Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁରର ବାର୍ଷିକ ହଜାରେ ଯୁବବର୍ଗଙ୍କୁ ସ୍ୱରୋଜଗାରର ବାଟ ଦେଖାଇବ ସ୍କିଲ୍ ଇଣ୍ଡିଆ ସେଣ୍ଟର - ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·4 min read
ସମ୍ବଲପୁରର ବାର୍ଷିକ ହଜାରେ ଯୁବବର୍ଗଙ୍କୁ ସ୍ୱରୋଜଗାରର ବାଟ ଦେଖାଇବ ସ୍କିଲ୍ ଇଣ୍ଡିଆ ସେଣ୍ଟର - ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଗସ୍ତରେ ଥିବା ବେଳେ ମାଝିପାଲି ଠାରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର(ଏସଆଇସି)ର ଉଦଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ଉଦଘାଟିତ ସ୍କିଲ୍ ଇଣ୍ଡିଆ ସେଣ୍ଟର ବାର୍ଷିକ ହଜାର ପିଲାଙ୍କୁ ଦକ୍ଷ କରିବା ସହ ସେମାନଙ୍କୁ ରୋଜଗାର ଓ ସ୍ୱରୋଜହାରର ବାଟ ଦେଖାଇବ । ଏହି ପିଲାମାନେ ମୋଦି ଗ୍ୟାରେଣ୍ଟିରେ ଯୋଡି ହୋଇ ବିକଶିତ ଭାରତ ଗଠନ ଦିଗରେ ଅଗ୍ରସର ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।      

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗଳବାର ଯୁବଶକ୍ତିଙ୍କୁ କୁଶଳୀ କରିବା ଲକ୍ଷରେ ଏହି  ସ୍କିଲ ଇଣ୍ଡିଆ ସେଣ୍ଟରକୁ ଉଦଘାଟନ କରିଥିଲେ । ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ଓ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଡିହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ କାଶ୍ମୀରରୁ ଭିସି ଜରିଆରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ମୋଟ ପ୍ରାୟ ୧୭,୦୦୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ଉପହାରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଯେଉଁଥିରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ୧୩,୩୭୫ କୋଟି ଟଙ୍କାର ୮୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ଉଷା ଅଧୀନରେ ୭୮ଟି ବିଶ୍ୱବିଦ୍ୟାଳୟକୁ ଭାରତ ସରକାରଙ୍କ ଦ୍ୱାରା ୩,୬୧୮ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । 

ଏ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ଆଇଜର ବ୍ରହ୍ମପୁରର ସ୍ଥାୟୀ କ୍ୟାମ୍ପସର ଉଦଘାଟନ ସହ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ ହେବା ଖୁସିର ବିଷୟ । ୨୦.୯୪ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ, ମୁଣ୍ଡଳି ଓ ୧୫.୮୧ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ, ସୋନପୁରର ନୂତନ ଭବନ ଉଦଘାଟନ ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମର ଶିକ୍ଷାର ମାନକୁ ବଢାଇବ । ସୁନ୍ଦରଗଡ଼ ଜିଲ୍ଲାରେ ୨୫.୮୨ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ, କୁତ୍ରା, ନୂଆପଡା ଜିଲ୍ଲାରେ ୩୦.୬୧ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ, ଖରିଆଳ ଏବଂ ୨୬.୬୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନୂଆପଡାର ଶିଳାନ୍ୟାସ ହୋଇଛି । ଏହା ଦ୍ୱାରା ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହୋଇପାରିବେ । ଏହାବ୍ୟତୀତ ୪.୫୦ କୋଟି ଟଙ୍କା ବ୍ୟୟରେ ପିଏମ୍ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ, ସମ୍ବଲପୁରର ବହୁମୁଖୀ ସଭାଗୃହର ଶିଳାନ୍ୟାସ ଓ ଫୁଟବଲ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ସ୍କିଲ୍ ଲ୍ୟାବର ମଧ୍ୟ ଉଦଘାଟନ ହେବା ବଡ ଉପଲବ୍ଧି ବୋଲି ସେ କହିଥିଲେ । 

 ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଆମ ପିଲା ମାନଙ୍କର ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଓ ତାଙ୍କର ଜ୍ଞାନ ଆହରଣର ବ୍ୟବସ୍ଥାକୁ ଜାତୀୟ ସ୍ତରକୁ ନେବା ଦିଗରେ ସର୍ବଦା ପ୍ରୟାସ କରୁଥିବାରୁ ମା’ ସମଲେଶ୍ୱରୀଙ୍କ ଭୂମିରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ସମେତ ଭାରତବର୍ଷର ଆଇଆଇଟି, ଆଇଆଇଏମ ସମେତ ଯେଉଁ ସବୁ ପ୍ରକଳ୍ପ ହାତକୁ ନେଉଛନ୍ତି ତାହା ଦେଶର ବିକାଶ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସାଜିବ ।  ପିଏମ୍ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ, ସମ୍ବଲପୁରରେ ଶିଳାନ୍ୟାସ ହୋଇଥିବା ବହୁମୁଖୀ ସଭାଗୃହ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରତିଭା ବିକଶିତ କରିବା ଦିଗରେ ସହାୟକ ହେବ । ଲୋକାର୍ପିତ ସ୍କିଲ୍ ଲ୍ୟାବ ଯୁବପିଢ଼ିଙ୍କ ମଧ୍ୟରେ ଦକ୍ଷତା ବିଷୟରେ ଅଧିକ ଆଗ୍ରହ ସୃଷ୍ଟି କରିବାରେ ସହାୟକ ହେବ ଏବଂ ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟାର କ୍ଷେତ୍ରରେ ସେମାନଙ୍କ ଦକ୍ଷତାକୁ ଆଗକୁ ବଢାଇବ । ସମ୍ବଲପୁର ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ କ୍ରୀଡା ସହ ଯୋଡିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଫୁଟବଲ ଫର୍ ସ୍କୁଲ ଅଧୀନରେ ମୋଟ ୧୪୦ ଟି ସ୍କୁଲରେ ୭୨୭ଟି ଫୁଟବଲ ବିତରଣ କରାଯିବ ବୋଲି କହିଥିଲେ ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ସମ୍ବଲପୁରରେ ସ୍କିଲ ଇଣ୍ଡିଆ ସେଣ୍ଟରକୁ ଉଦଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଧ୍ୟାନରେ ରଖି ନୂଆପିଢିର ଯୁବକ ଯୁବତୀ ମାନେ ନିଜକୁ ଦକ୍ଷ ବନାଇବା ମୋଦି ସରକାରଙ୍କ ଲକ୍ଷ୍ୟ ରହିଛି । ଏହି ମର୍ମରେ ଯୁବକ ଯୁବତୀ ମାନଙ୍କୁ  ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ଓଡ଼ିଶାର ଯୁବପିଢ଼ିଙ୍କୁ ଧନ୍ଦାମୂଳକ ତାଲିମ ଦେବା ସହ ସେମାନଙ୍କର ଦକ୍ଷତା ବିକାଶ ପାଇଁ ସମ୍ବଲପୁରରେ ସ୍କିଲ୍ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ସମ୍ବଲପୁରରେ ୪ ହଜାର ବର୍ଗଫୁଟ ପରିମିତ ଜମିରେ ପ୍ରତିଷ୍ଠିତ ଏହି କେନ୍ଦ୍ର ଦକ୍ଷତା ବିକାଶ ଓ ଯୁବ ସଶକ୍ତୀକରଣ ପ୍ରତି ମୋଦି ସରକାରଙ୍କ ପ୍ରତିବଦ୍ଧତାର ପ୍ରତୀକ। ଏହି କେନ୍ଦ୍ରରେ ମୋଟ ୫ ଟି ଆଧୁନିକ ଲ୍ୟାବ ରହିଛି ଏବଂ ପ୍ରଶିକ୍ଷଣ ନିମନ୍ତେ ୩ ଟି ଟ୍ରେନିଂ ହଲ ଅଛି, ଯେଉଁଥିରେ ବର୍ଷକୁ ୧୨୦୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ । ସ୍ୱଳ୍ପ ମୂଲ୍ୟରେ ୩ ମାସରେ ୮ଟି ବିଷୟବସ୍ତୁ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ପ୍ରଥମ ପର୍ୟ୍ୟା ରେ ୨୪୦ ପିଲା ପ୍ରଶିକ୍ଷଣ ନେଇ ସ୍କିଲଡ ହେବେ । କେନ୍ଦ୍ରରେ ଉପଲବ୍ଧ ହେଉଥିବା ପ୍ରଶିକ୍ଷଣରୁ ଛାତ୍ରଛାତ୍ରୀମାନେ ବହୁତ ଉପକୃତ ହେବେ । ମିଡିଆ ଓ ମନୋରଂଜନ, ପର୍ଯ୍ୟଟନ ଓ ଆତିଥ୍ୟ  ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା  ବଂ ଲେଦର ଭଳି ଶିଳ୍ପ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ ।  ଛାତ୍ରଛାତ୍ରୀମାନେ କ୍ଲାଉଡ୍ ଆଧାରିତ ୱେବ୍ ଆପ୍ଲିକେସନ୍ ଡେଭଲପର୍, ଘରୋଇ ଆଇଟି ହେଲ୍ପଡେସ୍କ ସହାୟକ,ଗ୍ରାଫିକ୍ସ ଏବଂ ୟୁଆଇ/ୟୁଏକ୍ସ ଡିଜାଇନର୍, ମିଡିଆ ଏକଜିକ୍ୟୁଟିଭ୍, ଷ୍ଟୋରିବୋର୍ଡ ଟ୍ରେନର୍, ଫୁଡ୍ ଆଣ୍ଡ ବେଭରେଜ୍ ସର୍ଭିସେସ୍ ଷ୍ଟୁଆର୍ଡ, ଷ୍ଟିଚିଂ ଅପରେଟର, ଜୋତା ଏବଂ ଫ୍ୟାସନ୍ ରିଟେଲ୍ ଆସୋସିଏଟ୍ ଭଳି ଚାକିରି ଭୂମିକାରେ ପ୍ରଶିକ୍ଷଣ ସହିତ ଶିକ୍ଷାଗତ ଜ୍ଞାନ ହାସଲ କରିବାରେ ସକ୍ଷମ ହେବେ ।  ୨୦୪୭ ସୁଦ୍ଧା ବିକଶିତ ଭାରତ ବନାଇବା ପାଇଁ ସଂକଳ୍ପ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହାବ୍ୟତିତ ସମ୍ବଲପୁର ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ରୋବଟିକ୍ସ ସେଣ୍ଟର’କୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଥିଲେ ଯେ ସମ୍ବଲପୁରର ନୂଆପିଢିଙ୍କ ମଧ୍ୟରେ ଦୁନିଆକୁ ବଦଳାଇବାର ଶକ୍ତି ଓ ଉତ୍ସାହ ଭରପୁର ରହିଅଛି । ଆଜି ପରିବର୍ତ୍ତିତ ଟେକ୍ନୋଲୋଜି ଦୁନିଆରେ ଇଣ୍ଟରନେଟ୍, ଅଗମେଣ୍ଟଡ ରିୟଲିଟି, ଭର୍ଚ୍ଚୁଆଲ ରିୟଲିଟି, ମେସିନ ଲର୍ଣ୍ଣିଂ, ରୋବୋଟିକ୍ସ ସେଣ୍ଟର ଓ ସେମି କଣ୍ଡକ୍ଟର ଭଳି ବିଷୟ ଯୋଡି ହୋଇଛି । ସମ୍ବଲପୁର ଯେପରି ଏଥିରୁ ବଞ୍ଚିତ ନ ହେବ, ସେଥିପାଇଁ ଭାରତ ସରକାରଙ୍କ ସହ ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲ ମଧ୍ୟରେ ବୁଝାମଣା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି ଅନୁସାରେ ଆଗାମୀ ଦିନରେ ଏହି ସ୍କୁଲରେ ମେଟାଭର୍ସ ଦୁନିଆ ଭଳି ଏକବଂଶ ଶତାବ୍ଦୀର ଅତ୍ୟାଧୁନିକ ଲ୍ୟାବ୍ ତିଆରି କରିବା ପାଇଁ ଯୋଜନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ନୂଆପିଢିଙ୍କର ଦାୟିତ୍ୱ ଆମେ ଯେତେ ନେବା, ଆମ ସମାଜରେ ସେତେ ସମ୍ପନ୍ନତା ବଢିବ ।  ସମାଜରେ ଓ୍ୱେଲଥ କ୍ରିଏସନ ସହ ରୋଜଗାର ସୃଷ୍ଟି କରିବା ପାଇଁ ଉଦ୍ୟମ କରିବା ସହ ପାଇଁ ଶ୍ରୀ ପ୍ରଧାନ ଶିକ୍ଷା ସମାଜକୁ ଆହ୍ୱାନ କରିଛନ୍ତି ।

Sponsored
The Union Minister inaugurated Odisha's first Skill India Center in Sambalpur | Argus News