ଡିଏମଏଫ ଅର୍ଥରେ ସରକାରୀ ଅଧିକାରୀ ବ୍ୟୟବହୁଳ ଗାଡି କିଣୁଥିବା ବେଳେ ରାସ୍ତା ନିର୍ମାଣ ନ ହେବା କ୍ଷୋଭ ଓ ପରିତାପର ବିଷୟ

ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁନ୍ଦରଗଡ ଜିଲ୍ଲାରେ ପ୍ରଶାସନ ନଶୁଣିବାରୁ ଗ୍ରାମବାସୀ ନିଜେ ରାସ୍ତା ନିର୍ମାଣ କରିବା ଖବର ଏବଂ କେନ୍ଦ୍ରାପଡାରେ ପାଣି ନାହିଁ ତ ଭୋଟ ନାହିଁ ଶୀର୍ଷକ ପୃଥକ ଖବର ନେଇ ସାମାଜିକ ଗଣମାଧ୍ୟମରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ।
ଏହି ପ୍ରସଙ୍ଗ ନେଇ ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଜନଜାତି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ମୋଦୀ ସରକାର ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ର ବ୍ୟବସ୍ଥା କରିଛନ୍ତି । ଖଣି ସମୃଦ୍ଧ ଅଞ୍ଚଳ ସୁନ୍ଦରଗଡ଼କୁ ଡିଏମଏଫରେ ମୋଟ ୬,୪୦୫ କୋଟି ଟଙ୍କା ଆସିଥିବା ବେଳେ ମାତ୍ର ୮୬୦ କୋଟି ବ୍ୟୟ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ସରକାରୀ ଅଧିକାରୀ ବ୍ୟୟବହୁଳ ଗାଡି କିଣୁଛନ୍ତି । ସୁନ୍ଦରଗଡ଼ ସର୍କିଟ ହାଉସର ପାଚେରୀ ନିର୍ମାଣ ହେଉଥିବା ବେଳେ ଲହୁଣୀପଡା ବ୍ଲକ ଅନ୍ତର୍ଗତ ବଡପୁରୁଣାପାଣି ପଞ୍ଚାୟତ କପଣ୍ଡ ଗ୍ରାମରେ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଗ୍ରାମବାସୀଙ୍କୁ ନିଜେ ରାସ୍ତା ନିର୍ମାଣ କରିବାକୁ ପଡୁଛି, ଯାହା କ୍ଷୋଭ ଓ ପରିତାପର ବିଷୟ । ସରକାର ତଥା ଜିଲ୍ଲା ପ୍ରଶାସନ ନିଜ ଦାୟିତ୍ୱରୁ ଓହରିଯିବା କେତେଦୂର ଯୁକ୍ତିଯୁକ୍ତ ?ଯେଉଁ ଖଣି ଅଞ୍ଚଳର ଅଧିବାସୀ ମାନଙ୍କ ପାଇଁ ଡିଏମଏଫ ପାଣ୍ଠି ଉଦ୍ଧିଷ୍ଟ, ସେମାନେ ଆଜି ସର୍ବନିମ୍ନ ନାଗରିକ ସୁବିଧା ପାଇବାରୁ ବଞ୍ଚିତ ହେବା କ’ଣ ସ୍ଥାନୀୟ ସରକାରର ଦୀର୍ଘ ୨୫ ବର୍ଷ ଶାସନର ରୂପାନ୍ତରଣ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨କେନ୍ଦ୍ରମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଗ୍ରାମାଞ୍ଚଳରେ ମୋଟ ୮୮.୭୬ ଲକ୍ଷ ପରିବାର ମଧ୍ୟରୁ ପ୍ରାୟ ୨୩.୮୯ ଲକ୍ଷ ପରିବାର ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି । ପ୍ରାୟ ୫୬.୧୨ ପ୍ରତିଶତ ଗ୍ରାମବାସୀ ଏବେ ବି ଦୂଷିତ ପାଣି ବ୍ୟବହାର କରୁଛନ୍ତି । ରାଜ୍ୟରେ ଅତି କମରେ ୧୫ଟି ଜିଲ୍ଲାର ୪୦ ପ୍ରତିଶତରୁ ଅଧିକ ପରିବାର ପାଇଁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହୋଇନାହିଁ । ସହରାଞ୍ଚଳରେ ମଧ୍ୟ ୩୧.୨ ପ୍ରତିଶତ ପରିବାର ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଅଛନ୍ତି । କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳରେ "ପାଣି ନ ଦେଲେ ଭୋଟ୍ ଦେବୁ ନାହିଁ" ବୋଲି ମାତୃଶକ୍ତିମାନେ ସ୍ୱର ଉଠାଇଛନ୍ତି । ଏହି ସବୁ କ’ଣ ଲମ୍ବା ୨୫ ବର୍ଷ ଶାସନର ରୂପାନ୍ତରଣ ବୋଲି ପୁନର୍ବାର କେନ୍ଦ୍ରମନ୍ତ୍ରୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।