କାମାକ୍ଷାନଗର, ଆଠମଲ୍ଲିକ ଓ କୁଚିଣ୍ଡାରେ ଦଳୀୟ ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ ହେଲେ ସାମିଲ

ଅର୍ଗସ ବ୍ୟୁରୋ : ବ୍ରହ୍ମପୁର ଓ ନବରଙ୍ଗପୁରର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବିଜେଡି ସରକାରକୁ ବଦଳାଇ ବିଜେପିକୁ ଥରେ ସୁଯୋଗ ଦେବାକୁ ନିବେଦନ କରିଛନ୍ତି । ଓଡ଼ିଶାରେ ମୋଦୀ ଲହର ବୃଦ୍ଧି ପାଇଛି । ନରେନ୍ଦ୍ର ମୋଦୀଙ୍କ ଉପରେ ଓଡ଼ିଶାବାସୀଙ୍କ ଭରସା ରହିଛି । ୨୪ ବର୍ଷ ପରେ ଏଥର ନିଶ୍ଚିତ ଭାବେ ଓଡ଼ିଶାରେ ବିଜେପି ସରକାର ହେବ ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୋମବାର କାମାକ୍ଷାନଗର, ଆଠମଲ୍ଲିକ ଓ କୁଚିଣ୍ଡାରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ କହିଛନ୍ତି, ମୋଦୀ ଗ୍ୟାରେଣ୍ଟି ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିଛି । ମୋଦୀ ଗ୍ୟାରେଣ୍ଟି ପ୍ରତି ଲୋକଙ୍କ ଆସ୍ଥା ବଢିଛି । ମୋଦୀଙ୍କ ଗ୍ୟାରେଣ୍ଟିରେ ଦେଶ ଆଗକୁ ବଢୁଥିବା ବେଳେ ଗରିବ, ମହିଳା, ଚାଷୀ, ବଞ୍ଚିତ ଓ ଯୁବକମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିକାଶମୁଖୀ ଯୋଜନାର ବଡ଼ ଲାଭାର୍ଥୀ ଓଡ଼ିଶା ହୋଇଛି । ରୋଡ ସୋ’ରେ ବିଜେପି ପ୍ରତି ଅଭୁତପୂର୍ବ ଜନସମର୍ଥନ ଓ ଉତ୍ସାହ ଦେଖାଯାଇଛି । ଏଥର ଓଡ଼ିଶାରେ ବିଜେପି ନେତୃତ୍ୱରେ ମଜବୁତ୍ ସରକାର ହେବା ନେଇ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି । ଏଥର ନିର୍ବାଚନରେ ଲୋକମାନେ ବିଜେଡିକୁ ହଟାଇ ବିଜେପିର ସରକାର କରିବେ । ବିକଶିତ ଭାରତ, ବିକଶିତ ଓଡ଼ିଶା ଗଠନ କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଉଲ୍ଲେଖନୀୟ ଯେ, ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ, କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ଶତ୍ରୁଘ୍ନ ଜେନା, ପରଜଙ୍ଗ ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେବା ସହ ପଦ୍ମଫୁଲରେ ଭୋଟ ଦେଇ ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରିବାକୁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଥିଲେ। ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେବା ପୂର୍ବରୁ ଶ୍ରୀ ପ୍ରଧାନ ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।
📱 Get Argus News App
✨ଏହା ପୂର୍ବରୁ ଅନୁଗୋଳରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଶିଷ୍ଟ ଶ୍ରମିକ ନେତା ତଥା ନାଲକୋ ପ୍ରୋଗ୍ରେସିଭ ଏମପ୍ଲୟିଜ୍ ୟୁନିଅନର ପୂର୍ବତନ ସଭାପତି ବିନୋଦ ବିହାରୀ ସେଠଙ୍କ ସମେତ ଅନେକ ସମର୍ଥକମାନେ ଦଳରେ ସାମିଲ ହୋଇଥିଲେ ।