Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାନଦୀ କୂଳରେ ଥିବା ଜିଲ୍ଲାରେ ମରୁଡି ହେବା କ’ଣ ୨୪ ବର୍ଷ ଶାସନର ରୂପାନ୍ତରଣ ବୋଲି ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ

Odisha

ମହାନଦୀ କୂଳରେ ଥିବା ଜିଲ୍ଲାରେ ମରୁଡି ହେବା କ’ଣ ୨୪ ବର୍ଷ ଶାସନର ରୂପାନ୍ତରଣ ବୋଲି ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·3 min read
ମହାନଦୀ କୂଳରେ ଥିବା ଜିଲ୍ଲାରେ ମରୁଡି ହେବା କ’ଣ ୨୪ ବର୍ଷ ଶାସନର ରୂପାନ୍ତରଣ ବୋଲି ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆମ ରାଜ୍ୟ ଓଡ଼ିଆଙ୍କ ପ୍ରତି ଆତ୍ମୀୟତା ନ ଥିବା ଲୋକଙ୍କ ହାତରେ ପଡ଼ିଛି । ମହାନଦୀ କୂଳରେ ଥିବା ଜିଲ୍ଲା ଗୁଡିକରେ ମରୁଡି ହେଉଛି । ଏହା କଣ ୨୪ ବର୍ଷ ଶାସନର ରୂପାନ୍ତରଣ ବୋଲି ମଙ୍ଗଳବାର ଝାରସୁଗୁଡ଼ାର ଲାଇକେରା ଓ କିର୍ମିରାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବ, ଜନସମାବେଶ ଓ କର୍ମୀ ସମ୍ମିଳନୀରେ ଯୋଗଦେଇ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅପାର ସମ୍ଭାବନାର ଅଞ୍ଚଳ ଝାରସୁଗୁଡା ଜିଲ୍ଲାର କୋଇଲାରୁ  ଭାରତବର୍ଷର ଅନେକ ଅଞ୍ଚଳରେ ବିଜୁଳି ଜଳେ । ଝାରସୁଗୁଡାର ଶିଳ୍ପ, ଲୁହା, ଆଲୁମିନିୟମରେ ଦେଶର ଅର୍ଥନୀତି ମଜଭୁତ୍ ହେଉଛି । କିନ୍ତୁ ୨୪ ବର୍ଷ ଶାସନରେ ରହିବା ପରେ ବି ଝାରସୁଗୁଡ଼ାରେ ମୌଳିକ ବିକାଶ କରିପାରିନି । ଏଠାରେ ମହାନଦୀ ଓ ଇବ୍ ନଦୀ ପ୍ରବାହିତ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ମା’ ଓ ଭଉଣୀମାନେ ବିଶୁଦ୍ଧ ପାନୀୟ ଜଳ ପାଇପାରୁନାହାନ୍ତି । ରାଜ୍ୟରେ ଘରେ ଘରେ ପାଣି ଯୋଗାଇବା ପାଇଁ ମୋଦୀ ସରକାର ୧୦ ହଜାର କୋଟି ରାଜ୍ୟକୁ ଦେଇଛନ୍ତି । ଏଥିରୁ ସରକାର ମାତ୍ର ୮୦୦ କୋଟି ଖର୍ଚ୍ଚ କରିଛନ୍ତି ।  ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକରେ ବି ଜଳସେଚନର ସୁବିଧା ହୋଇପାରିଲା ନାହିଁ ।

 ସ୍କୁଲରେ ଶିକ୍ଷକ ଓ ମେଡିକାଲରେ ଡାକ୍ତର ନାହାନ୍ତି । ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଶିଶୁ ଓ ମହିଳାଙ୍କ କୁପୋଷଣ ଓ ରକ୍ତହୀନତା ଚିନ୍ତାଜନକ ଅବସ୍ଥାରେ ଅଛି । ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କୁ ଜଣେ ସରକାରୀ ପୋଲିସ କର୍ମଚାରୀ ଗୁଳି କରି ହତ୍ୟା କରୁଛି, ଏହାଠୁ ବଳି ବିଡ଼ମ୍ବନା ଆଉ କ’ଣ ଥାଇପାରେ । ଏହାକୁ ଭ୍ରଷ୍ଟ  ଶାସନ କୁହାଯିବ ନାହିଁ ତ କଣ କୁହାଯିବ ? ଏହା କଣ ୨୪ ବର୍ଷ ଶାସନର ରୂପାନ୍ତରଣ କି  ? ଓଡ଼ିଶାର ଏହି ଦୂରାବସ୍ଥାର ପରିବର୍ତ୍ତନ ପାଇଁ ଦୀର୍ଘ ୨୪ ବର୍ଷ ଭ୍ରଷ୍ଟ ଶାସନ ବିରୋଧରେ ଏକାଠି ହେବା  । ବୀର ସୁରେନ୍ଦ୍ର ସାଏଙ୍କ ଦାୟଦ ଭାବେ ଓ କରୁଣାକର ସିଂହଙ୍କ ଆଦର୍ଶରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ଲଢେଇ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ କିର୍ମିରା ଓ ଲାଇକେରା ବ୍ଲକ ଆଇଟିଡିଏ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ରହିପାରିଛି ।  ପ୍ରାୟ ୬୫୦ କୋଟି ଟଙ୍କା ବ୍ୟୟବରାଦରେ ଝାରସୁଗୁଡ଼ାରେ ୪୦ ହଜାର ପିଏମ୍ ଆବାସ ଦିଆଯାଇଛି । ସ୍ୱଚ୍ଛ ଭାରତ ଯୋଜନାରେ ୮୭ ହଜାର ଶୌଚାଳୟ ନିର୍ମାଣ, ଉଜ୍ଜ୍ୱଳା ଯୋଜନାରେ ୧ ଲକ୍ଷ ଘରେ ଗ୍ୟାସ ସଂଯୋଗ, ମନରେଗାରେ ୩୫୦ କୋଟି ଖର୍ଚ୍ଚ ଏପରି ଭାବେ ପ୍ରାୟ ୪ ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରୁ ପଠାଇଛନ୍ତି । ଡିଏମ୍‌ଏଫରେ ବାର୍ଷିକ ୧ ହଜାର କୋଟି ଟଙ୍କା ମିଳିବାର ବ୍ୟବସ୍ଥା ହୋଇଛି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ହେଲେ ଲାଇକେରା ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରାଯିବ, ଏହା ହେଉଛି ‘ମୋଦୀ ଗ୍ୟାରେଣ୍ଟି’ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଲାଇକେରାବାସୀ ଆମ ପରିବାରକୁ ସର୍ବଦା ଆଶୀର୍ବାଦ ଦେଇ ଆସିଥିବାରୁ ମୁଁ ଋଣୀ । ଏ ଅଞ୍ଚଳର ଚାଷୀ, ଗରିବ, ଆଦିବାସୀ, ବଞ୍ଚିତ, ଦଳିତ ଲୋକମାନଙ୍କର ପ୍ରତିନିଧିର ସ୍ୱର ହୋଇଛନ୍ତି ପ୍ରଦୀପ ପୁରୋହିତ । ଗୋଟିଏ ଭୋଟ ଏମଏଲଏଙ୍କୁ ଓ ଆଉ ଗୋଟିଏ ଭୋଟ ଏମପିଙ୍କୁ ଦୁଇଟି ଭୋଟ ପଦ୍ମଫୁଲରେ ଦେବାକୁ ନିବେଦନ କରିଛନ୍ତି ଶ୍ରୀ ପ୍ରଧାନ । ଲୋକସଭାକୁ ୨୧ରୁ ୨୧ ଏମ୍‌ପି ପଠାଇବା । ଅବକୀ ବାର ୪୦୦ ପାର ନାରାକୁ ସଫଳ କରିବା ବୋଲି ସେ କହିଛନ୍ତି । 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ନେତ୍ରୀ ତଥା ସରପଞ୍ଚ ସୁକାନ୍ତି ଜୟପୁରିଆଙ୍କ ସମେତ ଅନେକ ସମେତ ଅନେକ ସମର୍ଥକ ଦଳରେ ଯୋଗଦେଇଥିଲେ । ତାଙ୍କର ଯୋଗଦାନ ଆମ ଦଳୀୟ ସଂଗଠନକୁ ଲାଇକେରା, କିରମିରା ଓ କୋଲାବିରା ସମେତ ଝାରସୁଗୁଡା ନିର୍ବାଚନମଣ୍ଡଳୀରେ ଅଧିକ ମଜବୂତ୍ କରିବ । 'କିର୍ମିରା କାର୍ଯ୍ୟକର୍ତ୍ତା ସମ୍ମିଳନୀ'ରେ ମଧ୍ୟ ଯୋଗଦେଇ ମୋଦୀ ଗ୍ୟାରେଣ୍ଟିରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣକାରୀ ଯୋଜନା ଗୁଡିକ ଘରେ ଘରେ ପହଞ୍ଚାଇବା ସହ ଦଳୀୟ ସଂଗଠନକୁ ମଜଭୂତ୍ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।   

ଅଧିକ ପଢନ୍ତୁ ଓଡିଶା ଖବର

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ମହାନଦୀରେ ଡଙ୍ଗା ବୁଡି ଘଟଣାରେ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଚିଖିଲି ଓ ଶରଧା ଅଞ୍ଚଳର ସ୍ଥାନୀୟ ମତ୍ସ୍ୟଜୀବୀ ଓ ଲୋକମାନଙ୍କୁ ବାଘଡିହି ଠାରେ ସମ୍ବର୍ଦ୍ଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଲାଇକେରା ଠାରେ ସ୍ୱାଧୀନତା ସଂଗ୍ରାମୀ ଶହୀଦ କରୁଣାକର ସିଂହ ନାଏକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଚୈତ୍ର ପୂର୍ଣ୍ଣିମାର ପବିତ୍ର ଅବସରରେ ଲାଇକେରା ସ୍ଥିତ ମା’ ଅନ୍ଧାରୀ ଓ ମା'ସମଲେଇଙ୍କ ମନ୍ଦିରରେ ଦର୍ଶନ କରିଥିଲେ । ଏହାବ୍ୟତିତ ରେଙ୍ଗାଲି ସୋଲପାଲି ସ୍ଥିତ ମହିମା ଆଶ୍ରମରେ ବାବା ବୀରେନ୍ଦ୍ର ଦାସଙ୍କ ଆଶୀର୍ବାଦ ନେଇଥିଲେ ।

Sponsored
Union Minister in Jharsuguda Lykera and Kirmira mass rally and workers conference | Argus News