ଭାଷା ଓ ସଂସ୍କୃତି ଆମର ଅସ୍ମିତା ଏବଂ ଅସ୍ମିତା ସବୁବେଳେ ସ୍ୱାଭିମାନ ସହ ଯୋଡ଼ି ହୋଇରହିଛି

ଅର୍ଗସ ବ୍ୟୁରୋ : ଭାଷା ଓ ସଂସ୍କୃତି ଆମର ଅସ୍ମିତା ଏବଂ ଅସ୍ମିତା ସବୁବେଳେ ସ୍ୱାଭିମାନ ସହ ଯୋଡ଼ି ହୋଇ ରହିଛି ବୋଲି ସୋମବାର ଭୁବନେଶ୍ୱରରେ “ଓଡ଼ିଶା @୧୦୦ ସମ୍ଭାବନାର ଶତାବ୍ଦୀ” କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶାର ସ୍ୱାଭିମାନ ଏବଂ ଓଡ଼ିଆ ଅସ୍ମିତାର ସଂକଳ୍ପକୁ ନେଇ ‘ଆମେ ଓଡ଼ିଆ’ ସଂଗଠନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଓଡ଼ିଶାର ୮ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ । ସେମାନେ ହେଉଛନ୍ତି ଯୁବ ଉଦ୍ୟୋଗୀ ଦେବେନ୍ଦ୍ର ପ୍ରଧାନ, ତାଳଚେରରୁ ଅଯୋଧ୍ୟା ପର୍ଯ୍ୟନ୍ତ ଖାଲିପାଦରେ ଯାତ୍ରା କରିଥିବା ଶୁଭମ ସାହୁ, ଦେବଗଡର ପର୍ବତାରୋହୀ ଶଶିଭୂଷଣ ମାଝୀ, ବାଲେଶ୍ୱର ଏଫଏମ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପ୍ରଫେସର ଭାରତୀ ବାଳା ପଟ୍ଟନାୟକ, ବ୍ରହ୍ମପୁରର ସମାଜସେବୀ ଗଗନ ପାତ୍ର, କେନ୍ଦ୍ରାପଡାର ଲେଖକ ତଥା ପରିବେଶବିତ ସାଗର ପ୍ରଧାନ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷକ ଡକ୍ଟର ସୌମ୍ୟ ଜେନା ଓ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକ ଆୟୁଷ୍ମତୀ ନାୟକ ।
ଏହି ଅବସରରେ ୮୯ତମ ‘ଉତ୍କଳ ଦିବସ’ର ଶୁଭେଚ୍ଛା ଜଣାଇବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଶ୍ରୀ ପ୍ରଧାନ । ସେ କହିଛନ୍ତି, ଆମ ସବୁ ଓଡ଼ିଆଙ୍କ ପାଇଁ ଆଜି ଏକ ପବିତ୍ର ଦିନ । ଉତ୍କଳ ଦିବସ ଆମର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ପାଳନ କରିବାର ମହାନ ଅବସର । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଆମ ରାଜ୍ୟ ଓଡ଼ିଶା ଦେଶର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ପ୍ରତିଷ୍ଠିତ ହୋଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେର ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭଳି ଅନେକ ଓଡ଼ିଶାର ବୀରପୁତ୍ର ସଂଘର୍ଷ କରି ଉତ୍କଳ ପ୍ରଦେଶ ଗଠନ କରିଥିଲେ ।
📱 Get Argus News App
✨ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସଶକ୍ତ କରିବା ପାଇଁ ସ୍ୱପ୍ନ ଦେଖୁଥିବା ଯୁବ ଉଦ୍ୟୋଗୀ ଦେବେନ୍ଦ୍ର ପ୍ରଧାନ ହୁଅନ୍ତୁ କିମ୍ବା ନୂଆ କିସମର କେଞ୍ଚୁଆ ଆବିଷ୍କାର କରି ଓଡ଼ିଶାରେ ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟ କରୁଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆୟୁଷ୍ମତୀ ନାୟକ ହୁଅନ୍ତୁ ଅବା କ୍ୟାନସର ରୋଗଙ୍କୁ ଶୀଘ୍ର ଚିହ୍ନଟ କରିବା ପାଇଁ ଯୋଜନା କରୁଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ଡ. ସୌମ୍ୟ ଜେନାଙ୍କ ଭଳି ଯୁବ ପ୍ରତିଭାଙ୍କ କାର୍ଯ୍ୟ ମୋର ଆତ୍ମବିଶ୍ୱାସକୁ ବଢାଇଛି । ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକତା ଭାବ ବଢାଇବା ଲକ୍ଷ୍ୟରେ ଆଗଭର ତାଳଚେରର ଶୁଭମ ସାହୁ, ଦେବଗଡର ପର୍ବତାରୋହୀ ଶଶିଭୂଷଣ ମାଝୀ, ଯୁବକଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ସ୍ୱପ୍ନକୁ ପୂରଣ କରିବା ପାଇଁ ସ୍ୱପ୍ନ ଦେଖୁଥିବା କେନ୍ଦ୍ରାପଡାର ଲେଖକ ଓ ପରିବେଶବିତ ସାଗର ପ୍ରଧାନ, ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗଙ୍କୁ ମାଗଣାରେ ସେବା ଦେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଗଗନ ପାତ୍ର ତଥା କଣ୍ଡେଇ କଳା ମାଧ୍ୟମରେ ଲୋକ ସମସ୍ୟାର ରାସ୍ତା ବାହାର କରିବା ପାଇଁ ଦାୟିତ୍ୱ ନେଇଥିବା ଏଫଏମ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରଫେସର ଭାରତୀ ବାଳା ପଟ୍ଟନାୟକ ଓଡ଼ିଆର ଆଗକୁ ଦେଖିବାର ଚରିତ୍ରକୁ ବଜାୟ ରଖିଛନ୍ତି । ଉତ୍କଳ ଦିବସରେ ଏହା ଆମ ପାଇଁ ପ୍ରେରଣାର ଚିତ୍ର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଓଡ଼ିଆ ଜାତି ଓ ସଭ୍ୟତାରେ ବିଶ୍ୱାସ ରଖୁଥିବା ପିଲାମାନେ କେବେ ସ୍ୱାଭିମାନ ସହ ବୁଝାମଣା କରିନାହିଁ । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବା ପାଇଁ ଆଉ ୧୨ ବର୍ଷ ବାକି ଅଛି । ଓଡ଼ିଶାକୁ ଆଗକୁ ନେବା ପାଇଁ ସମ୍ମାନିତ ହୋଇଥିବା ଯୁବ ବନ୍ଧୁଙ୍କ ସ୍ୱପ୍ନ ଓ ବଡ ଭାବିବାର ଅଭିଳାଷ ପ୍ରଶଂସନୀୟ । ଦେଶର ଅର୍ଥନୀତି ଖୁବ ଶୀଘ୍ର ୩ ନମ୍ବର ଅର୍ଥନୀତି ହେବ । ସେହି ସମୟରେ ଆବଶ୍ୟକତା କଣ ହେବ, ଏହା ଉପରେ ଆମକୁ ଭାବିବାକୁ ପଡିବ । ବାଇମୁଣ୍ଡି, ଧର୍ମପଦ, ମଧୁବାବୁ କେବେ ହେଲେ ନିଜ କଥା ଭାବିନଥିଲେ । ସମାଜ କଥା ଭିଥିଲେ । ବଡ ଭାବିବା ପାଇଁ ହେଲେ ବଡ ସ୍ୱପ୍ନ ଦେଖିବାକୁ ହେବ । ଓଡ଼ିଆ ସମାଜର ସହଯୋଗରେ ଓଡ଼ିଶାକୁ ୧୦୦ ବର୍ଷ ପରିବା ବେଳେ ୧୦୦ କୋଟି ଟଙ୍କା ରୋଜଗାର କରୁଥିବା ୧୦୦ ପିଲା ତିଆରି କରିବା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମେ ସାମୂହିକ ଦାୟିତ୍ୱ ନେଇ ଓଡ଼ିଶାକୁ ବଡ କରିବା, ପ୍ରଗତିର ଶୀର୍ଷକୁ ନେବା ଏବଂ ପୁରୁଷାର୍ଥ ଓ ଅକଥ ପରିଶ୍ରମ ବଳରେ ବିଶ୍ୱରେ ନିଜର ସ୍ଥାନ ନିରୁପଣ କରିବା ପାଇଁ ଶପଥ ନେବାକୁ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।