨୦୧୩ ତୁଳନାରେ ୩.୫ଗୁଣା ବୃଦ୍ଧି ପାଇ ୧୩୨୨୭୫କୁ ପହଂଚିଛି । ଆସନ୍ତା ୩ ବର୍ଷରେ ୩.୫ ଲକ୍ଷ ଆଦିବାସୀ ଛାତ୍ରଙ୍କ ଶିକ୍ଷା ପାଇଁ ମୋଦି ସରକାର ୭୪୦ ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ପାଇଁ ୩୮୮୦୦ ଶିକ୍ଷକ ଏବଂ ସହାୟକ ନିଯୁକ୍ତ କରିବେ । ଫେବୃଆରୀ ୧୨, ୨୦୨୪ ସୁଦ୍ଧା ନିଯୁକ୍ତି ମେଳା ଜରିଆରେ ୧୦୦୦୦ ଶିକ୍ଷକଙ୍କୁ ନିଯୁକ୍ତି ମିଳିସାରିଛି । ଓଡିଶାରେ ୧୧୪ଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନା ହୋଇଛି । ୮୭ଟି ନୂତନ ଏକଲବ୍ୟ ମଡେଲ ଆବସିକ ବିଦ୍ୟାଳୟ ମଞ୍ଜୁର ହୋଇଛି । ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବା ସହିତ ମାଗଣାରେ ବହି, ୟୁନିଫର୍ମ, ଖାଦ୍ୟ, ରହିବା ଇତ୍ୟାଦି ମିଳିବ ବୋଲି ଶ୍ରୀ ଟୁଡୁ କହିଛନ୍ତି ।

ଜଙ୍ଗଲ ଅଧିକାର ଆଇନ (୨୦୦୬), ମଲ୍ଟି ସେକ୍ଟରାଲ ସ୍‌କିମ, ପିଭିଟିଜିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନାର ସଫଳ କାର୍ଯ୍ୟାନ୍ୱନ କାରଣରୁ ଦେଶ ତଥା ଓଡିଶାର ଜନଜାତି ସଂପ୍ରଦାୟ ଅନେକ ଲାଭାନ୍ୱିତ ହୋଇଛି । ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନାରେ ଓଡିଶାର ୩୪୦୦ଟି ଗ୍ରାମ ଚିହ୍ନଟ କରାଯାଇଛି ଏବଂ ଯେଉଁଥିରୁ ୧୬୦୦ଟି ଗ୍ରାମକୁ ଚଳିତ ଆର୍ଥୀକ ବର୍ଷରେ ପ୍ରତ୍ୟେକ ଗ୍ରାମ ପାଇଁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ମୁଦ୍ରା ଋଣ ଯୋଜନା ମାଧ୍ୟମରେ ଅନୁସୂଚିତ ବର୍ଗଙ୍କ ଆତ୍ମନିଯୁକ୍ତି ବା ବ୍ୟବସାୟ ପାଇଁ ୨୦୨୨-୨୩ ବାର୍ଷିକ ବଜେଟ୍‌ରେ ୧.୪୨ ଲକ୍ଷ କୋଟି ଟଙ୍କାର ଅର୍ଥ ବ୍ୟୟ ବରାଦ କରାଯାଇଛି । ଅନୁସୂଚିତ ଜାତିର ବିଦ୍ୟାର୍ଥୀମାନଙ୍କୁ ମାଟ୍ରିକ ପୂର୍ବ ଓ ପରବର୍ତୀ ଶିକ୍ଷା ପାଇଁ ମିଳୁଥିବା ଛାତ୍ରବୃତି ବ୍ୟବସ୍ଥାକୁ ପୂର୍ଣ୍ଣରୂପରେ ସୁଦୃଢ଼ କରାଯାଇଛି ଏବଂ ମୋଦି ସରକାରରେ ପ୍ରତ୍ୟେକ ବର୍ଷ  ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ବୃତି ପରିମାଣ ବଢିଚାଲିଛି । ୨୦୨୩-୨୪ ଆର୍ଥୀକ ବର୍ଷରେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ପୋଷ୍ଟ ମ୍ୟାଟ୍ରିକ ସ୍କୋଲାରସିପ ସକାଶେ ୧୯ ମାର୍ଚ୍ଚ ୨୦୨୪ ସୁଦ୍ଧା ସମୁଦାୟ ୧୩୫.୬୪ କୋଟି ଟଙ୍କା ଓଡିଶାକୁ ପ୍ରଦାନ କରାଯାଇସାରିଛି । ନ୍ୟାସନାଲ ଓଭରସିଜ ସ୍କଲାରସିପ୍‌ରେ କେନ୍ଦ୍ରୀୟ କ୍ଷେତ୍ର ଯୋଜନା, ଅନୁସୂଚିତ ଜାତି, ମୁକ୍ତଭାବେ ଘୂରି ବୁଲୁଥିବା ଯାଯାବର ଜନଜାତି, ଅର୍ଦ୍ଧର୍ ଯାଯାବର ଜନଜାତ, ଭୂମିହୀନ କୃଷି ଶ୍ରମିକ ଏବଂ ପାରମ୍ପରିକ କାରିଗର ଶ୍ରେଣୀର ପିଲାମାନଙ୍କ ଉଚ୍ଚଶିକ୍ଷା ଅର୍ଥାତ ମାଷ୍ଟର ଡିଗ୍ରୀ ପିଏଚଡି ଡିଗ୍ରୀ ପାଇଁ ପ୍ରତି ବର୍ଷ ୧୨୫ ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଯାଉଛି ବୋଲି ଶ୍ରୀ ଟୁଡୁ କହିଛନ୍ତି ।

ରାଜ୍ୟରେ ୬୫% ଆଦିବାସୀ ଶିଶୁ ରକ୍ତ ହୀନତାର ଓ ଅପପୁଷ୍ଟିର ଶିକାର । ରାଜ୍ୟରେ ପ୍ରାୟ ଅପହଂଚ ଗାଁ ସଂଖ୍ୟା ୨,୪୭୬ରୁ ୧,୩୨୬ ଗାଁ କେବଳ ୫୦% ଆଦିବାସୀ ବସବାସ କରୁଥିବା ୯ଜିଲ୍ଲା ଗୁଡ଼ିକରେ ଅବସ୍ଥିତ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାର ନ୍ୟାୟ ନମିଳିବାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଓଆରଭି ଓ ପେସା ଆଇନକୁ କାର୍ଯ୍ୟକାରୀ ନକରିବାରୁ ଜନଜାତିବର୍ଗଙ୍କ ସାମାଜିକ, ନ୍ୟାୟିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ନିୟମିତ ଭାବେ ଟିଏସି କମିଟି ବୈଠକ ନହେବା କାରଣରୁ ସାମ୍ବିଧାନିକ ଅଧିକାରରୁ ବଂଚିତ ହେଉଥିବାବେଳେ ଡିଏମଏଫ୍ ଫଣ୍ଡରେ ବ୍ୟାପକ ଭ୍ରଷ୍ଟାଚାର କାରଣରୁ ଆର୍ଥିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହେଉଛି । ଖଣିଖାଦାନ ଅଂଚଳରେ ବେଆଇନ ଭାବେ ବେଦଖଲ କରାଯାଉଛି । ଆଦିବାସୀବହୁଳ ଅଂଚଳରେ ଶିକ୍ଷକ ଓ  ଡାକ୍ତର ଅଭାବ କାରଣରୁ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତି କାରଣରୁ ରାଜ୍ୟରେ ବସବାସ କରୁଥିବା ଆଦିବାସୀମାନେ ସେମାନଙ୍କ ମୈାଳିକ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି । ଦେଶର ଗୁଜୁରାଟ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ, କେରଳ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ମିଜୋରାମ ଏବଂ ଗୋଆରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ମନ୍ତ୍ରଣାଳୟ ୧୦ଟି ସଂଗ୍ରହାଳୟକୁ ଅନୁମୋଦନ କରିଛି କିନ୍ତୁ ଦୁର୍ଭାଗ୍ୟବଶତ ଯଦିଓ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ସ୍ଥାନ ପରିଦର୍ଶନ ଚିହ୍ନଟ କରାଯାଇଥିଲା ଓଡିଶା ସରକାର ଏଥିପାଇଁ କୈାଣସି ପ୍ରସ୍ତାବ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଟୁଡୁ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

“ଯେତେବେଳେ ଆମର ଆଦିବାସୀ ସଂପ୍ରଦାୟ ସମୃଦ୍ଧ ହେବ, ସେତେବେଳେ ଭାରତ ବର୍ଷ ସମୃଦ୍ଧ ହେବ” । ଏହି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନଜାତି ସଂପ୍ରଦାୟଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ପରଂପରାର ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ । ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସମାନ ଅଧିକାର ଦେବା ପାଇଁ ସଦାସର୍ବଦା ପ୍ରଚେଷ୍ଟା କରୁଛନ୍ତି । ଆଦିବାସୀମାନଙ୍କ ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ତଥା ସାଂସ୍କୃତିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନରେ ଅନେକ ବ୍ୟବସ୍ଥା ରହିଛି । ସ୍ୱାଧିନତାର ୭୫ବର୍ଷ ଭିତରେ ଯଦି ଆଦିବାସୀମାନଙ୍କର କଥାକୁ କେହି ବୁଝିପାରିଛି ସେ ହେଉଛି ବିଜେପି । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ସରକାର ୧୯୯୯ ମସିହାରେ ପ୍ରଥମ ଥର ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପ୍ରତିଷ୍ଠା କରିଥିଲେ ଏବଂ ପ୍ରଥମେ ଆଦିବାସୀ ମନ୍ତ୍ରୀ ଭାବେ ଜୁଏଲ ଓରାମଙ୍କୁ ଦାୟୀତ୍ୱ ଦିଆଯାଇଥିଲା । ଦେଶର ଶୀର୍ଷ ସାମ୍ବିଧାନିକ ପଦ ରାଷ୍ଟ୍ରପତି ପାଇଁ ବିଜେପି ନେତୃତ୍ୱ ଏନଡିଏ ତରଫରୁ ପ୍ରାର୍ଥୀ ହୋଇଥିବା ଓଡ଼ିଶା ମାଟିର ଗର୍ବ, ଗୌରବ ତଥା ଓଡ଼ିଆ ଓ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ବର୍ତମାନ ମୋଦି ସରକାରରେ ୮ ଜଣ ଆଦିବାସୀ ମନ୍ତ୍ରୀ ପଦ ପାଇଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚ ପଦପଦବୀରେ ଜନଜାତି ସଂପ୍ରଦାୟର ଅନେକ ଓଡିଆ ପ୍ରତିନିଧିତ୍ୱ କରୁଛନ୍ତି । ଏହା ହେଉଛି ମୋଦି ସରକାରଙ୍କ ଓଡିଶାର ଜନଜାତିଙ୍କ ପ୍ରତି ଥିବା ସମ୍ମାନ ଏବଂ ବିଶ୍ୱାସ ବୋଲି ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ନାୟକ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

୨୦୨୧ ମସିହାରେ ଭାରତ ସରକାର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ସହିତ ଆଦିବାସୀ ଐତିହ୍ୟ ଓ ସଂସ୍କୃତିକୁ ସମ୍ମାନ ଜଣାଇ ୧୫ ନଭେମ୍ବର ବିର୍ଶା ମୁଣ୍ଡାଙ୍କ ଜନ୍ମଦିବସକୁ ଜନଜାତୀୟ ଗୈାରବ ଦିବସ ଭାବେ ପାଳନ କରୁଛନ୍ତି । ୨୦୧୧ ଜନଗଣନା ଅନୁସାରେ ଭାରତରେ ଜନଜାତିଙ୍କ ସଂଖ୍ୟା ହେଉଛି ୧୦.୪୫ କୋଟି, ଯାହାକି ସମୁଦାୟ ଜନସଂଖ୍ୟାର ୮.୬ ପ୍ରତିଶତ । ଭାରତରେ ୭୦୦ରୁ ଉର୍ଦ୍ଧ୍ୱ ଅଧିକ ଆଦିବାସୀ ସଂପ୍ରଦାୟ ଏବଂ ୭୫ଟି ବିଶେଷ ଭାବେ ଦୁର୍ବଳ ଆଦିବାସୀ ଗୋଷ୍ଠୀ (ପିଭିଟିଜି) ଅଛନ୍ତି । ଓଡ଼ିଶା ଜନସଂଖ୍ୟାର ପ୍ରାୟ ୨୪% ହେଉଛନ୍ତି ଆଦିବାସୀ ଏବଂ ୬୨ଟି ସମ୍ପ୍ରଦାୟ ଓ ୧୩ଟି ପିଭିଟିଜି ସଂପ୍ରଦାୟର ଜନଜାତି ବସବାସ କରନ୍ତି । ଜନଜାତିଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଆଦିବାସୀ ମନ୍ତ୍ରାଳୟର ବଜେଟ ପରିମାଣ ୨୦୧୩-୧୪ ଆର୍ଥିକ ବର୍ଷରେ ମାତ୍ର ୪୨୯୫.୯୪ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ ଅର୍ଥୀକ ବର୍ଷରେ ଏହି ପରିମାଣ ୩ ଗୁଣା ବୃଦ୍ଧି ପାଇ ୧୨୪୬୧.୮୮ କୋଟି ଟଙ୍କାକୁ ପହଂଚିଛି । ପ୍ରଧାନମନ୍ତ୍ରୀ ଆଦିବାସୀ ବିକାଶ ମିଶନ (ପିଏମଜେଭିଏମ) ଲକ୍ଷ୍ୟ ରଖିଛି ଯେ, ସର୍ବନିମ୍ନ ସହାୟତା ମୂଲ୍ୟରେ କ୍ଷୁଦ୍ର ଜଙ୍ଗଲ ଉତ୍ପାଦନ କ୍ରୟ କରିବାରେ ରାଜ୍ୟମାନଙ୍କୁ ସହାୟତା କରିବା ବ୍ୟତୀତ ବନଧନ ବିକାଶ କେନ୍ଦ୍ର / ବନଧନ ଉତ୍ପାଦକ ଉଦ୍ୟୋଗ ସ୍ଥାପନା କରି ଜୀବିକା ନିର୍ବାହ କରୁଥିବା ଆଦିବାସୀଙ୍କ ଆର୍ଥୀକ ସ୍ଥିତିକୁ ସୁଦୃଢ କରିବା । ଏହି ଯୋଜନାରେ ଆଗାମୀ ୫ ବର୍ଷରେ ୧୬୧୨ କୋଟି ଟଙ୍କା ବ୍ୟୟରେ ୩୦୦୦ ହାଟ ବଜାର ଏବଂ ୬୦୦ ଗୋଦାମ ଘର ପ୍ରତିଷ୍ଠ ପାଇଁ ବ୍ୟବସ୍ଥା କରାଯାଇଛି । ୩୯୫୮ ବନଧନ ବିକାଶ କେନ୍ଦ୍ର ପାଇଁ ୫୨୭.୭୭ କୋଟି ଟଙ୍କା ମୂଲ୍ୟର ପାଂଠି ଅନୁମୋଦିତ । ୧୧.୮୩ ଲକ୍ଷ ଆଦିବାସୀ ହିତାଧିକାରୀ ଉପକୃତ ହେବେ । ଏମଏସପି ସ୍କିମ ଅନ୍ତର୍ଗତ ଏମଏଫପି ସଂଖ୍ୟା ୧୨ ରୁ ୮୭କୁ ବୃଦ୍ଧି କରାଯାଇଛି । ବନଧନ ଯୋଜନା ଅନ୍ତର୍ଗତ ରାଜ୍ୟର ୧୫ଟି ଜିଲ୍ଲାରେ ୧୭୦ଟି ବନଧନ କେନ୍ଦ୍ର ଖୋଲାଯାଇଛି, ୪୧୧୦ ବନଧନ ଏସଏଚଜି ପଂଜୀକୃତ କରାଯାଇଛି, ୫୦୦୯୪ ଏକାଠି ହୋଇଥିବାବେଳେ ଏଥିପାଇଁ ମୋଦି ସରକାର ୨୪.୮୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।

Argus Whatsapp Channel Mobile Top
Sponsored
The tribals of Odisha are most respected and benefited by the Modi government | Argus News