Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଶ୍ୱବିଦ୍ୟାଳୟଗୁଡ଼ିକ 'ଭବନ ନିର୍ମାଣ' ନୁହେଁ, 'ଭାବନା ନିର୍ମାଣ' ଉପରେ ଗୁରୁତ୍ୱ ଦେବା ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ

Odisha

Dharmendra Pradhan / ବିଶ୍ୱବିଦ୍ୟାଳୟଗୁଡ଼ିକ 'ଭବନ ନିର୍ମାଣ' ନୁହେଁ, 'ଭାବନା ନିର୍ମାଣ' ଉପରେ ଗୁରୁତ୍ୱ ଦେବା ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·1 hour ago·4 min read
ବିଶ୍ୱବିଦ୍ୟାଳୟଗୁଡ଼ିକ 'ଭବନ ନିର୍ମାଣ' ନୁହେଁ, 'ଭାବନା ନିର୍ମାଣ' ଉପରେ ଗୁରୁତ୍ୱ ଦେବା ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ
Odisha Education Reform

Key Points

  • ଓଡ଼ିଶାର ସାଢ଼େ ଏକ କୋଟି ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଆମର ସାମୂହିକ ଦାୟିତ୍ୱ
  • ଶ୍ରୀଲଙ୍କାରୁ ଦକ୍ଷିଣ-ପୂର୍ବ ଏସିଆ ପର୍ଯ୍ୟନ୍ତ ବ୍ୟାପିଥିବା ଭାରତୀୟ ସଂସ୍କୃତିର ଆଦିକେନ୍ଦ୍ର ଓଡ଼ିଶା ହିଁ ଥିଲା
  • ଓଡ଼ିଶା ଆରମ୍ଭରୁ ହିଁ ଶିକ୍ଷା ଅନୁରାଗୀ ଓ ଶିକ୍ଷା ଦ୍ୱାରା ଚାଳିତ ହେଉଥିବା ଗୋଟେ ଅଞ୍ଚଳ ଥିଲା
ଭୁବନେଶ୍ଵର: ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ପାରମ୍ପରିକ ଶିକ୍ଷାଦାନରେ ସୀମିତ ନ ରହି ସ୍ୱାୟତ୍ତତା (ଅଟୋନୋମୀ), ନବାଚାର (ଇନୋଭେସନ) ଓ ଗବେଷଣା (ରିସର୍ଚ୍ଚ) ମାଧ୍ୟମରେ ସାରା ଦେଶ ପାଇଁ ଏକ ଆଦର୍ଶ ମଡେଲ୍ ସାଜନ୍ତୁ । ଜାତୀୟ ଶିକ୍ଷା ନୀତିକୁ ଆଧାର କରି ବିଶ୍ୱବିଦ୍ୟାଳୟଗୁଡ଼ିକ ଏପରି 'ବେଷ୍ଟ ପ୍ରାକ୍ଟିସେସ୍' ଆରମ୍ଭ କରନ୍ତୁ, ଯାହା ସ୍ଥାନୀୟ ସମସ୍ୟାର ସମାଧାନ କରିବା ସହ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନରେ ସହାୟକ ହେବ । ଶନିବାର ଭୁବନେଶ୍ୱର ଠାରେ ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ଏବଂ କାର୍ଯ୍ୟାନ୍ୱୟନ ସମ୍ପର୍କିତ ଦୁଇଦିନିଆ କର୍ମଶାଳା 'ପ୍ରଜ୍ଞା ପ୍ରେରଣା'ର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାବିତ୍ ଏବଂ ପ୍ରାଧ୍ୟାପକମାନେ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ ଓଡ଼ିଶାକୁ ଏକ 'ଜ୍ଞାନ ଭୂମି' ଭାବେ ବର୍ଣ୍ଣନା କରି କହିଛନ୍ତି ଯେ, ଅନାଦି କାଳରୁ ଓଡ଼ିଶା ସାରା ବିଶ୍ୱକୁ ପଥ ପ୍ରଦର୍ଶନ କରିଆସିଛି ।

ଏଥିସହ ପଢ଼ନ୍ତୁ: ଆସିଲା ଦଶମ ପରୀକ୍ଷା ଫଳ, ଆଗରେ ଝିଅ; ସୋମବାର ଠାରୁ ରି-ଚେକିଂ ପାଇଁ ଆବେଦନ 

କଳିଙ୍ଗ ଯୁଦ୍ଧ କେବଳ ରକ୍ତାକ୍ତ ସଂଗ୍ରାମ ନଥିଲା, ବରଂ ଏହା ମାନବିକତାର ବିଜୟ ଓ ଶାନ୍ତିର ବାର୍ତ୍ତା ଥିଲା । ଶ୍ରୀଲଙ୍କାରୁ ଦକ୍ଷିଣ-ପୂର୍ବ ଏସିଆ ପର୍ଯ୍ୟନ୍ତ ବ୍ୟାପିଥିବା ଭାରତୀୟ ସଂସ୍କୃତିର ଆଦି କେନ୍ଦ୍ର ଓଡ଼ିଶା ହିଁ ଥିଲା । ଓଡ଼ିଶାର ନୌ-ବାଣିଜ୍ୟ, କୃଷି, ମନ୍ଦିର କଳା, ସାହିତ୍ୟ, ସୁ-ସଂସ୍କୃତି ଏ ସବୁର ମୂଳ କାରଣ ସେ ସମୟର ଶିକ୍ଷା । ଓଡ଼ିଶା ଆରମ୍ଭରୁ ହିଁ ଶିକ୍ଷା ଅନୁରାଗୀ ଓ ଶିକ୍ଷା ଦ୍ୱାରା ଚାଳିତ ହେଉଥିବା ଗୋଟେ ଅଞ୍ଚଳ ଥିଲା । ସାରଳା ମହାଭାରତ, ଚଣ୍ଡୀ ପୁରାଣ ଓ ବିଲଙ୍କା ରାମାୟଣ ଭଳି କାଳଜୟୀ କୃତି ଏହାର ଜ୍ୱଳନ୍ତ ପ୍ରମାଣ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

ପଠାଣି ସାମନ୍ତ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଫକୀର ମୋହନ ସେନାପତି ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ମନୀଷୀମାନେ ଓଡ଼ିଆ ଜାତି ଓ ସଭ୍ୟତାର ବୌଦ୍ଧିକ ଶ୍ରେଷ୍ଠତାର ପ୍ରତୀକ ଅଟନ୍ତି । ବୌଦ୍ଧ ଧର୍ମର ପ୍ରମୁଖ ଶାଖା 'ବଜ୍ରଯାନ'ର ପ୍ରଣେତା ଗୁରୁ ପଦ୍ମ ସମ୍ଭବ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ଏହି ମାଟିରୁ ହିଁ ବଜ୍ରଯାନର ଉତ୍ପତ୍ତି ହୋଇ ହିମାଳୟ ସମେତ ତିବ୍ଦତ ଓ ଅରୁଣାଚଳ ପର୍ଯ୍ୟନ୍ତ ବ୍ୟାପିଥିଲା ।

ତେଣୁ ଆମର ପାଠ୍ୟକ୍ରମ ଓଡ଼ିଶାର ନିଜସ୍ବ ଆବଶ୍ୟକତା, ୪୫୦ କିମି ବେଳାଭୂମି ଓ ଖଣିଜ ସମ୍ପଦକୁ ଭିତ୍ତି କରି ପ୍ରସ୍ତୁତ ହେବା ଉଚିତ୍ । ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ 'ଭବନ ନିର୍ମାଣ' ନୁହେଁ, ବରଂ 'ଭାବନା ନିର୍ମାଣ' ବା ଉନ୍ନତ ଚିନ୍ତାଧାରା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, "ଆମର ଶିକ୍ଷା ବ୍ୟବସ୍ଥାରେ ସ୍ଥାନୀୟ ଇତିହାସ, ଗାଁ ମନ୍ଦିର ଏବଂ ଓଡ଼ିଶାର ଅଜ୍ଞାତ ନାୟକମାନଙ୍କ ବୀରତ୍ୱ ଗାଥାକୁ ସାମିଲ କରି ଛାତ୍ରଛାତ୍ରୀଙ୍କୁ ନିଜ ମାଟିର ଗୌରବ ବିଷୟରେ ଅବଗତ କରାଇବା ଅତ୍ୟନ୍ତ ଜରୁରୀ । ସନ୍ଥ କବି ଭୀମ ଭୋଇ, ଗୋପବନ୍ଧୁ ଦାସ ଏବଂ ପଠାଣି ସାମନ୍ତଙ୍କ ଭଳି ମହାପୁରୁଷଙ୍କ ଦର୍ଶନ ଓ ବୈଜ୍ଞାନିକ ଜ୍ଞାନକୁ ପାଠ୍ୟକ୍ରମରେ ଗୁରୁତ୍ଵ ଦେବା ସହ ପଠାଣି ସାମନ୍ତଙ୍କ ଆଷ୍ଟ୍ରୋଫିଜିକ୍ସ ଓ ଆଷ୍ଟ୍ରୋନୋମି ଜ୍ଞାନକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଆମକୁ ଉଦ୍ୟମ କରିବାକୁ ହେବ । କୋରାପୁଟର ଧାନ ଚାଷର କଥା ଓ ସମ୍ବଲପୁର ଭୀମ ମଣ୍ଡଳୀର ପୁରାତନ ‘ରକ୍ ଆର୍ଟ୍’ ଭଳି ଓଡ଼ିଶାର ଗୌରବମୟ ତଥ୍ୟକୁ ଆଧାର କରି ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଉଚିତ୍ ।"

ଭାରତ ଆଜି ଏକ 'ଜ୍ଞାନ ଭିତ୍ତିକ ସମାଜ' ଭାବେ ବିଶ୍ୱର ନେତୃତ୍ୱ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ଓଡ଼ିଶାର ସାଢ଼େ ଚାରି କୋଟି ଜନସଂଖ୍ୟା ମଧ୍ୟରୁ ପ୍ରାୟ ୪୭ ଭାଗ ନାଗରିକ ଜନ୍ମରୁ ୨୪ ବର୍ଷ ବୟସ ମଧ୍ୟରେ ଅଛନ୍ତି, ଯାହା ରାଜ୍ୟର ବିକାଶ ପାଇଁ ସବୁଠାରୁ ବଡ଼ ପୁଞ୍ଜି ଓ ସମ୍ଭାବନା ଅଟେ । ଯଦି ଆମେ ସମାଜର କାର୍ଯ୍ୟ କରିବାର ବୟସ (୪୪-୪୫ ବର୍ଷ) କୁ ବିଚାରକୁ ନେବା, ତେବେ ଓଡ଼ିଶାର ପାଖାପାଖି ୭୦ ଭାଗରୁ ଅଧିକ ଲୋକ ଏହି ବୟସ ସୀମା ମଧ୍ୟରେ ରହିଛନ୍ତି, ଯାହା ଶିକ୍ଷା କ୍ଷେତ୍ରରେ ଆମର ଦାୟିତ୍ୱକୁ ଆହୁରି ବଢ଼ାଇ ଦେଉଛି । ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ କେବଳ ଡିଗ୍ରୀ ଅପେକ୍ଷା ଦକ୍ଷତା ଉପରେ ଗୁରୁତ୍ଵ ଦେବା ପାଇଁ ଜାତୀୟ ଶିକ୍ଷା ନୀତିରେ 'ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡ଼ିଟ୍' ଓ 'ଅପାର ଆଇଡି' ଭଳି ବ୍ୟବସ୍ଥା କରାଯାଇଛି ।

ଓଡ଼ିଶାରେ ଉଚ୍ଚ ଶିକ୍ଷାରେ ନାମଲେଖା ହାର ବୃଦ୍ଧି କରିବା ପାଇଁ ଆମକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ମାଧ୍ୟମର ସହଯୋଗ ନେବାକୁ ପଡ଼ିବ । ସ୍ୱୟମ୍ ଓ ସ୍ୱୟମ୍ ପ୍ରଭା ଭଳି ଚ୍ୟାନେଲ୍ ଏବଂ ଓଡ଼ିଆ ଭାଷାରେ ଉପଲବ୍ଧ ଏଆଇ କଣ୍ଟେଣ୍ଟ ମାଧ୍ୟମରେ ଦୂରଦୂରାନ୍ତରେ ଥିବା ବିଦ୍ୟାର୍ଥୀଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ସହ ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ । ଏହା ସହିତ ଆନ୍ତର୍ଜାତୀୟକରଣ ଉପରେ ଗୁରୁତ୍ୱ ଦେଇ ବିଦେଶୀ ଭାଷା ଶିକ୍ଷା ଓ ସମୟୋପଯୋଗୀ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ହେବ, ଯାହାଦ୍ୱାରା ଓଡ଼ିଶାର ଯୁବକଯୁବତୀମାନେ ବିଶ୍ୱ ସ୍ତରରେ ପ୍ରତିଯୋଗିତା କରିବା ପାଇଁ ନିଜକୁ ସଶକ୍ତ ଓ ଦକ୍ଷ କରିପାରିବେ ।

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମର ମାତୃଭାଷା ଓଡ଼ିଆକୁ ପ୍ରାଧାନ୍ୟ ଦେଇ ପରାଧୀନତାର ମାନସିକତାରୁ ମୁକ୍ତ ହେବା ଏବଂ ଭାରତୀୟ ଭାଷା ଆଧାରରେ ଜ୍ଞାନର ପ୍ରସାର କରିବା ଆମ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ ହେବା ଉଚିତ୍, ଯାହାଦ୍ୱାରା ନିଜ ଭାଷା ଓ ପରମ୍ପରା ପ୍ରତି ସମ୍ମାନ ବୃଦ୍ଧି ପାଇବ । ଶ୍ରୀ ଜଗନ୍ନାଥ ସଂସ୍କୃତିରୁ ପ୍ରେରଣା ପାଇ ଆମକୁ ଓଡ଼ିଆ ସ୍ୱାଭିମାନ ସହ ବୈଶ୍ୱିକ ଦାୟିତ୍ୱ ଓ ରାଷ୍ଟ୍ରବାଦର ତତ୍ତ୍ୱକୁ ଶିକ୍ଷା ବ୍ୟବସ୍ଥାରେ ଆତ୍ମସାତ କରିବାକୁ ପଡ଼ିବ ।

ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା; ପ୍ରଥମ ଥର ପାଇଁ ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍ 

୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ ସୁଦ୍ଧା ଭାରତ ସ୍ୱତନ୍ତ୍ରତାର ଶତବାର୍ଷିକୀ ପାଳନ କରିବ । ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ଲକ୍ଷ୍ୟ ପୂରଣ କରିବାକୁ ହେଲେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏବେ ଠାରୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ହେବ । ସର୍ବୋପରି, କ୍ୟାମ୍ପସ୍‌ରେ ଖେଳ, କଳା, ଦକ୍ଷତା ଭିତ୍ତିକ ଶିକ୍ଷା ଏବଂ ସେବା ମନୋଭାବ ସୃଷ୍ଟି କରି ଏକ ସୃଜନଶୀଳ ସଂସ୍କୃତି ଗଢ଼ିବା ସହ ଓଡ଼ିଶାର ସାଢ଼େ ଏକ କୋଟି ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ଵ । ଏ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆଜିର କର୍ମଶାଳା ଏକ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ଏହି ଅବସରରେ ଶିକ୍ଷାର୍ଥୀମାନଙ୍କ ପ୍ରାୟୋଗିକ ଜ୍ଞାନ ବୃଦ୍ଧି ପାଇଁ 'ଇଣ୍ଟର୍ନସିପ୍ ଏବଂ କମ୍ୟୁନିଟି ସର୍ଭିସ୍ ଗାଇଡଲାଇନ୍ସ' ପୁସ୍ତିକାର ଉନ୍ମୋଚନ କରାଯିବା ସହ ଯୁବତୀ ଓ ମହିଳାମାନଙ୍କ ସୁରକ୍ଷା ତଥା ସଶକ୍ତିକରଣ ପାଇଁ 'ଶକ୍ତିଶ୍'ରୀ ମୋବାଇଲ୍ ଆପ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Universities Must Focus on Ideas, Not Buildings: Dharmendra Pradhan | Argus News | Argus News