Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ

Odisha

ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ

Jitendra Dash
Browse all articles by Jitendra Dash
·2 years ago·3 min read
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ

ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାରେ ତାଳଚେର-ବିମଳଗଡ଼ ଓ ବାରକୋଟ-ଝାରସୁଗୁଡ଼ା ରେଳଲାଇନ କାମ ତ୍ୱରାନ୍ୱିତ ହେବ ବୋଲି ବୁଧବାର ଦେବଗଡ଼ର ତିଲେଇବଣି, ଟିଙ୍କବୀର ଏବଂ ଛତାବରରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶ ଓ ପଦଯାତ୍ରାରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଦେବଗଡ ବିଧାୟକ ପ୍ରାର୍ଥୀ ସୁବାଷ ପାଣିଗ୍ରାହୀଙ୍କ ସମର୍ଥନରେ ପ୍ରଚାର କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି, ବିଗତ ୨୫ ବର୍ଷ ହେଲା ଦେବଗଡ଼ ବିଜେପିକୁ କିଛି ନା କିଛି ଦାୟିତ୍ୱ ଦେଇଛି । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଜାତୀୟ ରାଜପଥ ସହ ଦେବଗଡ଼ ଯୋଡ଼ି ହେଲା । କୃଷି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ହେଲା । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ରେଳ ସଂଯୋଗୀକରଣ କାର୍ଯ୍ୟ ଜାରି ରହିଛି । ତାଳଚେର-ବିମଳାଗଡ଼ ରେଳ ଲାଇନ କାର୍ଯ୍ୟ ଚାଲୁ ରହିଥିବା ବେଳେ ବାରକୋଟ-ଝାରସୁଗୁଡ଼ା ରେଳଲାଇନ କାମ ପାଇଁ ସର୍ଭେ ସରିଛି । ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ପରେ କାମ ତ୍ୱରାନ୍ୱିତ ହେବ । ଜମି ଅଧିଗ୍ରହଣରେ ବିଳମ୍ବ ଓ ସମସ୍ୟା ରେଳ ଲାଇନ କାମରେ ବାଧା ସୃଷ୍ଟି କରୁଛି । ରାଜ୍ୟରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ହଟିବ ଏବଂ ରେଳ ଲାଇନ କାମ ଶୀଘ୍ର ଶେଷ ହେବ । 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ରାଜ୍ୟରେ ବିଜେପି ସରକାର କରିଲେ ଦେବଗଡ଼ରେ ମେଡିକାଲ କଲେଜ ଓ ହସପିଟାଲ କରାଯିବ । କେନ୍ଦୁପତ୍ର ତୋଳାଳିଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ ଏବଂ କେନ୍ଦୁପତ୍ର ବିଡାକୁ ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ଦେଶୀ ମଦ କାରଣରୁ ଅଞ୍ଚଳର ମା’ ଭଉଣୀଙ୍କ ଉପରେ ଅତ୍ୟାଚାର ବଢୁଥିବାରୁ ଦେଶୀ ମଦ ରନ୍ଧା ଓ ବିକ୍ରି ବନ୍ଦ କରାଯିବ । ଦେଶ ମଦ ବିକ୍ରି ଉପରେ କଡା କଟକଣା ଲଗାଯିବ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବର୍ତ୍ତମାନ ଧାନ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କା ଥିବା ବେଳେ ଓଡ଼ିଶାରେ ମୋଦୀଙ୍କ ସରକାର ହେଲେ ଛତିଶଗଡ ଭଳି ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ  ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଧାନରେ ପ୍ରଥମ ଥର ପାଇଁ ରାଜ୍ୟ ତରଫରୁ ବୋନସ ଦିଆଯିବ । ସବୁ ଚାଷ ଜମି ଜଳସେଚନ ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଦୁଇ ବର୍ଷ ମଧ୍ୟରେ ଏହି ଟଙ୍କାକୁ ମହିଳାମାନେ ଏକକାଳୀନ କିମ୍ବା ଭିନ୍ନ ଭିନ୍ନ ସମୟରେ ଟଙ୍କା ଖର୍ଚ୍ଚ କରିପାରିବେ । ସବୁ ଗରିବଙ୍କୁ ପଟ୍ଟା ସହ ପକ୍କା ଘର ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ଘର ଦିଆଯିବ । ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ । ଶୌଚାଳୟ ଓ ଉଜ୍ଜ୍ୱଳା ଗ୍ୟାସ ସହ ସବୁ ପ୍ରକାର ସୁବିଧା ଦିଆଯିବ ।  ଓଡ଼ିଶାରେ ବକେୟା ଥିବା ୧.୫ ଲକ୍ଷ ସରକାରୀ ନିଯୁକ୍ତି ପୂରଣ ସହିତ ୩.୫ ଲକ୍ଷ ନୂଆ ନିଯୁକ୍ତି ଦିଆଯିବ । ଦାଦନ ଯନ୍ତ୍ରଣାରୁ  ମୁକ୍ତି ଦିଆଯିବ । ପିଏମ ସୂର୍ଯ୍ୟଘର ଯୋଜନାରେ ସୌର ବିଦ୍ୟୁତ ସୁବିଧା ପ୍ରଦାନ କରାଯିବ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । ଶତକଡା ୮୦ ଭାଗ ଥିବା ଦିବ୍ୟାଙ୍ଗଙ୍କୁ ୩୫୦୦ ଟଙ୍କା ଭତ୍ତା ଦିଆଯିବ । ବିଜେପି ସରକାର ହେବାର ପ୍ରଥମ ମାସରେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ । ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ କରି ଶିକ୍ଷକ ଅଭାବ ପୂରଣ କରିବା ସହ ଗରିବ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ । ଟିଙ୍କବୀରଠାରେ ପରିବର୍ତ୍ତନ ପଦଯାତ୍ରାରେ ସାମିଲ ହୋଇ ଶ୍ରୀ ପ୍ରଧାନ ଏକ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ଭାବେ ଝିଅ ପିଲା ଏକାଦଶ ଓ ଦ୍ୱାଦଶ ପଢିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ମୁଖ୍ୟମନ୍ତ୍ରୀ ଭିଡିଓରେ ଥିବାବେଳେ ରିମୋଟ୍ ବାହାର ନେତା ଗୁମାସ୍ତା ପାଖରେ ଅଛି । ଅପରପକ୍ଷରେ ଓଡ଼ିଶା ସମେତ ଦେଶରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ଆସ୍ଥାର ପ୍ରତୀକ ଓ ସ୍ୱାଭିମାନର ଛବି ହୋଇଛନ୍ତି । ଗୋଟିଏ ପଟେ ଓଡ଼ିଶାରେ ଶାସନ ଗାଦିରେ ବସିଥିବା ଲୋକଙ୍କର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଇର୍ଷା ପରାୟଣତା ବଢ଼ୁଥିବା ବେଳେ ବିପରୀତରେ ମୋଦୀଙ୍କ ପ୍ରତି ଓଡ଼ିଶାବାସୀଙ୍କର ସମର୍ଥନ ବୃଦ୍ଧି ପାଉଛି । ଏଥର ଓଡ଼ିଶାରେ ନିଶ୍ଚୟ ପରିବର୍ତ୍ତନ ହେବ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ପଦ୍ମଫୁଲରେ ଦୁଇ ଥର ଭୋଟ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଥିଲେ ।

Raja Festival
Sponsored
union minister dharmendra pradhan election campaign in Devagarh | Argus News